ଭୁବନେଶ୍ୱରରେ କେରଳ ପ୍ରତିନିଧିଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଆଲୋଚନା


“ଯୁବ ସଙ୍ଗମ’ କାର୍ଯ୍ୟକ୍ରମ ଅଧୀନରେ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଆୟୋଜିତ”
ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ମ୍ୟାନେଜମେଂଟ୍ ପ୍ରତିଷ୍ଠାନ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଭାରତ ସରକାରଙ୍କ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅଧୀନରେ ଯୁବ ସଙ୍ଗମର ଏକ ଅଂଶ ସ୍ୱରୂପ କେରଳ ପ୍ରତିନିଧିମାନଙ୍କ ଲାଗି ଏକ ତିନି ଦିନିଆ ଭୁବନେଶ୍ୱର ପରିଦର୍ଶନ ଆୟୋଜନ କରାଯାଇଛି । ଭୁବନେଶ୍ୱରରେ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କେରଳ ପ୍ରତିନିଧି ଦଳ ସହ ଆଲୋଚନା କରିଛନ୍ତି । ଏହି ଅବସରରେ କେନ୍ଦ୍ର ବର୍ହିବ୍ୟାପାର ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଭି ମୁରଲୀଧରନ ଏବଂ ଆଇଆଇଏମ୍‌ର ନିର୍ଦ୍ଦେଶକ ମହାଦେଓ ଜୟସ୍ୱାଲ ଉପସ୍ଥିତ ଥିଲେ ।
ଓଡ଼ିଶା-କେରଳ ପ୍ରତିନିଧି ପାଇଁ ଆଇଆଇଏମ୍‌-ସମ୍ବଲପୁର ଓ କେରଳ ପାଇଁ ଏନ୍‌ଆଇଟି-କାଲିକଟ ନୋଡାଲ ପ୍ରତିଷ୍ଠାନ ଭାବେ କାର୍ଯ୍ୟ କରୁଛି ।
ଆଲୋଚନା ବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ଯୁବ ସଙ୍ଗମ ଅଭିଯାନର ମୂଳ ଉଦ୍ଦେଶ୍ୟ ଉପରେ ଗୁରୁତ୍ୱାରୋପ କରିବା ସହ କହିଛନ୍ତି ଯେ, “ଏହି ପରିଦର୍ଶନ କେରଳ ପ୍ରତିନିଧିଙ୍କୁ ନୂଆ ଓ ସମୃଦ୍ଧ ଅନୁଭୂତି ପ୍ରଦାନ କରି ଉଭୟ ରାଜ୍ୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ-ସାଂସ୍କୃତିକ ଭାବ ବିନିମୟକୁ ସୁଦୃଢ଼ କରିବ । ଏଥି ସହିତ ଯୁବବର୍ଗ ଦେଶର ବିବିଧତା ଭିତରେ ଏକତା ବିଷୟରେ ଜ୍ଞାନ ଆହରଣ କରିପାରିବେ ।’’
ସଂସ୍କୃତି, ଐତିହ୍ୟ ଓ ମୂଲ୍ୟବୋଧ ଦୃଷ୍ଟିରୁ କେରଳ ଓ ଓଡ଼ିଶା ଭିତରେ ଥିବା ସମାନତା ଉପରେ ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ ଗୁରୁତ୍ୱାରୋପ କରିବା ସହ କହିଛନ୍ତି ଯେ, “ଏହି କାର୍ଯ୍ୟକ୍ରମ ଜରିଆରେ କେରଳ ପ୍ରତିନିଧି ଦଳ ମୂଲ୍ୟବାନ ଅନୁଭୂତି, ଦୀର୍ଘସ୍ଥାୟୀ ସ୍ମୃତି ଓ ନୂତନ ଜ୍ଞାନ ଆହରଣ କରିଛନ୍ତି ଯାହା ସାରା ଭାରତରେ ନୂତନ ଉତ୍ସାହ ଜାଗ୍ରତ କରିବାରେ ସହାୟକ ହେବ । ଏହା “ଏକ ଭାରତ ଶ୍ରେଷ୍ଠ ଭାରତ’ ଅଭିଯାନର ପ୍ରଭାବକୁ ପ୍ରଦର୍ଶିତ କରୁଛି ।’’
ଏହି ପରିଦର୍ଶନ ସମୟରେ କେରଳ ପ୍ରତିନିଧି ବିଭିନ୍ନ ପ୍ରମୁଖ ସ୍ଥଳ ଯଥା ରାଜ ଭବନ, ପୁରୀ ଜଗନ୍ନାଥ ମନ୍ଦିର, କୋଣାର୍କର ସ୍ୱର୍ଯ୍ୟ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ଏବଂ ଆଇଆଇଟି ଭୁବନେଶ୍ୱର ପରିଦର୍ଶନ କରିଥିଲେ । ସେମାନେ କୃଷି ଭବନ ମଧ୍ୟ ପରିଦର୍ଶନ କରିଥିଲେ ଏବଂ ଓଡ଼ିଶାର ମିଲେଟ ମିସନ ବିଷୟରେ ଅବଗତ ହୋଇଥିଲେ । ଉଲ୍ଲେଖଯୋଗ୍ୟ, ଯୁବ ସଙ୍ଗମ ଅଭିଯାନର ଅଂଶ ସ୍ୱରୂପ ଖୁବଶୀଘ୍ର ଓଡ଼ିଶାର ୪୬ ଜଣ ପ୍ରତିନିଧି କେରଳ ପରିଦର୍ଶନ କରିବେ ।


Share It

Comments are closed.