ତୋଷାଳୀ ମେଳାରେ ଆକର୍ଷଣ ସାଜିଛି ଓଡ଼ିଶାର ଜନଜାତି କଳାକୃତି ଏବଂ ଜିଆଇ ମାନ୍ୟତା ପାଇଥିବା ବିଭିନ୍ନ ହସ୍ତତନ୍ତ ଓ ହସ୍ତଶିଳ୍ପ


ଭୁବନେଶ୍ୱର, ୨୧ ଡିସେମ୍ବର ୨୦୨୩: ଭୁବନେଶ୍ୱର ଜନତା ମଇଦାନରେ ଚାଲିଛି ୧୮ତମ ‘ତୋଷାଳି’ – ଜାତୀୟ ହସ୍ତଶିଳ୍ପ ମେଳା। ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ଏହି ଜାତୀୟ ସ୍ତରୀୟ ମେଳାରେ ସ୍ୱତନ୍ତ୍ର ‘ଥିମ୍‌ ପାଭିଲିୟନ’ ପ୍ରମୁଖ ଆକର୍ଷଣ ପାଲଟିଛି। ଏଠାରେ ଓଡ଼ିଶାର ଜନଜାତି କଳାକୃତି ସହିତ ଜିଆଇ ମାନ୍ୟତା ପାଇଥିବା ବିଭିନ୍ନ ଆକର୍ଷଣୀୟ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଆଦି ପ୍ରଦର୍ଶନ କରାଯାଉଛି।

ତୋଷାଳି ମେଳାରେ କରାଯାଇଥିବା ଏହି ଥିମ୍‌ ପାଭିଲିୟନରେ ମୋଟ ୪ଟି ଷ୍ଟଲ ରହିଛି। ତା’ ଭିତରେ ରହିଛି ସମ୍ବଲପୁରୀ ବାନ୍ଧ ଶାଢ଼ି, ହବସପୁରୀ ଶାଢ଼ି, ଖୋର୍ଦ୍ଧା ଜିଲ୍ଲା ଧଳାପଥରର ପରଦା, ଗୋପାଳପୁରର ପ୍ରସିଦ୍ଧ ରେଶମ ପୋଷାକ, ଓଡ଼ିଶା ଇକତ ଶାଢ଼ି, ଖଣ୍ଡୁଆ ପାଟ, ବମକେଇ ଶାଢ଼ି ଓ ପୋଷାକ ସହିତ କୋଟପାଡ଼ର ବିଭିନ୍ନ ହସ୍ତତନ୍ତ ସାମଗ୍ରୀ।

ସେହିପରି ଅହିଂସା ଉପାୟରେ ଓଡ଼ିଶା ପ୍ରସ୍ତୁତ କରୁଥିବା କରୁଣା ସିଲ୍କ ପାଭିଲିୟନର ଅନନ୍ୟ ଆକର୍ଷଣ ସାଜିଛି। ରେଶମ କୀଟକୁ ନମାରି କିପରି ଆକର୍ଷଣୀୟ ଉତ୍ପାଦ ତିଆରି କରାଯାଉଛି ତା’ର ପୂରା ପ୍ରକ୍ରିୟାକୁ ଏହି ପାଭିଲିୟନରେ ଲାଇଭ୍‌ ଡେମନଷ୍ଟ୍ରେସନ କରାଯାଉଛି। ଏହାକୁ ଲୋକମାନେ ଆଗ୍ରହର ସହ ଦେଖୁଛନ୍ତି ଓ କରୁଣା ସିଲ୍କ ବିଷୟରେ ଜାଣୁଛନ୍ତି।

‘‘ଓଡ଼ିଶାରୁ ଉତ୍ପାଦିତ ଅନେକ ସାମଗ୍ରୀକୁ ଜିଆଇ ମାନ୍ୟତା ମିଳିଛି। ତା’ଭିତରୁ ଜିଆଇ ମାନ୍ୟତା ପାଇଥିବା ୯ଟି ହସ୍ତତନ୍ତ ସାମଗ୍ରୀ ବିଷୟରେ ଲୋକମାନଙ୍କୁ ଜଣାଇବା ପାଇଁ ଚଳିତବର୍ଷ ତୋଷାଳି ମେଳାରେ ଏକ ସ୍ୱତନ୍ତ୍ର ପାଭଲିୟନ କରାଯାଇଛି। ଏଥିରେ ଲୋକମାନେ ଓଡ଼ିଶାର ବୁଣାକାରମାନଙ୍କର ନିଖୁଣ କାରିଗରୀକୁ ଦେଖୁଛନ୍ତି। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଶିଳ୍ପୀ ଓ କାରିଗରମାନେ ଏଥିରେ ସାମିଲ ହେଉଛନ୍ତି। ଫଳରେ ଏହାର କଳେବର ଆହୁରି ବ୍ୟାପକ ହୋଇପାରୁଛି’’, କହିଛନ୍ତି ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶୋଭନକୃଷ୍ଣ ସାହୁ।
ଓଡ଼ିଶାର ଜନଜାତି କଳାକୃତିର ଏକ ସ୍ୱତନ୍ତ୍ରତା ରହିଛି। ତେଣୁ ଏହାକୁ ତୋଷାଳି ମେଳାର ଥିମ୍‌ ପାଭିଲିୟନରେ ସ୍ଥାନ ଦିଆଯାଇଛି। ସେହିପରି ଜିଆଇ ମାନ୍ୟତା ପାଇଥିବା ଓଡ଼ିଶାର ପଥର ଖୋଦେଇ ମୂର୍ତ୍ତି, ପଟ୍ଟଚିତ୍ର ଏବଂ ପିପିଲିର ପ୍ରସିଦ୍ଧ ଚାନ୍ଦୁଆ ଲୋକଙ୍କୁ ଆକର୍ଷିତ କରୁଛି।

