ଆଇପିଏଲ ଦ୍ୱିତୀୟ ଭାଗ ଆୟୋଜନକୁ ନେଇ ଚିନ୍ତାରେ ବିସିସିଆଇ, ଖେଳି ନପାରନ୍ତି ଅଧିକାଂଶ ଖେଳାଳୀ


ବିସିସିଆଇ ଜୈବ ସୁରକ୍ଷା ବଳୟ ମଧ୍ୟରେ କରୋନା ପ୍ରବେଶ କରିବାରୁ ୨୯ଟି ମ୍ୟାଚ୍‌ ପରେ ଆଇପିଏଲ୍‌ ସ୍ଥଗିତ ରହିଛି । ଟୁର୍ଣ୍ଣାମେଣ୍ଟକୁ ସମ୍ପୂର୍ଣ୍ଣ କରିବାକୁ ବିସିସିଆଇ ବଦ୍ଧ ପରିକର । ବାକି ମ୍ୟାଚ୍‌ ଗୁଡ଼ିକୁ ୟୁଏଇରେ ଆୟୋଜନ କରିବାକୁ ଯୋଜନା ଚାଲିଛି । ସେପ୍ଟେମ୍ବର/ଅକ୍ଟୋବରକୁ ଉପଯୁକ୍ତ ସମୟ ଭାବେ ନିଆଯାଇଛି । ତେବେ ବାକି ରହିଯାଇଥିବା ମ୍ୟାଚ୍‌ ଗୁଡ଼ିକ ଆୟୋଜନ କରିବାକୁ ହେଲେ ବିସିସିଆଇ ବହୁ ବାଧା ବିଘ୍ନର ସାମ୍ନା କରିବ । ଆଗକୁ ଟି-ଟ୍ୱେଣ୍ଟି ବିଶ୍ୱକପ୍‌, କାରିବିୟନ ପ୍ରିମିୟର ଲିଗ୍‌(ସିପିଏଲ୍‌), ଜୈବ ସୁରକ୍ଷା ବଳୟ ପ୍ରସ୍ତୁତି, ବିଦେଶୀ ଖେଳାଳିଙ୍କ ଉପସ୍ଥିତିକୁ ନେଇ ଅନେକ ସମସ୍ୟାର ସାମ୍ନା କରିବ ବିସିସିଆଇ ।

ଟି-ଟ୍ୱେଣ୍ଟି ବିଶ୍ୱକପ୍‌

ଟି-ଟ୍ୱେଣ୍ଟି ବିଶ୍ୱକପ ଅକ୍ଟୋବର ମଧ୍ୟଭାଗରୁ ଆରମ୍ଭ ହୋଇ ନଭେମ୍ବର ୧୪ରେ ଶେଷ ହେବ । ଭାରତ ନିକଟରେ ଆୟୋଜନ ଅଧିକାର ରହିଛି । ହେଲେ ବର୍ତ୍ତମାନ ଭାରତରେ କରୋନା ମହାମାରୀ ଅଣାୟତ ଥିବାରୁ ୟୁଏଇକୁ ବିଶ୍ୱକପ୍‌ ସ୍ଥାନାନ୍ତର କରାଯିବା ସମ୍ଭାବନା ରହିଛି । ଏପର୍ଯ୍ୟନ୍ତ ଆଇସିସି ଚୂଡ଼ାନ୍ତ ଘୋଷଣା କରିନାହିଁ । ଉଭୟ ଆଇପିଏଲ୍‌ ଓ ବିଶ୍ୱକପ୍‌ ୟୁଏଇରେ ଆୟୋଜନ ହେଲେ ଖେଳାଳିଙ୍କ ଜୈବ ସୁରକ୍ଷା ବଳୟ ପ୍ରସ୍ତୁତି ପାଇଁ ଶୁଭଙ୍କର ହେବ । ହେଲେ ପିଚ୍‌ ପ୍ରସ୍ତୁତ କରିବା ଏକ ପ୍ରକାର ଅସମ୍ଭବ ହୋଇଯିବ । କ୍ରିକେଟ୍‌ ପାଇଁ ୟୁଏଇରେ ୩ଟି ଷ୍ଟାଡିୟମ ଦୁବାଇ, ସାରଜା ଓ ଆବୁଧାବି ରହିଛି । ଏଠାରେ ଆଇପିଏଲ୍‌ର ବାକି ୩୧ଟି ମ୍ୟାଚ୍‌ ଆୟୋଜନ ହେବା ପରେ ବିଶ୍ୱକପ୍‌ ପାଇଁ ପିଚ୍‌ ପ୍ରସ୍ତୁତ କରିବାକୁ ସମୟ ମିଳିବ ନାହିଁ । ଆଇପିଏଲ୍‌ ପାଇଁ ଖେଳାଳିମାନେ ମୁଖ୍ୟତଃ ଦୁବାଇରେ ଅଭ୍ୟାସ କରିବେ ।

