ପୂର୍ବତ୍ତନ ରାଷ୍ଟ୍ରପତି ଡଃ ଏପିଜେ ଅବଦୁଲ କଲାମଙ୍କ ପୁଣ୍ୟତିଥିରେ ଜାଣନ୍ତୁ ତାଙ୍କ ସଂପର୍କରେ କିଛି ରୋଚକ କଥା


୧୯୩୧ ମସିହା ଅକ୍ଟୋବର ୧୫ରେ ତାମିଲନାଡୁର ରାମେଶ୍ୱରମ୍ ଗାଁରେ ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏ. ପି. ଜେ. ଅବଦୁଲ୍ କଲାମ୍। ମାଟ୍ରିକ ପାଠପଢ଼ା ଶେଷ କରି ପରେ ସେ ତିରୁଚିରାପଲ୍ଲୀସ୍ଥିତ ସେଣ୍ଟ ଯୋଶେଫ କଲେଜରେ ନାମ ଲେଖାଇ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କଲେ। ୧୯୫୫ରେ ଏରୋସ୍ପେସ୍ ଇଂଜିନିୟରିଂ ପଢ଼ିବା ପାଇଁ ମାଡ୍ରାସ ଯାଇ ମାଡ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ୧୯୬୦ରେ ସ୍ନାତକ ଡିଗ୍ରୀଧାରୀ ହେଲେ ଅବଦୁଲ୍‌ କଲାମ୍। ପରବର୍ତ୍ତୀ ସମୟରେ ସେ ଡିଆରଡିଓରେ ଜଣେ ବୈଜ୍ଞାନିକ ଭାବେ ଯୋଗ ଦେଲେ, କିଛି ବର୍ଷ ପରେ ବିଖ୍ୟାତ ବୈଜ୍ଞାନିକ ବିକ୍ରମ ସାରାଭାଇଙ୍କ ଅଧୀନରେ କାର୍ଯ୍ୟ କରିବାର ସୁଯୋଗ ମଧ୍ୟ ସେ ପାଇଲେ। ଅବଦୁଲ୍ କଲାମ୍ ଅନେକ ସାକ୍ଷାତ୍‌କାର୍‌ରେ କହିଛନ୍ତି ତାଙ୍କର ପ୍ରେରଣା ଥିଲେ ବିକ୍ରମ ସାରାଭାଇ। ୧୯୬୯ରେ ସେ ଭାରତୀୟ ମହାକାଶ ଗବେଷଣା ସଂଗଠନ ( ଇସ୍ରୋ)କୁ ବଦଳି ହୋଇ ଆସିବା ପରେ ଭାରତର ପ୍ରଥମ ସାଟେଲାଇଟ୍ ଲଞ୍ଚ୍ ଭେହିକିଲ୍ ପ୍ରୋଜେକ୍ଟର ନିର୍ଦେଶକ ଭାବେ ଦାୟିତ୍ବ ତୁଲାଇଲେ। ଅବଦୁଲ୍ କଲାମ୍‌ଙ୍କ ଏଭଳି ଅତୁଳନୀୟ ଯୋଗଦାନ ପାଇଁ ସେ ‘ଭାରତର ମିସାଇଲ୍ ମ୍ୟାନ୍’ ଭାବେ ମଧ୍ୟ ପରିଚିତ। ୧୯୯୮ ପୋଖରାନ୍-୨ ପରମାଣୁ ବୋମା ପରୀକ୍ଷଣରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ୨୦୦୨ ଜୁଲାଇ ୨୫ ତାରିଖରୁ ୨୦୦୭ ଜୁଲାଇ ୨୫ ପର୍ଯ୍ୟନ୍ତ ଭାରତର ୧୧ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ କରିଥିବା ଅବଦୁଲ୍ କଲାମ୍‌‌ଙ୍କୁ ୧୯୯୭ ମସିହାରେ ଭାରତର ସର୍ବୋଚ୍ଚ ବେସାମରିକ ପୁରସ୍କାର “ଭାରତ ରତ୍ନ”ରେ ସମ୍ମାନିତ କରାଗଲା। ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ସେ ଏହି ପୁରସ୍କାରରେ ସମ୍ମାନିତ ହେଲେ। ୨୦୧୫ ଜୁଲାଇ ୨୭ରେ ଏକ ସଭାରେ ଭାଷଣ ଦେଉଥିବା ସମୟରେ ଆକସ୍ମିକ ହୃଦ୍‌ଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ମିସାଇଲ୍ ମ୍ୟାନ୍ ‘ଅବଦୁଲ୍ କଲାମ୍’।


Share It

Comments are closed.