ଆଜି ଆଫଗାନିସ୍ଥାନ ବିପକ୍ଷରେ ଶେଷ ମ୍ୟାଚ ଖେଳି ଏସିଆ କପ ଯାତ୍ରା ଶେଷ କରିବା ଭାରତ


ଫାଇନାଲ ଖେଳିବା ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ ଦୁବାଇରୁ ସ୍ବଦେଶ ଫେରିବା ପୂର୍ବରୁ ଗୁରୁବାର ଅନ୍ତିମ ସୁପର-୪ ମ୍ୟାଚ୍‌ ଖେଳିବ। ପାକିସ୍ତାନ ଓ ଶ୍ରୀଲଙ୍କାଠାରୁ କ୍ରମାଗତ ସୁପର-୪ ମ୍ୟାଚ୍‌ ହାରିବା ପରେ ଭାରତ ଟାଇଟଲ ଲଢ଼େଇରୁ ବାଦ୍‌ପଡ଼ିଛି। ତଥାପି ଶେଷ ମ୍ୟାଚ୍‌ରେ ତା’ର ତ୍ରୁଟି ସୁଧାରି ପେସାଦାର କ୍ରିକେଟ୍‌ ଖେଳିବା ସହ ସମ୍ମାନ ରଖିବା ପାଇଁ ମ୍ୟାଚ୍‌ ଜିତିବା ଲାଗି ଓହ୍ଲାଇବ। ଆଫ୍‌ଗାନିସ୍ତାନର ଟ୍ବେଣ୍ଟି୨୦ ମାନ୍ୟତା ବହୁତ ତଳେ ଥିଲେ ହେଁ ଏହା ଅତ୍ୟନ୍ତ ସାହସୀ ଦଳ। ପ୍ରଥମ ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନ ଏହା ପ୍ରଦର୍ଶନ କରିଥିଲା ଏବଂ ୨ ଟେଷ୍ଟ ଖେଳୁଥିବା ଦଳ ଶ୍ରୀଲଙ୍କା ଓ ବାଂଲାଦେଶକୁ ପରାସ୍ତକରି ସୁପର-୪ରେ ପହଞ୍ଚିଛି। ତେଣୁ ଏହାକୁ ହାଲୁକା ଭାବେ ନେବା ଭାରତ ପାଇଁ ଘାତକ ହୋଇପାରେ। ବିନା ଯୋଜନାରେ ଯେପରି ଭାରତୀୟ ଦଳ ଏସିିଆ କପ୍‌ ଖେଳିଲା; ସମସ୍ତେ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ଆଡ଼କୁ ଆଙ୍ଗୁଳି ଦେଖାଇବା ସ୍ବାଭାବିକ। ଅଦ୍ୟାବଧି କୌଣସି ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶ ମନୋନୟନ ନେଇ ଦ୍ରାବିଡ଼ ସଠିକ୍‌ ନିଷ୍ପତ୍ତି ନେଇ ପାରିନାହାନ୍ତି। ଯଦି ତାଙ୍କୁ ଅଲ୍‌ରାଉଣ୍ଡର ଭାବେ ଦୀପକ ହୁଡାଙ୍କୁ ଖେଳାଇବାର ଥିଲା; ତେବେ ହୁଡା ଗୋଟିଏ ଓଭର ମଧ୍ୟ ବୋଲିଂ କଲେନାହିଁ କାହିଁକି? ପୁଣି ଯଦି ଦ୍ରାବିଡ଼ଙ୍କୁ ବିଶେଷଜ୍ଞ ବ୍ୟାଟ୍‌ସମ୍ୟାନ୍ ବାଛିବାର ଥିଲା; ତେବେ ଦିନେଶ କାର୍ତ୍ତିକ କେଉଁ ଗୁଣରେ କମ୍‌ ଥିଲେ? ଦୁଇ ଓପ୍‌ନର ପାଥୁମ୍ ନିଶଙ୍କା ଓ କୁଶଳ ମେଣ୍ଡିସ୍‌ ଆକ୍ରମଣାତ୍ମକ ବ୍ୟାଟିଂ କରୁଥିବା ବେଳେ ହୁଡାଙ୍କୁ ବୋଲିଂ ଦେବାର ଥିଲା। ଅନ୍ୟପକ୍ଷରେ ନିକଟରେ ଆଫ୍‌ଗାନିସ୍ତାନ ଦଳରେ କିଛି ଭଲ ଟ୍ବେଣ୍ଟି୨୦ କ୍ରିକେଟର ଅଛନ୍ତି। ରସିଦ୍‌ ଖାଁ, ମୁଜିବୁର ଜାଦ୍ରାନ୍, ମହମ୍ମଦ ନବି, ହଜ୍ରତୁଲ୍ଲା ଜାଜାଇ ଏବଂ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ ରହମନୁଲ୍ଲା ଗୁରବାଜ ବିଶ୍ବର ଯେକୌଣସି ଦଳ ବିପକ୍ଷ​‌େ​‌ର ଭଲ ପ୍ରଦର୍ଶନ କରିପାରନ୍ତି। ଆକ୍ରମଣାତ୍ମକ ବ୍ୟାଟ୍‌ସମ୍ୟାନଙ୍କ ଜରିଆରେ ଏହି ଦଳ ୧୭୦ରୁ ଅଧିକ ରନ୍‌ର ପିଛାକରି ଜିତିପାରେ ଏବଂ ଭଲ ସ୍ପିନ୍‌ ଆକ୍ରମଣ ଦ୍ବାରା ପ୍ରତିପକ୍ଷର ବ୍ୟାଟିଂକୁ ମଧ୍ୟ ରୋକିପାରେ। ତେବେ ବଡ଼ ଆନ୍ତର୍ଜାତିକ ଦଳଙ୍କ ବିପକ୍ଷରେ ନିୟମିତ ନ ଖେଳିବା ଆଫ୍‌ଗାନିସ୍ତାନର ଏକ ଦୁର୍ବଳତା। ହେଲେ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ବ୍ୟକ୍ତିଗତ ପ୍ରଦର୍ଶନ ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇପାରେ। ଏପରି ଖେଳାଳି ଆଫ୍‌ଗାନିସ୍ତାନ ଦଳରେ ଅଛନ୍ତି। ଆଫ୍‌ଗାନିସ୍ତାନ ବିପକ୍ଷରେ ଦିନେଶ କାର୍ତ୍ତିକ ଖେଳିବା ନିଶ୍ଚିତ ହୋଇଥିବା ବେଳେ ଦୀପକ ହୁଡା ନା ଋଷଭ ପନ୍ତ୍ ବସୁଛନ୍ତି; ତାହା ଦେଖିବାର କଥା। ଅସୁସ୍ଥ ଆଭେସ୍‌ ଖାଁଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିବା ଦୀପକ ଚହରଙ୍କୁ ଖେଳିବାର ସୁଯୋଗ ମିଳିପାରେ। ଟ୍ବେଣ୍ଟି୨୦ ବିଶ୍ବକପ୍‌ ପାଇଁ ଯୋଜନାରେ ଚହର ଅଛନ୍ତି। କେ.ଏଲ୍‌. ରାହୁଲଙ୍କ ଫର୍ମ ଉପରେ ନଜର ରହିବ। କ୍ରମାଗତ ୨ଟି ମ୍ୟାଚ୍‌ରେ ୧୯ଶ ଓଭର ବୋଲିଂ କରି ଭୁବନେଶ୍ବର କୁମାର ବିଫଳ ହୋଇଛନ୍ତି।


Share It

Comments are closed.