ଆଇପିଏଲ୍‌ ଚାଲିଥିବାରୁ ବିଶ୍ୱକପ ପାଇଁ ଖେଳାଳିମାନେ ଅଭ୍ୟାସ କରିବାକୁ ଆବଶ୍ୟକ ସ୍ଥାନ ପାଇବେ ନାହିଁ । ଉଭୟ ଆଇପିଏଲ୍‌ ଓ ବିଶ୍ୱକପ୍‌ ୟୁଏଇରେ ଆୟୋଜନ ହେଲେ ୩ଟି ଷ୍ଟାଡିୟମ୍‌ରେ ମୋଟ୍‌ ମ୍ୟାଚ୍‌ ସଂଖ୍ୟା ୭୬(ଆଇପିଏଲ୍‌ର ୩୧ ମ୍ୟାଚ୍‌ ଓ ବିଶ୍ୱକପ୍‌ର ୪୫ମ୍ୟାଚ୍‌) ରେ ପହଞ୍ଚି ଯିବ । ୩ଟି ଭେନ୍ୟୁରେ ଏତେ ସଂଖ୍ୟକ ମ୍ୟାଚ୍‌ ଆୟୋଜନ କରିବା ବେଳକୁ ପିଚ୍‌ର ଅବସ୍ଥା ରହିବ ନାହିଁ । ବିଶ୍ୱକପ୍‌ର ପ୍ରଥମ ରାଉଣ୍ଡ ମ୍ୟାଚ୍‌ ଗୁଡ଼ିକ ଓମାନରେ ଆୟୋଜନ କରିବାକୁ ଆଇସିସି ଚିନ୍ତା କରୁଛି । ହେଲେ ଏଥିପାଇଁ ୟୁଏଇ ସରକାରଙ୍କ ଅନୁମତି ଆବଶ୍ୟକ । କରୋନା ପାଇଁ ଖେଳାଳିଙ୍କ କ୍ୱାରେଣ୍ଟାଇନ୍‌ କଟକଣା ରହିବ । ଅର୍ଥାତ ବିଶ୍ୱକପ ପାଇଁ ବିଭିନ୍ନ ଦଳ ସେପ୍ଟେମ୍ବର ଅନ୍ତିମ ସପ୍ତାହରୁ ୟୁଏଇ ଆସିବେ । ଫଳରେ ସେମାନଙ୍କ ରହିବା ଓ ଅଭ୍ୟାସ ପାଇଁ ଉପଯୁକ୍ତ ସ୍ଥାନ ରହିବ ନାହିଁ ।

ଅନ୍ୟ ସିରିଜ

ଫ୍ୟୁଚର ଟୁର୍‌ ପ୍ରୋଗ୍ରାମ(ଏଫ୍‌ଟିପି) ଅନୁଯାୟୀ ଦକ୍ଷିଣ ଆଫ୍ରିକା ଦଳ ଭାରତ ଗସ୍ତରେ ଆସି ୩ଟି ଟି-ଟ୍ୱେଣ୍ଟି ଓ ୩ଟି ଦିନିକିଆ ଖେଳିବ । ବିଶ୍ୱକପ୍‌ ପୂର୍ବରୁ ଏହି ସିରିଜ ରହିଛି । ଏହା ବ୍ୟତୀତ ବିଶ୍ୱକପ୍‌ ପୂର୍ବରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ରହିଛି । ଆଇପିଏଲ୍‌ ଆୟୋଜନ ହେଲେ ଉଭୟ ସିରିଜରେ ବ୍ୟାଘାତ ଘଟିବ ।