‘‘ତୋଷାଳି ମେଳା ପ୍ରତି ଲୋକମାନଙ୍କର ବିଶେଷ ଆକର୍ଷଣ ରହିଛି। ଓଡ଼ିଶା ସହିତ ଅନ୍ୟ ରାଜ୍ୟର ବିଭିନ୍ନ ଉତ୍ପାଦ ଗୋଟିଏ ଛାତ ତଳେ ମିଳୁଥିବାରୁ ଲୋକମାନେ ଏହାକୁ କିଣିବାକୁ ବେଶ୍‌ ଆଗ୍ରହ ଦେଖାଇଥାନ୍ତି। ବୁଣାକାର, କାରିଗର ଏବଂ ଶିଳ୍ପୀମାନଙ୍କୁ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ ଓ ବ୍ୟବସାୟ ପାଇଁ ଏହା ଗୋଟିଏ ଭଲ ପ୍ଲାଟଫର୍ମ ହୋଇପାରିଛି’’, କହିଛନ୍ତି ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ପ୍ରଣତି ଛୋଟରାୟ।

୧୬ତମ ତେଷାଳି ମେଳାରେ ୧୬ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ୧୭ତମ ତୋଷାଳି ମେଳାରେ ୨୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିଲା। ଏଥର ୨୨ କୋଟିରୁ ଅଧକ ଟଙ୍କା ବ୍ୟବସାୟ କରିବାକୁ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।

ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର କଥା କହୁଛି ଜାତୀୟ ହସ୍ତଶିଳ୍ପ ମେଳା ‘ତୋଷାଳି’। ଚଳିତବର୍ଷ ଏହି ମେଳାରେ ୬୦୦ରୁ ଅଧିକ ଷ୍ଟଲ ଖୋଲାଯାଇଛି। ଏଥିରେ ଓଡ଼ିଶାର ୨୦୦ରୁ ଅଧିକ ଶିଳ୍ପୀ ଏବଂ ୧୪୦ରୁ ଅଧିକ ବୁଣାକାର ଭାଗନେଇ ସେମାନଙ୍କ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରି କରୁଛନ୍ତି।

ସେହିପରି ଓଡ଼ିଶା ବାହାରୁ ଆସିଥିବା ୨୫୦ ଜଣ ଶିଳ୍ପୀ ଏବଂ ୫୭ ଜଣ ବୁଣାକାର ତୋଷାଳି ମେଳାରେ ସେମାନଙ୍କ ହାତ ତିଆରି ସାମଗ୍ରୀର ପସରା ଖୋଲିଛନ୍ତି। ଏଥିରେ ବେଙ୍ଗାଳୁରୁ ଓ ବନାରସର ସିଲ୍କ ଶାଢ଼ି, ଆନ୍ଧ୍ରପ୍ରଦେଶର ପୋଚମପାଲି ଶାଢ଼ି, କଶ୍ମୀରର ଉଲ୍‌ ସାଲ, ଛତିଶଗଡ଼ ବସ୍ତରର ଲୁହା କାମ ଏବଂ ଆସାମର ବାଉଁଶ ତିଆରି ସାମଗ୍ରୀ ଆଦିର ଭଲ ଚାହିଦା ରହିଛି।

ତୋଷାଳି ମେଳାରେ ଓଡ଼ିଶାର ବିଭିନ୍ନ କଳା, କାରିଗରିର ଲାଇଭ୍ ଡେମୋ ପ୍ରଦର୍ଶନ କରାଯାଉଛି। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ ଥିବା ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର୍ ଡେଭଲପମେଣ୍ଟ ଅଫ୍ ଆର୍ଟ୍ସ ଆଣ୍ଡ କ୍ରାଫ୍ଟସର (ଏସଆଇଡିଏସି) ୩୦ ଜଣ ପ୍ରଶିକ୍ଷାର୍ଥୀ ମେଳାରେ ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି।

ତୋଷାଳି ମେଳାର ଆଉ ଏକ ଆକର୍ଷଣ ହେଉଛି ଫୁଡ୍‌ କୋର୍ଟ। ୨୫ଟି ଷ୍ଟଲରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ନିଆରା ଖାଦ୍ୟ ସଂସ୍କୃତିର ଝଲକ ଦେଖିବାକୁ ମିଳୁଛି। ଲୋକମାନେ ଏଠାରେ ବିଭିନ୍ନ ପାରମ୍ପରିକ ଓ ଆଧୁନିକ ଖାଦ୍ୟର ମଜା ନେଉଛନ୍ତି।


Share It

Comments are closed.