୨୦୨୦-୨୧ ଖରିଫରେ ୬୨ ଲକ୍ଷ ୯୩ ହଜାର ୭୫୨ ମେଟ୍ରିକ ଟନ ଧାନ ସଂଗ୍ରହ


୨୦୨୦-୨୧ ଖରିଫରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପି-ପାସ ଓ ଚାଷୀମାନଙ୍କୁ ଆଗୁଆ ଟୋକେନ ପ୍ରଦାନ ମାଧ୍ୟମରେ ୬୨ ଲକ୍ଷ ୯୩ ହଜାର ୭୫୨ ମେଟ୍ରିକ ଟନ ଖରିଫ ଧାନ ସଂଗ୍ରହ କରାଯାଇଛି, ଯାହାକି ଗତ ବର୍ଷ ଖରିଫ ଧାନ ସଂଗ୍ରହ ତୁଳନାରେ ୧୮ ପ୍ରତିଶତ ଅଧିକ । ଚଳିତ ବର୍ଷ ଗତ ବର୍ଷଠାରୁ ୯ ଲକ୍ଷ ୬୨ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇପାରିଛି । ଗତବର୍ଷ ଖରିଫରେ ୫୩ ଲକ୍ଷ ୩୧ ହଜାର ୧୮୬ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିଲା ।
ସେହିପରି ଚଳିତ ବର୍ଷ ଗତବର୍ଷ ଅପେକ୍ଷା ୨ ଲକ୍ଷ ୩୫ ହଜାର ୯୨୬ ଜଣ ଅଧିକ ଚାଷୀ ଖରିଫ ଧାନ ବିକ୍ରି କରିଛନ୍ତି । ଗତବର୍ଷ ସମୁଦାୟ ୯ ଲକ୍ଷ ୫୬ ହଜାର ୬୮୬ ଜଣ ପଞ୍ଜୀକୃତ ଚାଷୀ ସେମାନଙ୍କ ଖରିଫ ଧାନ ବିକିଥିବବେଳେ ଚଳିତ ଖରିଫରେ ୧୧ ଲକ୍ଷ ୯୨ ହଜାର ୧୨ ଜଣ ପଞ୍ଜୀକୃତ ଚାଷୀ ଧାନ ବିକ୍ରି କରିଛନ୍ତି । ସେହିପରି ଗତବର୍ଷ ସଂଗୃହୀତ ଖରିଫ ଧାନର ମୂଲ୍ୟ ୯ ହଜାର ୬୭୬ କୋଟି ଟଙ୍କା ହୋଇଥିବାବେଳେ ଚଳିତ ବର୍ଷ ସଂଗୃହୀତ ଧାନର ମୂଲ୍ୟ ମୋଟ ୧୧ ହଜାର ୭୫୬ କୋଟି ଟଙ୍କା ହୋଇଛି ।
ଚଳିତ ଖରିଫରେ ପ୍ରମୁଖ ଧାନ ସଂଗ୍ରହକାରୀ ଜିଲ୍ଲା ମଧ୍ୟରେ ବରଗଡ ଜିଲ୍ଲାରେ ଗତବର୍ଷ ଖରିଫ ଧାନ ତୁଳନାରେ ୧୩ ପ୍ରତିଶତ ଅଧିକ ହୋଇଥିବାବେଳେ ବଲାଙ୍ଗୀରରେ ୨୨ ପ୍ରତିଶତ , ସମ୍ବଲପୁରରେ ୧୫ ପ୍ରତିଶତ କୋରାପୁଟରେ ୪୦ ପ୍ରତିଶତ , କଳାହାଣ୍ଡିରେ ୧୪ ପ୍ରତିଶତ , ନବରଙ୍ଗପୁରରେ ୨୮ ପ୍ରତିଶତ ଏବଂ ନୂଆପଡାରେ ୨୭ ପ୍ରତିଶତ ଅଧିକ ହୋଇଛି । ସେହିପରି ଗଞ୍ଜାମ ଜିଲ୍ଲାରେ ୨୦ ପ୍ରତିଶତ, ପୁରୀରେ ୨୬ ପ୍ରତିଶତ ଏବଂ କେନ୍ଦୁଝରରେ ୨୬ ପ୍ରତିଶତ ଭଦ୍ରକରେ ୩୬ ପ୍ରତିଶତ , କଟକରେ ୨୦ ପ୍ରତିଶତ, ଗଜପତିରେ ୩୫ ପ୍ରତିଶତ, କେନ୍ଦ୍ରପଡାରେ ୨୭ ପ୍ରତିଶତ ଓ ମୟୁରଭଞ୍ଜରେ ୩୩ ପ୍ରତିଶତ ଅଧିକ ଖରିଫ ଧାନ ସଂଗ୍ରହ ହୋଇଛି ।
ଏଥି ସହ ଗତ ବର୍ଷ ଅପେକ୍ଷା ଚଳିତ ଖରିଫରେ ଅଧିକ ୪୬ଟି ସୋସାଇଟିରେ ଧାନ ସଂଗ୍ରହ କରାଯାଇଥିଲା । ଗତବର୍ଷ ୨୮୩୫ଟି ସୋସାଇଟି ମାଧ୍ୟମରେ ଧାନ ସଂଗ୍ରହ ହୋଇଥିବାବେଳେ ଚଳିତ ଖରିଫରେ ୨୮୮୧ ଟି ସୋସାଇଟି ଧାନ ସଂଗ୍ରହ କାର୍ଯ୍ୟରେ ସାମିଲ ହୋଇଥିଲେ । ସେହିପରି ଗତବର୍ଷ ଖରିଫ ଧାନ ସଂଗ୍ରହ ନିମନ୍ତେ ୩୫୪୩ଟି ମଣ୍ଡି ଖୋଲାଯାଇଥିବାବେଳେ ଚଳିତ ବର୍ଷ ୩୮୪୦ଟି ମଣ୍ଡି ଖୋଲା ଯାଇଥିଲା ତାହା ଗତବର୍ଷ ତୁଳନାରେ ୨୯୭ଟି ଅଧିକ ।


Share It

Comments are closed.