ସିପିଏଲ୍‌ ସମୟରେ ଆଇପିଏଲ୍‌

କାରିବିୟନ ପ୍ରିମିୟର ଲିଗ୍‌ର ପରବର୍ତ୍ତୀ ସଂସ୍କରଣ ଅଗଷ୍ଟ ୨୮ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୯ରେ ଶେଷ ହେବ । ସେପ୍ଟେମ୍ବରରେ ଆଇପିଏଲ୍‌ ଖେଳାଗଲେ ୱେଷ୍ଟ ଇଣ୍ଡିଜ୍‌ ଖେଳାଳିମାନେ ସିପିଏଲ୍‌ ଅଧାରୁ ଛାଡ଼ି ଆସିପାରିବେ ନାହିଁ । କିରେନ ପୋଲାର୍ଡ, ଆନ୍ଦ୍ରେ ରସେଲ, ସୁନିଲ ନାରାଏନ, କ୍ରିସଗେଲ୍, ନିକୋଲାସ ପୂରନ, ଡ୍ବେନବ୍ରାଭୋ , ସିମରନ ହେତମେୟର, ଫାଫ ଡୁ ପ୍ଲେସି, ଇମ୍ରାନ ତାହିର, କ୍ରିସ ମୋରିସଙ୍କ ଭଳି ଖେଳାଳିମାନେ ଏହି ସମୟରେ ସିପିଏଲ୍‌ ଖେଳୁଥିବେ। ଫଳରେ ଆଇପିଏଲରେ ଏମାନେ ଖେଳିବା କଷ୍ଟକର ହେବ ।

ବିଦେଶୀ ଖେଳାଳିଙ୍କ ଅଭାବ

ସେପ୍ଟେମ୍ବର/ଅକ୍ଟୋବରରେ ଆଇପିଏଲ୍‌ର ବାକି ଅଂଶ ଆୟୋଜନ ହେଲେ ଅନେକ ବିଦେଶୀ ଖେଳାଳିଙ୍କୁ ଦେଖିବାକୁ ମିଳିବ ନାହିଁ । ସିପିଏଲ୍‌ ଯୋଗୁଁ ୱେଷ୍ଟ ଇଣ୍ଡିଜ୍‌ ଖେଳାଳି ଆସିବା କଷ୍ଟକର ହେବ । ସେପଟେ ଇଂଲଣ୍ଡ ଦଳ ଏହି ସମୟରେ ବାଂଲାଦେଶ ଓ ପାକିସ୍ତାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଭାରତ ବିପକ୍ଷ ଟେଷ୍ଟ ସିରିଜ ପରେ ଉଭୟ ଗସ୍ତ କାର୍ଯ୍ୟକ୍ରମ ରହିଛି । ଇଂଲଣ୍ଡର ସମସ୍ତ ପ୍ରମୁଖ ଖେଳାଳି ଆଇପିଏଲ ଖେଳୁଛନ୍ତି ।ଟିଟେଣ୍ଟି ବିଶ୍ବକପ ପୂର୍ବରୁ ସେପ୍ଟେମ୍ବର/ଅକ୍ଟୋବରରେ ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଆଫଗାନିସ୍ତାନ ମଧ୍ୟ ପାକିସ୍ତାନ ବିପକ୍ଷରେ ଏକ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି ।

ସୁରକ୍ଷା ବଳୟ ପ୍ରସ୍ତୁତିରେ ଅସୁବିଧା

ଆଇପିଏଲ୍‌ ପାଇଁ ଜୈବ ସୁରକ୍ଷା ବଳୟ ପ୍ରସ୍ତୁତ କରିବାରେ ବିସିସିଆଇ ଏଥର ଅନେକ ସମସ୍ୟାର ସମ୍ମୁଖୀନ ହେବ । ୨୦୨୦ ଆଇପିଏଲ୍‌ ପୂର୍ବରୁ ଇଂଲଣ୍ଡ, ୱେଷ୍ଟ ଇଣ୍ଡିଜ୍‌, ଅଷ୍ଟ୍ରେଲିଆ ଖେଳାଳିମାନେ ସିଧା ସଳଖ ଏକ ଜୈବ ସୁରକ୍ଷା ବଳୟରୁ ବାହାରି ଆଇପିଏଲ୍‌ ଜୈବ ସୁରକ୍ଷା ବଳୟରେ ପ୍ରବେଶ କରିଥିଲେ । ଫଳରେ ସମସ୍ତ ଖେଳାଳିଙ୍କୁ ୭ଦିନ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିଥିଲା । ଏଥର ପରିସ୍ଥିତି ଜଟିଳ । ଭାରତ ଓ ଅନ୍ୟାନ୍ୟ ଦେଶରେ କରୋନା ସଂକ୍ରମଣ ଭୟାନକ ସ୍ଥିତିରେ ରହିଛି । ତେଣୁ ବିଭିନ୍ନ ସ୍ଥାନରୁ ଖେଳାଳିଙ୍କୁ ଗୋଟିଏ ସ୍ଥାନରେ ଏକତ୍ର କରିବା ପରେ ଜୈବ ସୁରକ୍ଷା ବଳୟରେ ପ୍ରବେଶ କରାଇବାକୁ ସମୟ ଲାଗିବ । ତେବେ ଏସବୁ ୟୁଏଇ ସରକାରଙ୍କ ଅନୁମତି ଉପରେ ନିର୍ଭର କରିବ ।


Share It

Comments are closed.