କ୍ୟାନ୍ସର ରୋଗୀଙ୍କୁ ରକ୍ତଦାନ କରି ମହାନତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ଭୁବନେଶ୍ୱର: ବ୍ଲଡ କ୍ୟାନ୍ସରରେ ପୀଡ଼ିତ ଜଣେ ଗୁରୁତର ରୋଗୀଙ୍କୁ ରକ୍ତ ଦାନ କରି ମହାନତା ଦେଖାଇଛନ୍ତି ୧୦୮ ଆମ୍ବୁଲାନ୍ସର ଜଣେ କର୍ମଚାରୀ । ଘଟଣାନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଆୟତପୁର ଗ୍ରାମର ସମୀର ନାୟକ (୨୪ବର୍ଷ) ନାମକ ଜଣେ ଯୁବକ ବ୍ଲଡ କ୍ୟାନ୍ସରରେ ପୀଡ଼ିତ ହୋଇ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତେବେ ଚଳିତ ଜାନୁଆରୀ ୨୫ ତାରିଖରେ ରୋଗୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା ଏବଂ ଡାକ୍ତର ତୁରନ୍ତ ତାଙ୍କ ପାଇଁ ଏ’ପଜିଟିଭ ବ୍ଲଡଗ୍ରୁପ ରକ୍ତ ଯୋଗାଡ଼ କରିବାକୁ ପରାମର୍ଶ ଦେଇଥିଲେ । ଭାଗ୍ୟର ବିଡ଼ମ୍ବନା ଯେ ଏହି ସମୟରେ ହସ୍ପିଟାଲ ବ୍ଲଡ ବ୍ୟାଙ୍କରେ ଏହି ବ୍ଲଡ ଗ୍ରୁପର ରକ୍ତ ମଧ୍ୟ ଉପଲବ୍ଧ ନଥିଲା । ତେଣୁ ଏଭଳି ସମୟରେ ରକ୍ତ ଯୋଗାଡ଼ ନକରିପାରି ଉପାୟଶୂନ୍ୟ ହୋଇପଡ଼ିଥିଲେ ରୋଗୀଙ୍କ ସମ୍ପର୍କୀୟ । ଏହି ସମୟରେ ଅନ୍ୟ ଜଣେ ରୋଗୀଙ୍କୁୁ ନେଇ ଏମ୍ସ ଆସିଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ରୋଗୀଙ୍କ ସମ୍ପର୍କୀୟଜଣଙ୍କ ଗୋଟିଏ ୟୁନିଟ ଏ’ପଜିଟିଭ ବ୍ଲଡ ଗ୍ରୁପ ରକ୍ତ ଯୋଗାଡ଼ କରିବା ପାଇଁ ଅନୁରୋଧ କରିଥିଲେ । ସୌଭାଗ୍ୟବସତଃ ଉକ୍ତ ୧୦୮ ଆମ୍ବୁଲାନ୍ସର ଇଏମଟି ରାହୁଲ ବେହେରାଙ୍କ ବ୍ଲଡ ଗ୍ରୁପ ମଧ୍ୟ ଏ’ପଜଟିଭ ଥିଲା । ତେଣୁ ସେ ଆଉ କିଛି ମଧ୍ୟ ଚିନ୍ତା ନକରି ତୁରନ୍ତ ରକ୍ତ ଦେବା ପାଇଁ ଆଗେଇ ଆସିଲେ ଏବଂ ଗୋଟିଏ ୟୁନିଟ ରକ୍ତଦାନ କରି ଆଜି ରୋଗୀଙ୍କ ବହୁମୂଲ୍ୟ ଜୀବନ ବଂଚାଇଦେଇଛନ୍ତି ।


Share It

Comments are closed.