ଦେଶରେ ପ୍ରଥମଥର ଲଂଚ ହେବ ଆଂଟି ଭାଇରସ ପୋଷାକ, ଜୁନ ଶେଷ ସୁଦ୍ଧା ଆସିଯିବ ବଜାରକୁ


କରୋନା ଭାଇରସର ଜାରି ରହିଥିବା ସଂକ୍ରମଣ ମଧ୍ୟରେ ଦେଶରେ ପ୍ରଥମଥର ପାଇଁ ଆଂଟି ଭାଇରସ ଟେକ୍ସଟାଇଲ ଟେକ୍ନୋଲୋଜିରୁ ପ୍ରସ୍‌ୁତ ପୋଷାକକୁ ଲଂଚ କରିବାର ପ୍ରସ୍ତୁତି କରାଯାଉଛି । ଜୁନ ଶେଷ ସୁଦ୍ଧା ଏହି ଟେକନିକରୁ ପ୍ରସ୍ତୁତ ସୁଟିଙ୍ଗ-ସାଟିଙ୍ଗ ଫ୍ୟାବ୍ରିକ୍ସ ଏବଂ ପ୍ରସ୍ତୁତ ପୋଷାକ ବଜାରକୁ ଆସିଯିବ । ଦାବି କରାଯାଉଛି ଯେ ଏଗୁଡ଼ିକରେ ୯୯.୯୯ ପ୍ରତିଶତ ରୋଗ ଜୀବାଣୁ ଗୁଡ଼ିକୁ ହ୍ରାସ କରିବାର କ୍ଷମତା ରହିଛି ।
ପୋଷାକ ଏବଂ ପରିଧାନ କମ୍ପାନୀ ଅରବିନ୍ଦ ଲିମିଟେଡର କାର୍ଯ୍ୟକାରୀ ନିର୍ଦ୍ଦେଶକ କୁଲିନ ଲାଲାଭାଇ ଇଂଟେଲିଫ୍ୟାବ୍ରିକ୍ସ ବ୍ରାଣ୍ଡ ଅନୁଯାୟୀ ଆଂଟି ଭାଇରସ ପୋଷାକ ଲଂଚ କରିବାର ଘୋଷଣା କରିଛନ୍ତି । ସ୍ୱିସ ଟେକ୍ସଟାଇଲ ଇନୋଭେସନ କମ୍ପାନୀ ହ୍ୟାକ ମେଟେରିଆଲ ଏବଂ ତାଇୱାନର ପ୍ରମୁଖ ସ୍ପେଶାଲିଷ୍ଟ କେମିକାଲ କମ୍ପାନୀ ଜିଟେକ୍ସ କର୍ପୋରେସନ ସହଯୋଗରେ ଅରବିନ୍ଦ ଲିମିଟେଡ ଏହି ଆଂଟି ଭାଇରସ ଫ୍ର‌୍ୟାବ୍ରିକ୍ସର ନିର୍ମାଣ କରୁଛନ୍ତି ।
କମ୍ପାନୀର ଜଣେ ଉଚ୍ଚ ଅଧିକାରୀ କହିଛନ୍ତି ଯେ ଇଂଟେଲିଫ୍ୟାବ୍ରିକ୍ସର ବର୍ତମାନ ସମୟରେ ଏକ ହଜାର କୋଟି ଟଙ୍କାର ବିକ୍ରୟ ରାଜସ୍ୱ ରହିଛି ଏବଂ କମ୍ପାନୀର ଆସନ୍ତା କିଛି ମାସ ମଧ୍ୟରେ ଏହାର ଆଂଟି ଭାଇରସ ଫ୍ୟାବ୍ରିକ୍ସ ଓ ଗାରମେଂଟସ ଜରିଆରେ ୫୦ରୁ ୧୦୦ କୋଟି ଟଙ୍କାର ବିକ୍ରି ବଢ଼ାଇବାର ଯୋଜନା ରହିଛି ।
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଅନୁସଂନ୍ଧାନରୁ ଜଣାପଡ଼ିଛି ଯେ ଭାଇରସ ଏବଂ ବ୍ୟାକ୍ଟେରିଆ ପୋଷାକରେ ଦୁଇଦିନ ପର୍ଯ୍ୟନ୍ତ ସକ୍ରିୟ ରହିପାରନ୍ତି । ପୋଷାକ ମାଧ୍ୟମରେ ରୋଗଜୀବାଣୁଗୁଡ଼ିକର ପୁନଃ ସଂଚରଣ କ୍ଷମତାକୁ ରୋକିବାରେ ସାହାଯ୍ୟ କରିବା ନିମନ୍ତେ ଏଚଇକ୍ୟୁ ବାଏରୋବ୍ଲକ ସହିତ ଟ୍ରିଟ କରାଯାଇଥିବା ପୋଷାକ ଭାଇରସକୁ ଅଟକାଇଥାନ୍ତି ।
କୁଲିନ ଲାଲାଭାଇ କହିଛନ୍ତି ଯେ, “ କୋଭିଡ-୧୯ କାରଣରୁ ପୁରା ଦୁନିଆ ଏକ ଅଦ୍ଭୂତପୂର୍ବ ସଂକଟର ସାମ୍ନା କରୁଛି । ଏହି ପ୍ରସଙ୍ଗରେ ଆମେ ଆମର ଗ୍ରାହକଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରତିବଦ୍ଧ ଏବଂ ଏହା ହିଁ କାରଣ ଯେଉଁଥିପାଇଁ ଆମେ ଭାରତରେ କ୍ରାନ୍ତିକାରୀ ବାଏରୋବ୍ଲକ ଟେକନିକକୁ ଆଣିବା ପାଇଁ ଏଚଇକ୍ୟୁ ସହିତ ସହବନ୍ଧିତ ହୋଇଛୁ ।”


Share It

Comments are closed.