ଅଲ୍ଟିମେଟ ଖୋ ଖୋ ସିଜନ-୨ରେ ନୈତିକତା ଓ ଶାସନ କମିଟିର ଅଧ୍ୟକ୍ଷ ହେଲେ ଜଷ୍ଟିସ ମୁକୁଲ ମୁଦଗଲ


ଭୁବନେଶ୍ୱର: ଭାରତର ପ୍ରମୁଖ ପ୍ରଫେସନାଲ ଖୋ ଖୋ ଲିଗ, ଅଲ୍ଟିମେଟ ଖୋ ଖୋ ପକ୍ଷରୁ ଜଷ୍ଟିସ ମୁକୁଲ ମୁଦଗଲ (ଅବସରପ୍ରାପ୍ତ)ଙ୍କୁ ସିଜିନ-୨ ପାଇଁ ନୈତିକତା ଓ ଶାସନ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଏହି ରଣନୈତିକ ପଦକ୍ଷେପ କ୍ରୀଡ଼ା କ୍ଷେତ୍ରରେ ନୈତିକ ମାନଦଣ୍ଡ କୁ ପ୍ରୋତ୍ସାହିତ କରିବା ଏବଂ ବିଶ୍ୱସ୍ତରୀୟ ପ୍ରଶାସନିକ ଅଭ୍ୟାସକୁ କାର୍ଯ୍ୟକାରୀ କରିବା ପାଇଁ ଲିଗର ଦୃଢ଼ ପ୍ରତିବଦ୍ଧତାକୁ ସୂଚାଉଛି । ଜଣେ ବିଶିଷ୍ଟ ଆଇନଜୀବୀ ଜଷ୍ଟିସ ମୁଦଗଲ ଲିଗର ପରିଚାଳନା ଢାଂଚାରେ ଅନେକ ଅଭିଜ୍ଞତା ଏବଂ ଦକ୍ଷତା ଆଣିଛନ୍ତି ଏବଂ ଏହାକୁ ଅନ୍ତର୍ଜାତୀୟ ମାନଦଣ୍ଡ ସହିତ ନିରବଚ୍ଛିନ୍ନ ଭାବେ ଯୋଡ଼ିଛନ୍ତି ।

ନୈତିକତା ଏବଂ ଶାସନ କମିଟିର ଅଧ୍ୟକ୍ଷ ଭାବରେ ଜଷ୍ଟିସ ମୁକୁଲ ମୁଦଗଲଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ସୁନିଶ୍ଚିତ କରେ ଯେ ଲିଗ ସ୍ୱଚ୍ଛତା, ଉତରଦାୟିତ୍ୱ ଏବଂ ସଚ୍ଚୋଟତାର ସର୍ବୋଚ୍ଚ ମାନଦଣ୍ଡକୁ ପାଳନ କରିବ । ତାଙ୍କ କାର୍ଯ୍ୟକାଳ ରେ ଶ୍ରେଷ୍ଠ ଆର୍ôଥକ ଅଭ୍ୟାସକୁ ଅନ୍ତର୍ଭୁକ୍ତ କରିବା ଏବଂ ବିଶ୍ୱସ୍ତରୀୟ ମାନଦଣ୍ଡ ସହିତ ସମନ୍ୱିତ ଏକ ପ୍ରଶାସନିକ ଢାଂଚା ବିକଶିତ କରିବା ଉପରେ ସମର୍ପିତ ଧ୍ୟାନ ଦିଆଯିବ, ଯାହା ବୃତିଗତତାର ପ୍ରତୀକ ଭାବରେ ଲିଗର ଖ୍ୟାତିକୁ ଆହୁରି ସୁଦୃଢ଼ କରିବ ।

ଉଲ୍ଲେଖଯୋଗ୍ୟ, ୨୦୧୪ରେ ଇଣ୍ଡିଆନ ପ୍ରିମିୟର ଲିଗରେ ଦୁର୍ନୀତି ଓ ସ୍ପଟ ଫିକ୍ସିଂ ଅଭିଯୋଗର ସ୍ୱାଧୀନ ତଦନ୍ତରେ ସୁପ୍ରିମ କୋର୍ଟ ଙ୍କ ଦ୍ୱାରା ନିଯୁକ୍ତ କମିଟିର ନେତୃତ୍ୱ ନେଇଥିବା ଜଷ୍ଟିସ ମୁଦଗଲ ବର୍ତମାନ ଫିଫାର ଶାସନ ଓ ସମୀକ୍ଷା କମିଟିର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ହକି ଲିଜେଣ୍ଡ, ଅସଲମ ଶେର ଖାନ ଏବଂ ଅର୍ଜୁନ ପୁରସ୍କାର ବିଜେତା ସୁଷମା ଗୋଲୱାଲକରଙ୍କ ସହ ତାଙ୍କର ବିଶିଷ୍ଟ ପୃଷ୍ଠଭୂମି ନୈତିକତା ଏବଂ ଶାସନ କମିଟି (ଇଜିସି) ଉପରେ ବିଶ୍ୱାସ ସୃଷ୍ଟି କରିଛି । ଯାହା ଖେଳ ପାଇଁ ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବା ଏବଂ ଶାସନ, ଦୁର୍ନୀତି ନିବାରଣ, ଡୋପିଂ ବିରୋଧୀ ଏବଂ ଅନ୍ୟାନ୍ୟ ବିଷୟ ଉପରେ ନଜର ରଖିବା ପାଇଁ ଦାୟୀ ରହିବ ।

