ଦୁବାଇର ତାନସିକ୍‌ କମ୍ପାନିରେ ନିଯୁକ୍ତି ପାଇଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀ


ଭୁବନେଶ୍ୱର, ୧୪ ନଭେମ୍ବର ୨୦୨୩: ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ କମ୍ପାନିରେ ନିଯୁକ୍ତି ସୁଯୋଗ ଦିଆଯାଉଛି। ମଙ୍ଗଳବାର ଦିନ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଦୁବାଇର ତାନସିକ୍‌ କମ୍ପାନି ପକ୍ଷରୁ ହୋଇଥିବା ପ୍ଲେସମେଣ୍ଟ କାର୍ଯ୍ୟକ୍ରମରେ ୨୧ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି। ତା’ଭିତରେ ବିଶ୍ୱ ଦକ୍ଷତା କେନ୍ଦ୍ରର ୧୦ ଜଣ ଅଛନ୍ତି।
ବିଶ୍ୱ ଦକ୍ଷତା କେନ୍ଦ୍ରରେ ହୋଇଥିବା ପ୍ଲେସମେଣ୍ଟ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସରକାରୀ ଆଇଟିଆଇ ଓ ପଲିଟେକନିକ କଲେଜର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ସେମାନଙ୍କ ଭିତରୁ ୧୧ ଜଣଙ୍କୁ ତାନସିକ୍‌ କମ୍ପାନିରେ ନିଯୁକ୍ତି ସୁଯୋଗ ମିଳିଛି। ବିଦେଶରୁ କ୍ୟାରିୟରର ପ୍ରଥମ ଚାକିରି ଆରମ୍ଭ କରୁଥିବାରୁ ସେମାନଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି।
ଏହି ସୁଯୋଗ ପାଇଁ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି।
ଏହି ପ୍ଲେସମେଣ୍ଟ କାର୍ଯ୍ୟକ୍ରମ ଅବସରରେ ତାନସିକ୍‌ କମ୍ପାନିର ନିର୍ଦ୍ଦେଶକ ରାମ କୁମାର ବିଶ୍ୱ ଦକ୍ଷତା କେନ୍ଦ୍ରର ବିଭିନ୍ନ ଅତ୍ୟାଧୁନିକ ଲାବୋରେଟୋରି ବୁଲି ଦେଖିଥିଲେ। ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତାକୁ ଆଉ ଏକ ନୂଆ ଉଚ୍ଚତାକୁ ନେବାରେ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ଏଭଳି ପଦକ୍ଷେପକୁ ସେ ଉଚ୍ଚ ପ୍ରଶଂସା କରିଥିଲେ।
ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୨-୨୩ ବ୍ୟାଚର ଛାତ୍ରଛାତ୍ରୀଙ୍କୁ ଦେଶ ବିଦେଶର ପ୍ରମୁଖ କମ୍ପାନିରେ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀମାନେ ଟାଟା ଷ୍ଟିଲ, ଆର୍ସେଲର ମିତ୍ତଲ, ଆଇଏଚସିଏଲ, ମେଘାଭି ୱେଲନେସ୍‌, ଦୁବାଇର ଏମରିଲ ଗ୍ରୁପ୍‌ ଆଦି କମ୍ପାନିରେ ନିଯୁକ୍ତି ପାଇଛନ୍ତି।


Share It

Comments are closed.