ମା’ କରୋନା ଆକ୍ରାନ୍ତ, ଜନ୍ମିତ ଶିଶୁ ସଂପୂର୍ଣ୍ଣ ସୁସ୍ଥ


ଦିଲ୍ଲୀ ଏମ୍‌ସରେ ଜଣେ କରୋନା ଆକ୍ରାନ୍ତ ମହିଳା ଜଣେ ସୁସ୍ଥ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ଜଣାପଡିଛି । ମହିଳା ଜଣକ ଗତ ଗୁରୁବାର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଶିଶୁ ଜନ୍ମ କରିବାକୁ ଆହୁରି ୧ ସପ୍ତାହ ବାକିଥିଲେ ମଧ୍ୟ ସେ ସିଜରିଆନ ପଦ୍ଧତିରେ ଶିଶୁ ଜନ୍ମ ଦେଇଥିଲେ । ଦେଶରେ କରୋନା ସଂକ୍ରମିତ ମା’ ଶିଶୁ ଜନ୍ମ କରିବା ଘଟଣା ଏହା ପ୍ରଥମ । ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତରଖାନାର ପ୍ରସୂତି ବିଭାଗ ମୁଖ୍ୟ ନୀରଜା ଭଟ୍‌ଲା ସୂଚନା ଦେଇଛନ୍ତି ।

ସ୍ୱତନ୍ତ୍ର ପଦ୍ଧତି ଯୋଗେ ଶିଶୁଟିର ଯତ୍ନ ନିଆଯାଉଥିବା ସେ ପ୍ରକାଶ କରିଛନ୍ତି । କରୋନା ସଂକ୍ରମିତ ମା’ କ୍ଷୀରରେ କରୋନା ବ୍ୟାପିବାର କୌଣସି ଆଶଙ୍କା ନଥିବାରୁ ଶିଶୁଟିକୁ ବର୍ତ୍ତମାନ ମା’ କ୍ଷୀର ଦିଆଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁତାବକ, କରୋନା ସଂକ୍ରମିତ ମା’ ଶିଶୁକୁ ନିଦ୍ୱର୍ନ୍ଦ୍ୱରେ କ୍ଷୀର ଦେଇପାରିବ । କାହିଁକି ନା ମା’ କ୍ଷୀରରେ କରୋନା ଭୂତାଣୁ ରହି ନଥାଏ । ଏଥି ନିମନ୍ତେ ମା’କୁ କେତେକ ସତର୍କତା ପାଳନ କରିବାର ଆବଶ୍ୟକ ରହିଛି ।

ଉଲ୍ଲେଖଯୋଗ୍ୟ, ଶିଶୁଟିର ପିତା ଦିଲ୍ଲୀ ଏମ୍ସରେ ଡାକ୍ତର ଭାବେ କାର୍ଯ୍ୟ କରିଥାନ୍ତି । ରୋଗୀଙ୍କ ଚିକିତ୍ସା କରୁଥିବା ସମୟରେ ସେମାନଙ୍କ ସଂସ୍ପର୍ଶରେ ଆସି ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ପରେ ତାଙ୍କ ଭାଇ ଏବଂ ଗର୍ଭବତୀ ପତ୍ନୀ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଥିଲେ । କରୋନା ସଂକ୍ରମିତ ଗର୍ଭବତୀମାନଙ୍କର ପ୍ରସୂତି କରିବା ନିମନ୍ତେ ଦିଲ୍ଲୀ ଏମ୍ସରେ ଏକ ସ୍ୱତନ୍ତ୍ର ୱାର୍ଡ ପ୍ରସ୍ତୁତ କରାଯାଇଛି ।


Share It

Comments are closed.