କିମ୍‌ସରେ ବିଶ୍ୱ କିଡ଼ନୀ ଦିବସ ପାଳିତ


ଭୁବନେଶ୍ୱର,୧୪ା୩: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ ସାଇନ୍‍ସେସ୍‍ (କିମ୍‍ସ) ପକ୍ଷରୁ ଆଜି ବିଶ୍ୱ କିଡନୀ ଦିବସ ପାଳିତ ହୋଇଯାଇଛି । କିଡନୀ ରୋଗ ଉପରେରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ କିମ୍‍ସ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଆଜି ସକାଳେ ଅନୁଷ୍ଠିତ ହୋଇଥିଲା । ଏଥିରେ କିଟ୍‌, କିସ୍‌, କିନ୍‌ସ ଏବଂ କିମ୍‌ସର ଶତାଧିକ ଛାତ୍ରଛାତ୍ରୀ, ଡାକ୍ତର, ପ୍ରଫେସର ଏବଂ ହସ୍ପିଟାଲ କର୍ମଚାରୀ ସାମିଲ ହୋଇଥିଲେ ।

ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରୁ କିଡନୀ ବା ବୃକ୍‍କ ଅନ୍ୟତମ । ଏହା ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସନ କରି ସୁସ୍ଥ ରଖିବା କାର୍ଯ୍ୟ କରିଥାଏ । କିନ୍ତୁ ବର୍ତ୍ତମାନର ଜୀବନଶୈଳୀ କିଡନୀ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଉଛି । ଲୋକଙ୍କୁ କିଡନୀ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ଦ୍ୱିତୀୟ ଗୁରୁବାରକୁ ବିଶ୍ୱ କିଡନୀ ଦିବସ ରୂପେ ପାଳନ  କରାଯାଏ । ଚଳିତ ବର୍ଷ ବିଶ୍ୱ କିଡନୀ ଦିବସର ବିଷୟ ବସ୍ତୁ ରହିଛି ‘କିଡନୀ ହେଲଥ୍ ଫର୍ ଅଲ’ ଯାହାର ଅର୍ଥ ସମସ୍ତଙ୍କ ପାଇଁ କିଡନୀ ସ୍ୱାସ୍ଥ୍ୟ ।

ଏହି ଅବସରରେ କିମ୍‌ସ କଲେଜ ଅଧ୍ୟକ୍ଷ/ଡିନ୍ ବ୍ରିଗ୍ ପ୍ରଫେସର (ଡା.) ଅମ୍ବିକା ପ୍ରସାଦ ମହାନ୍ତି ଯୋଗଦେଇ କହିଲେ, କେହି କିଡନୀ ରୋଗରେ ଥରେ ଆକ୍ରାନ୍ତ ହେଲେ ଏଥିରୁ ମୁକ୍ତି ପାଇବା କଷ୍ଟକର । ତେଣୁ  ସମସ୍ତେ ଏଥିପ୍ରତି ସତର୍କ ହେବା ଜରୁରୀ ବୋଲି କହିଥିଲେ । କିମ୍‌ସ ମେଡିକାଲ ଅଧୀକ୍ଷକ ପ୍ରଫେସର ରାମ ଚନ୍ଦ୍ର ଦାସ ଯୋଗଦେଇ ଲୋକମାନେ କିପରୀ କିଡନୀ ରୋଗରେ ଆକ୍ରାନ୍ତ ନ ହେବେ ଏହାର ଚିକିତ୍ସା ପ୍ରଣାଳୀ ସମ୍ବନ୍ଧରେ ସଭିଙ୍କ ମଧ୍ୟରେ ସଚେତନ ବୃଦ୍ଧି କରାଯିବା ନେଇ ଗୁରୁତ୍ୱାରୋପ କରିଥିଲେ ।

ନେଫ୍ରାଲୋଜି ବିଭାଗ ବିଭାଗୀୟ ମୁଖ୍ୟ ଡା. ନିକୁଞ୍ଜ କିଶୋର ରାଉତ କହିଲେ, କିଡନୀ ରୋଗ ଏକ ଗମ୍ଭୀର ରୋଗ । ସମଗ୍ର ବିଶ୍ୱରେ ୮୫୦ ନିୟୁତ ଲୋକ ଏଥିରେ ଆକ୍ରାନ୍ତ । ଏହି ରୋଗ କାରଣରୁ ବାର୍ଷିକ ୩.୧ ନିୟୁତ ଲୋକ ମୃତ୍ୟୁ ମୁଖରେ ପଡ଼ିଥାନ୍ତି । ଠିକ୍ ସମୟରେ ଏହି ରୋଗ ନିରୂପଣ ଏବଂ ଚିକିତ୍ସା ଆବଶ୍ୟକ ବୋଲି କହିଥିଲେ । ଏଥି ସହ କିମ୍‌ସ ହସ୍ପିଟାଲ ନେଫ୍ରୋଲୋଜି ବିଭାଗରେ ପ୍ରଦାନ କରାଯାଉଥିବା ଉନ୍ନତମାନର ଡାୟାଲିସିସ୍ ବ୍ୟବସ୍ଥା ଏବଂ ପ୍ରତିରୋପଣ ଚିକିତ୍ସା ଦ୍ୱାରା ଅନେକ ରୋଗୀ ଉପକୃତ ହୋଇପାରୁଛନ୍ତି । କିଡନୀ ରୋଗ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା  ବିଶ୍ୱ କିଡନୀ ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଥିଲେ ।


Share It

Comments are closed.