ଦୁର୍ଘଟଣା ଶିକାର ବ୍ୟକ୍ତିଙ୍କ ୬୨,୧୬୦ଟଙ୍କା ସହିତ ଅନ୍ୟାନ୍ୟ ମୁଲ୍ୟବାନ ଜିନିଷ ଫେରାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ଭୁବନେଶ୍ୱର: ଏମିତି ଅନେକ ନଜିର ରହିଛି ଯେତେବେଳେକି ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ନିଜର ନିଃସ୍ୱାର୍ଥପର ସେବା ଓ ମାନବିକତା ଜରିଆରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏହପରି ଏକ ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲାରେ । ଘଟଣାନୁଯାୟୀ ଗତ ମାର୍ଚ୍ଚ ୨୮ ତାରିଖ ଦିନ ୧୦୮ କଲ୍ ସେଣ୍ଟରକୁ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ଭାଟପୁରରୁ ଏକ ଦୁର୍ଘଟଣା ହୋଇଥିବାନେଇ ଫୋନ କଲ ଆସିଥିଲା । ଖବର ପାଇବା ପରେ ମାତ୍ର ୧୬ ମିନିଟ୍‌ରେ ଡ୍ରାଇଭର ସନ୍ତୋଷ କୁମାର ରୁଗୁଡ଼ା, ଇଏମଟି ଗିରି ଗୋବର୍ଦ୍ଧନ ସାହୁକାର ଏବଂ ସହାୟକ ଏସ କେ ସହିଦ ଅଲ୍ଲି ତୁରନ୍ତ ଆମ୍ବୁଲାନ୍ସ ନେଇ ଘଟଣାସ୍ଥଳରେ ପହଂଚିଥିଲେ । ଏହାପରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଜଣଙ୍କୁ କର୍ମଚାରୀମାନେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ ।
ଦୁର୍ଘଟଣା ସ୍ଥଳରୁ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ନଗଦ ୬୨,୧୬୦ ଟଙ୍କା ସହିତ କିଛି ମୁଲ୍ୟବାନ ଜିନିଷ ମଧ୍ୟ ମିଳିଥିଲା । ତେଣୁ ଆମ୍ବୁଲାନ୍ସ କର୍ମଚାରୀମାନେ ସେମାନଙ୍କ କ୍ଲଷ୍ଟର ଲିଡ଼ର, ଶୁଭ୍ରାଂଶୁ ସେନାପତିଙ୍କୁ ଏଥି ସମ୍ପର୍କରେ ଅବଗତ କରାଇଥିଲେ । କ୍ଲଷ୍ଟର ଲିଡ଼ରଙ୍କ ନିର୍ଦ୍ଦେଶକ୍ରମେ ଆମ୍ବୁଲାନ୍ସ କର୍ମଚାରୀମାନେ ଏଥି ସମ୍ପର୍କରେ ନିକଟସ୍ଥ ପୋଲିସ୍ ଷ୍ଟେସନରେ ଅବଗତ କରାଇଥିଲେ । ଏହାପରେ ରୋଗୀଙ୍କ ଆଧାର କାର୍ଡ଼ ଅନୁଯାୟୀ କ୍ଲଷ୍ଟର ଲିଡ଼ର ରୋଗୀଙ୍କ ସମ୍ପର୍କୀୟଙ୍କୁ ଯୋଗାଯୋଗ କରିଥିଲେ । ଏହା ପରେ ୧୦୮ କର୍ମଚାରୀମାନେ ଦୁର୍ଘଟଣା ପୀଡ଼ିତଙ୍କ ସମ୍ପର୍କିୟଙ୍କୁ ଟଙ୍କା ସହିତ ସମସ୍ତ ସାମଗ୍ରୀ ହସ୍ତାନ୍ତର କରିଦେଇଥିଲେ । ଆମ୍ବୁଲାନ୍ସ କର୍ମୀମାନଙ୍କ ଏଭଳି କାର୍ଯ୍ୟ ଯୋଗୁଁ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଆରମ୍ଭ କରି ୧୦୮ ଆମ୍ବୁଲାନ୍ସର ପ୍ରୋଜେକ୍ଟ ମୁଖ୍ୟଙ୍କ ପକ୍ଷରୁ ଅନେକ ପ୍ରଶଂସା କରାଯାଇଛି ।


Share It

Comments are closed.