ଭାଲେନ୍‌ଟାଇନ୍ସ ଡେ’ ସ୍ୱତନ୍ତ୍ର, ପ୍ରେମର ବାସ୍ତବ ଅର୍ଥ ବୁଝାଇଥାଏ ବୈଗା ଆଦିବାସୀଙ୍କ ପରମ୍ପରା


ବୈଗା ଆଦିବାସୀମାନଙ୍କ ପରିଚୟ ଏକ ସ୍ୱତନ୍ତ୍ର ସମୁଦାୟ ରୂପରେ ହୋଇଥାଏ ଏବଂ ଏମାନେ ମୁଖ୍ୟଧାରା ଦୂରରେ ରହିଥାନ୍ତି । ପଛୁଆ ବର୍ଗ ଭାବେ ପରିଚିତ ଏହି ଆଦିବାସୀମାନଙ୍କ ବୈବାହିକ ପରମ୍ପରା କିନ୍ତୁ ଆଧୁନିକ ସାମାଜିକ ଢାଂଚାଠାରୁ ଯଥେଷ୍ଟ ଉନ୍ନତ ଓ ପରିଷ୍କୃତ । ବୈଗା ଆଦିବାସୀ ସମାଜ ପକ୍ଷରୁ ଯୁବକ-ଯୁବତୀମାନଙ୍କ ପାଇଁ ଏକ ପରିଚୟ ସମ୍ମଳିନୀର ଆୟୋଜନ କରାଯାଇଥିାଏ । ଯେଉଁଟାରେ ଯୁବକ ଓ ଯୁବତୀମାନେ ନିଜ ପସନ୍ଦର ସାଥୀ ନିଜ ବାଛିଥାନ୍ତି ଓ ତାଙ୍କୁ ହିଁ ବିବାହ କରିଥାନ୍ତି । ଅର୍ଥାତ୍ ପ୍ରଥମ ଦେଖାରେ ଯାହାଙ୍କ ସହ ପ୍ରେମ ହୋଇଥାଏ, ତାଙ୍କୁ ନିଜ ଜୀବନସାଥୀ ବାଛିବାର ସ୍ୱାଧୀନତା ସେମାନଙ୍କୁ ମିଳିଥାଏ ।
ଛତିଶଗଡର କବିରଧାମ ଜିଲ୍ଲାରେ ଥିବା ବୈଗା ଆଦିବାସୀ ବହୁଳ ଗ୍ରାମରେ ଏହି ପରମ୍ପରା ଅନେକ ପିଢିରୁ ଚାଲିଆସୁଛି । ଏହି ସମାଜର ଲୋକଙ୍କ ବିଶ୍ୱାସ ରହିଛି ଯେ, ଏହାଦ୍ୱାରା ସେମାନଙ୍କ ଦେବାଦେବୀ ପ୍ରସନ୍ନ ହୋଇଥାନ୍ତି ଓ ବିବାହ ପାଇଁ ପ୍ରେମ ହେବା ନିହାତି ଜରୁରୀ । ବର୍ତମାନ ସମୟରେ ଜିଲ୍ଲାର ପଣ୍ଡରିଆ ବ୍ଲକ୍‌ର ଦୂର୍ଗମ ଅଂଚଳରେ ଥିବା ଦମଗଡ, ବାଂସାଟୋଲା, ଝୁମର ଓ ବାହପାନି ଆଦି ଗ୍ରାମଗୁଡିକରେ ଏହି ପରିଚୟ ସମ୍ମିଳନୀର ଆୟୋଜନ କରାଯାଉଛି । ସମ୍ମିଳନୀରେ ବୈଗା ଯୁବକ ଯୁବତୀମାନେ ରଙ୍ଗବେରଙ୍ଗର ପାରମ୍ପରିକ ପରିଧାନ ପିନ୍ଧିବା ସହ ପାରମ୍ପରିକ ଶୃଙ୍ଗାର କରିଥାନ୍ତି । ସମ୍ମିଳନୀରେ ଦେବାଦେବତାଙ୍କ ସମ୍ମୁଖରେ ଯୁପକଯୁବତୀଙ୍କର ପରିଚୟ କରାଯାଇଥାଏ ଏହାପରେ ପାରମ୍ପରିକ ନୃତ୍ୟ କରି ବୈଗା ଯୁବକଯୁବତୀ ପରସ୍ପରକୁ ପସନ୍ଦ କରିଥାନ୍ତି ଓ ବିବାହ ପାଇଁ ସହମତି ଦେଇଥାନ୍ତି । ଏହାପରେ ପ୍ରେମୀଯୁଗଳଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରାଯାଇଥାଏ । ଯୁବକ-ଯୁବତୀଙ୍କ ଇଚ୍ଛା ସତ୍ୱେ ଘର ଲୋକ ନମାନିବା ସ୍ଥିତିରେ ସେମାନେ ଘରୁ ପଳାଇଯାଇ ବିବାହ କରିବାର ପରମ୍ପରା ମଧ୍ୟ ରହିଛି ।
ବୈଗା ସମାଜର ପ୍ରାନ୍ତୀୟ ଅଧ୍ୟକ୍ଷ ଇତବାରି ମାଛିଆ କହିଛନ୍ତି, ଆଧୁନିକ ସମାଜରେ ପରମ୍ପାର ଲୁପ୍ତ ହେଉଥିବା ବେଳେ ବୈଗା ସମାଜର ଏହି ପରମ୍ପର ସାମାଜିକ ବ୍ୟବହାରର ଶିକ୍ଷା ଦେଇଥାଏ । ବୈଗାମାନଙ୍କର ଏହି ସମ୍ମିଳନୀ ହୋଲି ପର୍ଯ୍ୟନ୍ତ ଚାଲିଥାଏ । ୮ରୁ ୧୦ଟି ଗ୍ରାମର ପ୍ରତିନିଧି ମିଳିତ ଭାବେ ସମ୍ମିଳନୀର ଆୟୋଜନ କରିଥାନ୍ତି । ଏଥିରେ ମଧ୍ୟପ୍ରଦେଶ ଓ ଛତିଶଗଡର ସୀମାବର୍ତୀ ଗ୍ରାମଗୁଡିକର ବୈଗା ଯୁବକ-ଯୁବତୀ ସାମିଲ ହୋଇଥାନ୍ତି ।


Share It

Comments are closed.