ବିରାଟଙ୍କୁ ଶୁଭେଚ୍ଛା କାହିଁକି ଜଣାଇବି? ସାମ୍ବାଦିକଙ୍କ ଏହି ପ୍ରଶ୍ନରେ ହସିଲେ ଶ୍ରୀଲଙ୍କା ଅଧିନାୟକ, ଟ୍ରୋଲ କଲେ କୋହଲିଙ୍କ ଫ୍ୟାନ୍


ଜନ୍ମଦିନରେ ଶତକ ହାସଲ କରିବା ସହ କୋହଲି ନୂଆ ରେକର୍ଡ ନିଜ ନାଁରେ କରିଛନ୍ତି । ଦିନିକିଆରେ ସଚିନଙ୍କ ଶତକ ରେକର୍ଡର ସମକକ୍ଷ ହୋଇଛନ୍ତି ବିରାଟ । ଦିନିକିଆରେ ୪୯ତମ ଶତକ ହାସଲ ପରେ କୋହଲିଙ୍କ ପ୍ରଂଶସାରେ ଶତମୁଖ ବିଶ୍ୱର ଜଣାଶୁଣା କ୍ରିକେଟର । ଏପରିକି କୋହଲିଙ୍କ କୋଟି କୋଟି ପ୍ରଂଶସକ ମଧ୍ୟ ନୂଆ ରେକର୍ଡ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡ଼ିଆରେ ଟ୍ରେଣ୍ଡିଂ ପାଲଟିଛି ବିରାଟଙ୍କ ଶତକ । ଖୋଦ୍ ସଚିନ ମଧ୍ୟ ବିରାଟଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ରେକର୍ଡ ଖୁବଶୀଘ୍ର ଭାଙ୍ଗନ୍ତୁ ବୋଲି କହିଛନ୍ତି । କିନ୍ତୁ ବିରାଟଙ୍କ ଶତକକୁ ନେଇ ଶ୍ରୀଲଙ୍କା ଅଧିନାୟକ କୁଶଲ ମେଣ୍ଡିସ ଅଜବ ବୟାନ ଦେଇଛନ୍ତି । ଯାହାକୁ ନେଇ କୁଶଲଙ୍କୁ ସୋସିଆଲ ମିଡ଼ିଆରେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି କୋହଲିଙ୍କର ଫ୍ୟାନ୍ । ସାମ୍ବାଦିକ ସମ୍ମିଳନୀରେ କୁଶଲଙ୍କୁ ବିରାଟଙ୍କ ୪୯ତମ ଶତକ ବାବଦରେ ଅବଗତ କରାଯିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଚାହୁଁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ ସାମ୍ବାଦିକ । ଏହାର ଉତ୍ତରରେ କୁଶଲ କହିଥିଲେ, ମୁଁ ବିରାଟଙ୍କୁ କାହିଁକି ଶୁଭେଚ୍ଛା ଜଣାଇବି । ଏହା କହିବା ସହ କିଛି ସମୟ ହସିଥିଲେ । ଯାହାର ଭିଡ଼ିଓ କିଛି ସମୟ ମଧ୍ୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ସାଧାରଣତଃ କୌଣସି ଖେଳାଳୀ ନୂଆ ରେକର୍ଡର ଅଧିକାରୀ ହେଲେ ଅନ୍ୟ କ୍ରିକେଟର ତାଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି । କିନ୍ତୁ କୁଶଲ କାହିଁକି ଶୁଭେଚ୍ଛା ଜଣାଇବି ବୋଲି କହି ହସିବା ବିରାଟଙ୍କ ଫ୍ୟାନଙ୍କୁ ଆଘାତ ଦେଇଛି । ଯେଉଁଥିପାଇଁ ଏବେ ସୋସିଆଲ ମିଡ଼ିଆରେ କୁଶଲଙ୍କୁ ଟ୍ରୋଲର ଶିକାର ହେବାକୁ ପଡୁଛି ।

 

ଚଳିତ ବିଶ୍ୱକପରେ ଭାରତ ବିପକ୍ଷରେ ଶ୍ରୀଲଙ୍କା ଶୋଚନୀୟ ପରାଜୟ ବରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୩୫୭ ରନ୍ କରିଥିବା ବେଳେ ଶ୍ରୀଲଙ୍କା ମାତ୍ର ୫୫ ରନରେ ଅଲଆଉଟ ହୋଇଥିଲା । ତେଣୁ ଏହି ପରାଜୟକୁ ଶ୍ରୀଲଙ୍କାର ଅଧିନାୟକ କୁଶଲ ମେଣ୍ଡିସ ବୋଧହୁଏ ହଜମ କରିପାରିନଥିବା କହିଛନ୍ତି କୋହଲିଙ୍କ ଫ୍ୟାନ୍ । ଚଳିତ ବିଶ୍ୱକପରେ ଶ୍ରୀଲଙ୍କା ୭ଟି ମ୍ୟାଚରୁ ୨ଟିରେ ବିଜୟୀ ହୋଇ ସେମିଫାଇନାଲ ରେସରୁ ଏକପ୍ରକାର ବାଦ୍ ପଡି ସାରିଛି । ଏସବୁ ଭିତରେ କୋହଲିଙ୍କର ୪୯ତମ ଶତକ ସେହି ଇଡେନ ଗାର୍ଡେନରୁ ଆସିଛି ଯେଉଁଠି ବିରାଟ ନିଜ କ୍ୟାରିୟରର ପ୍ରଥମ ଦିନିକିଆ ଶତକ ଶ୍ରୀଲଙ୍କା ବିପକ୍ଷରେ ହାସଲ କରିଥିଲେ । ଆଉ ଗୋଟିଏ ଶତକ ହାସଲ କଲେ କୋହଲି ଦିନିକିଆରେ ସର୍ବାଧିକ ଶତକ ହାସଲକାରୀ ଖେଳାଳୀ ଭାବେ ଇତିହାସ ରଚିବେ । ଚଳିତ ବିଶ୍ୱକପରେ କୋହଲି ଏଯାଏଁ ୮ଟି ମ୍ୟାଚରୁ ୨ଟି ଶତକ ଓ ୪ଟି ଅର୍ଦ୍ଧଶତକ ସହ ୫୪୩ ରନ୍ କରିଛନ୍ତି । ଏହାସହ ସର୍ବର୍ାଧିକ ରନ୍ ସଂଗ୍ରହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବିରାଟ । ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ଦମଦାର ପ୍ରଦର୍ଶନ ସହ ଏଯାଏଁ ଅପରାଜେୟ ରହିଛି । ଭାରତ ୮ଟି ମ୍ୟାଚରୁ ୮ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଆସନ୍ତା ୧୨ ତାରିଖରେ ଭାରତ ନିଜର ଶେଷ ଲିଗ୍ ମ୍ୟାଚ୍ ନେଦରଲାଣ୍ଡସ ବିପକ୍ଷରେ ଖେଳିବ ।


Share It

Comments are closed.