ଫିଫା ବିଶ୍ୱକପ: ବେଲଜିୟମ୍‌କୁ ହରାଇ ଦେଲା ମରକ୍କୋ


ବେଲଜିୟମ ମ୍ୟାଚ ହାରିଯିବାରୁ ରାଜଧାନୀ ବ୍ରସେଲ୍ସରେ ଦଙ୍ଗା ଓ ହିଂସା ସୃଷ୍ଟି ହୋଇଛି। ହିଂସା ଘଟାଇଥିବା ଅଭିଯୋଗରେ ପୁଲିସ ୧୪ଜଣଙ୍କୁ ଗିରଫ କରିଛି। ମରକ୍କୋଠାରୁ ୦-୨ ଗୋଲରେ ହାରିବା ପରେ ତାତିଲେ ଫୁଟବଲପ୍ରେମୀ। ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗାଡ଼ିମୋଟର ପୋଡ଼ିଦେଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ଲୁହବୁହା ଗ୍ୟାସ ବ୍ୟବହାର ସହ ପାଣିମାଡ଼ କରିଛି ପୁଲିସ। ନିରାଶ ପ୍ରଶଂସକମାନେ ରାସ୍ତାଘାଟକୁ ଆସି ଗାଡ଼ିମୋଟର ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି। ଜଣେ ଗୁରୁତର ଆହତ ହୋଇଥିବା ‌ପୁଲିସ କହିଛି। ଚଳିତ ଫିଫା ବିଶ୍ୱକପରେ ରବିବାର ଆଉ ଏକ ଅପ୍ରତ୍ୟାଶିତ ଫଳାଫଳ ମିଳିଛି। ଗତ ଥରର କାଂସ୍ୟ ପଦକ ବିଜେତା ବେଲଜିୟମ୍‌କୁ ଉତ୍ତର ଆଫ୍ରିକୀୟ ଦେଶ ମରକ୍କୋ ୨-୦ରେ ହରାଇ ଦେଇଛି। ଏଥି ସହିତ ପ୍ରଥମ ମ୍ୟାଚ୍‌ରେ କ୍ରୋଏସିଆ ସହିତ ପଏଣ୍ଟ ବାଣ୍ଟିଥିବା ମରକ୍କୋ ନକ୍ ଆଉଟ୍‌ ଯୋଗ୍ୟତା (ପ୍ରି-କ୍ୱାର୍ଟରଫାଇନାଲ) ଅର୍ଜନ କରିବାର ସମ୍ଭାବନା ସୃଷ୍ଟି କରିଛି। ‌ବେଲଜିୟମ୍‌ କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ରୁ ପ୍ରଥମ ପରାଜୟ ବରଣ କରି ୩ ପଏଣ୍ଟରେ ସୀମିତ ରହିଛି। ମୁହାଁମୁହିଁ ମୁକାବିଲାରେ ମରକ୍କୋ ମଧ୍ୟ ପ୍ରଥମ ଥର ପାଇଁ ୟୁରୋପୀୟ ଶକ୍ତି ବେଲଜିୟମ୍‌କୁ ପରାସ୍ତ କରିପାରିଛି। ପୂର୍ବ ୨ଟିରୁ ଗୋଟିଏ ଲେଖାଏଁ ବିଜୟ ଓ ଅମୀମାଂସିତ ପାଇଥିଲା ବେଲଜିୟମ୍‌। ବିଶ୍ୱକପ ଆରମ୍ଭ ପୂର୍ବରୁ ବେଲଜିୟମ୍‌ ଫିଫା ମାନ୍ୟତାରେ ୨ ନମ୍ବର ଥିବାବେଳେ ମରକ୍କୋ ୨୨ ନମ୍ବର ଥିବାରୁ ଏହି ଫଳାଫଳକୁ ସବୁଠୁ ବଡ଼ ବିପର୍ଯ୍ୟୟ ବୋଲି ମଧ୍ୟ ବିବେଚନା କରାଯାଉଛି।


Share It

Comments are closed.