ସାବଧାନ! ଚାଇନାରୁ ଘରେ ଘରେ ଡାକ ମାଧ୍ୟମରେ ପହଂଚୁଛି ଏହି ରହସ୍ୟମୟ ବିହନ ଭର୍ତି ପ୍ୟାକେଟ, ଏହାକୁ ନେଇ ସରକାରଙ୍କ ଚେତାବନୀ


ବର୍ତ୍ତମାନ ଚୀନ୍ ଠାରୁ ବିଶ୍ୱରେ ପୁଣି ଏକ ନୂତନ ସଙ୍କଟ ବ୍ୟାପୁଥିବା ଜଣାପଡିଛି, ଯେଉଁଥି ପାଇଁ କୃଷି ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ସରକାର ଏବଂ ଲୋକଙ୍କୁ ଚେତାବନୀ ଦେଇଛି। ଅସଲରେ, ଚାଇନାରୁ ପୋଷ୍ଟ ମାଧ୍ୟମରେ ମଞ୍ଜିରେ ଭରପୂର କିଛି ରହସ୍ୟମୟ ପ୍ୟାକେଟ୍ ସିଧାସଳଖ ଅନେକ ଦେଶର ଲୋକଙ୍କ ଘରକୁ ଆସୁଥିବାର ଦେଖିବାକୁ ମିଳିଛି | ଯାହାକୁ ନେଇ ମନ୍ତ୍ରଣାଳୟ କହିଛି ଯେ ଏହା ଅନ୍ୟ ଦେଶର ଜୈବ ବିବିଧତାକୁ କ୍ଷତି ପହଞ୍ଚାଇବାକୁ ଏକ ଷଡ଼ଯନ୍ତ୍ର ହୋଇପାରେ।

ତେବେ ଏପର୍ଯ୍ୟନ୍ତ କୌଣସି ପ୍ୟାକେଟ୍ ଭାରତରେ ପହଞ୍ଚି ନାହିଁ, ଏହା ସତ୍ତ୍ବେ କୃଷି ମନ୍ତ୍ରଣାଳୟ ଏହାକୁ ନେଇ ପ୍ରସ୍ତୁତ ଅଛି। ମନ୍ତ୍ରଣାଳୟ କହିଛି ଯେ ଏହି ରହସ୍ୟମୟ ପ୍ୟାକେଟଗୁଡିକ ଦେଶର ଜୈବ ବିବିଧତା ପାଇଁ ବିପଦ ହୋଇପାରେ। ଗତ ସପ୍ତାହରେ ଜାରି କରାଯାଇଥିବା ଚେତାବନୀରେ କୃଷି ମନ୍ତ୍ରଣାଳୟ ଫସଲ ସହ ଜଡିତ ସମସ୍ତ ଅନୁଷ୍ଠାନକୁ ସଜାଗ ରହିବାକୁ ପରାମର୍ଶ ଦେଇଛି। ଉଲ୍ଲେଖନୀୟ କଥା ହେଉଛି, ଆମେରିକା, କାନାଡା, ବ୍ରିଟେନ୍, ନ୍ୟୁଜିଲାଣ୍ଡ, ଜାପାନ ଏବଂ ଅନେକ ୟୁରୋପୀୟ ଦେଶର ଲୋକମାନଙ୍କ ପାଖରେ ଚାଇନାରୁ ଏପରି ଅନେକ ପ୍ୟାକେଟ୍ ପହଂଚିସାରିଲାଣି |

ବିଭିନ୍ନ ସରକାରୀ ଏଜେନ୍ସି, ଗବେଷଣା ପ୍ରତିଷ୍ଠାନ ଏବଂ କମ୍ପାନୀମାନଙ୍କୁ ପଠାଯାଇଥିବା ଚିଠିରେ ମନ୍ତ୍ରଣାଳୟ କହିଛି, ‘ଗତ କିଛି ମାସ ମଧ୍ୟରେ ବିଶ୍ୱର ଅନେକ ଦେଶକୁ ହଜାର ହଜାର ରହସ୍ୟମୟ ପ୍ୟାକେଟ ପଠାଯାଇଛି | ଆମେରିକାର କୃଷି ମନ୍ତ୍ରଣାଳୟ ଏହାକୁ ‘ବ୍ରଶ୍ ସ୍କାମ’ ଏବଂ ‘ଚୋରା ଚାଲାଣ’ ବୋଲି ବର୍ଣ୍ଣନା କରିଛି। ଏଭଳି ରିପୋର୍ଟ ଅଛି ଯେ ବିନା ଅର୍ଡରରେ ଘରେ ପହଂଚୁଥିବା ଏହି ମଞ୍ଜିଗୁଡିକର ପ୍ୟାକେଟଗୁଡିକରେ, ମାରାତ୍ମକ ପ୍ରଜାତିର ମଞ୍ଜି ରହୁଥାଇପାରେ କିମ୍ବା ଏହାଦ୍ବାରା କିଛି ରୋଗ ଜନିତ ଉପାଦାନ କିମ୍ବା ରୋଗ ବିସ୍ତାର କରିବାକୁ ଚେଷ୍ଟା କରାଯଇଥାଇପାରେ |

ଅନ୍ୟପକ୍ଷରେ ଚୀନ୍ ସରକାର ଏଭଳି ଘଟଣାକୁ ସ୍ପଷ୍ଟ ଭାବେ ଅସ୍ୱୀକାର କରୁଛନ୍ତି। ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ ଗତ ମାସରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଚାଇନାରେ ଡାକ ମାଧ୍ୟମରେ ବିହନ ପଠାଇବା ନିଷେଧ। ସେମାନେ କହିଛନ୍ତି ଯେ ଏହି ରହସ୍ୟମୟ ପ୍ୟାକେଟରେ ଦିଆଯାଇଥିବା ଚାଇନାର ଠିକଣା ନକଲି ଅଟେ।


Share It

Comments are closed.