ନିଜ ନିଯୁକ୍ତି ପ୍ରସଙ୍ଗରେ ମତ ବ୍ୟକ୍ତ କରି ଜଷ୍ଟିସ ମୁକୁଲ ମୁଦଗଲ କହିଛନ୍ତି ଯେ, “ମୁଁ ଅଲଟିମେଟ ଖୋ ଖୋର ନୈତିକ ମାନଦଣ୍ଡ ଏବଂ ପ୍ରଶାସନିକ ପ୍ରୋଟୋକଲର ବିକାଶରେ ସକ୍ରିୟ ଭାବରେ ଯୋଗଦାନ କରିବାକୁ ଚାହୁଁଛି, ଯାହା ନିରପେକ୍ଷ ଖେଳକୁ ବୃଦ୍ଧି କରିବ । ନୀତିଗତ ମାନଦଣ୍ଡ ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବାକୁ ମୁଁ ପ୍ରତିଶ୍ରୁତିବଦ୍ଧ । ଏହା ଏକ ଗତିଶୀଳ ଖେଳ ଯାହାକୁ ନିରପେକ୍ଷ ଖେଳ ଦ୍ୱାରା ଚିହ୍ନିତ କରାଯିବା ଆବଶ୍ୟକ ।”

ଅଲ୍ଟିମେଟ ଖୋ ଖୋ ସିଇଓ ତଥା ଲିଗ୍ କମିଶନର ତେଞ୍ଜିଙ୍ଗ ନିୟୋଗି ଇଜିସି ଗଠନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, “ଆମର ଉଦ୍ଦେଶ୍ୟ ହେଉଛି ସର୍ବୋଚ୍ଚ ସ୍ତରର ସଚ୍ଚୋଟତା ବଜାୟ ରଖି ନିରପେକ୍ଷ ଖେଳ ସୁନିଶ୍ଚିତ କରିବା । ଜଷ୍ଟିସ ମୁକୁଲ ମୁଦଗଲଙ୍କ ଭଳି ଅଭିଜ୍ଞ, ଦାୟିତ୍ୱବାନ ଏବଂ ଉଦ୍ଦେଶ୍ୟମୂଳକ କମିଟି ସଦସ୍ୟଥିବାରୁ ଲିଗ୍ ର ଭବିଷ୍ୟତ ସଫଳତା ଉପରେ ଆମର ପ୍ରବଳ ବିଶ୍ୱାସ ରହିଛି ।”

ଡିସେମ୍ବର ୨୪, ୨୦୨୩ରେ କଟକରେ ଆରମ୍ଭ ହୋଇଥିବା ଅଲ୍ଟିମେଟ ଖୋ ଖୋ ଖୋର ସିଜିନ୍ ୨ ଜାନୁଆରୀ ୧୩, ୨୦୨୪ ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ ଅସାଧାରଣ ପ୍ରତିଭା ଏବଂ ରୋମାଂଚକର ମ୍ୟାଚର ଚମତ୍କାର ପ୍ରଦର୍ଶନ ହେବ । ଚଳିତ ସିଜନରେ ପ୍ରତିଷ୍ଠିତ ଭାରତୀୟ କର୍ପୋରେଟ ସଂସ୍ଥା ଓ କ୍ରୀଡା ନିବେଶକଙ୍କ ମାଲିକାନା ଅଧିନରେ ୬ଟି ଟିମ୍ ସାମିଲ ରହିଛନ୍ତି । ୬ଟି ଦଳ ଗୁଡ଼ିକ ଯେପରିକି, ଓଡିଶା ଜଗର୍ନଟ୍ସ (ଓଡିଶା ସରକାରଙ୍କ ମାଲିକାନାରେ ରହିଛି) ଓ ରାଜସ୍ଥାନ ୱାରିୟର୍ସ (କାପ୍ରି ଗ୍ଲୋବାଲ ଗ୍ରୁପ୍ ମାଲିକାନାରେ ରହିଛି) ବ୍ୟତୀତ ଲିଗ୍ରେ ଥିବା ଅନ୍ୟ ଟିମ୍ଗୁଡିକ ମଧ୍ୟରେ ଚେନ୍ନାଇ କ୍ୱିକ୍ ଗନ୍ସ (କେଏଲ୍ଓ ସ୍ପୋର୍ଟସ୍ ମାଲିକାନାରେ ରହିଛି), ଗୁଜରାଟ ଜିଆଂଟ୍ସ (ଆଦାନି ସ୍ପୋର୍ଟସ୍ଲାଇନ୍ ମାଲିକାନାରେ ରହିଛି), ମୁମ୍ବାଇ ଖିଲାଡିସ୍ (ପୁନିତ ବାଲାନ୍ ଗ୍ରୁପ୍ ମାଲିକାନାରେ ରହିଛି) ଓ ଶେଷ ସଂସ୍କରଣର ରନର୍ସ-ଅପ୍ ତେଲୁଗୁ ୟୋଦ୍ଧାସ୍ (ଜିଏମ୍ଆର୍ ସ୍ପୋର୍ଟସ୍ ମାଲିକାନାରେ ରହିଛି) ଆଦି ସାମିଲ ରହିଛି ।


Share It

Comments are closed.