ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ସୁରକ୍ଷା ପାଚେରୀ ନିର୍ମାଣ କରୁଛି ଟିପିଏସ୍ଓଡିଏଲ୍


ଦକ୍ଷିଣ ଓଡ଼ିଶାର ୮ଜିଲ୍ଲାରେ ୨,୮୦୦ରୁ ଅଧିକ ସୁରକ୍ଷା ପାଚେରୀ ନିର୍ମିତ

ବ୍ରହ୍ମପୁର: କାର୍ଯ୍ୟକ୍ଷେତ୍ର ଓ ସର୍ବସାଧାରଣଙ୍କ ସୁରକ୍ଷା କ୍ଷେତ୍ରକୁ ପ୍ରାଥମିକତା ଦେଇ ଟିପିଏସ୍ଓଡିଏଲ୍ ( ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଚ୍ରିବ୍ୟୁସନ୍ ଲିମିଟେଡ୍) ବିଜୁଳି ଭିତ୍ତିଭୂମି ଚାରିପାଖରେ ସୁରକ୍ଷା ପାଚେରୀ ନିର୍ମାଣ କାର୍ଯ୍ୟ ଜାରି ରଖିଛି । ଯାହାଫଳରେ ସ୍ଥାନୀୟ ଲୋକ ଓ ବୁଲା ପଶୁମାନଙ୍କ କ୍ଷେତ୍ରରେ ବିଜୁଳି ଭିତ୍ତିଭୂମିକୁ ନେଇ ଥିବା ଦୁର୍ଘଟଣା ଆଶଙ୍କା ଦୂର ହେଉଛି । କମ୍ପାନୀ ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ସମୁଦାୟ ୨,୮୦୫ ସୁରକ୍ଷା ପାଚେରୀ ନିର୍ମାଣ କରିଥିବା ବେଳେ ସୁରକ୍ଷା ପାଚେରୀ ନିର୍ମାଣର ଏହି ନିରନ୍ତର ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବ ।

ବିତରଣ ସବଷ୍ଟେସନ ଓ ବିତରଣ ଟ୍ରାନ୍ସଫର୍ମର ଚାରିପାଖରେ ମୁଖ୍ୟତଃ ୨ ପ୍ରକାରର ସୁରକ୍ଷା ପାଚେରୀ ନିର୍ମାଣ କରାଯାଉଛି; ପାରମ୍ପରିକ ପାଚେରୀ ଓ ଫାଇବର ରେନଫୋର୍ସଡ ପଲିମର (ଏଫଆରପି) ପାଚେରୀ । ଗତ ତିନିବର୍ଷ ସହ ଚଳିତ ବର୍ଷକୁ ମିଶାଇ ଟିପିଏସ୍ଓଡିଏଲ୍ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ତଥା ଅନ୍ୟ ସ୍ଥାନରେ ସର୍ବମୋଟ୍ ୨,୮୦୫ ସୁରକ୍ଷା ପାଚେରୀ ନିର୍ମାଣ କରିଛି । ତନ୍ମଧ୍ୟରୁ ୨୦୨୨ରେ ୮୦୭ ସୁରକ୍ଷା ପାଚେରୀ ନିର୍ମାଣ କରାଯାଇଥିବା ବେଳେ ୨୦୨୩ ଆର୍ଥିକ ବର୍ଷରେ ୯୬୦ ଓ ୨୦୨୪ ଆର୍ଥିକ ବର୍ଷରେ ୯୯୮ ସୁରକ୍ଷା ପାଚେରୀ ନିର୍ମାଣ ହୋଇଛି ।

ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ, “ଉପଭୋକ୍ତା ସଂପ୍ରଦାୟଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଆମର ମୌଳିକ ଦାୟିତ୍ୱ ଅଟେ । ସୁରକ୍ଷା ପାଚେରୀ ନିର୍ମାଣ ନେଇ କମ୍ପାନୀ ପ୍ରତିବଦ୍ଧ ରହିଛି । ଦକ୍ଷିଣ ଓଡ଼ିଶାରେ ବିଜୁଳି ସୁରକ୍ଷା କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟରେ ଟିପିଏସ୍ଓଡିଏଲ୍ ନିଜର କ୍ରମାଗତ ପ୍ରୟାସ ଜାରି ରଖିଛି । ସର୍ବସାଧାରଣ ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ବିଜୁଳି ଭିତ୍ତିଭୂମିଗୁଡ଼ିକୁ ସୁରକ୍ଷିତ କରାଯାଉଛି ।“

ବ୍ରହ୍ମପୁର ସହରକୁ ଏକ ସୁରକ୍ଷିତ ବିଜୁଳି କ୍ଷେତ୍ର ଭାବେ ବିକଶିତ କରିବା ନେଇ ଟିପିଏସ୍ଓଡିଏଲର ଉଦ୍ୟମ ଜାରି ରହିଛି । ବିଜୁଳି ଭିତ୍ତିଭୂମିକୁ ନେଇ ଥିବା ଦୁର୍ଘଟଣା ଆଶଙ୍କାକୁ କମ୍ କରିବା ଉଦ୍ଦେଶ୍ୟରେ କମ୍ପାନୀ ସହରର ବିଭିନ୍ନ ସ୍ଥାନରେ ଥିବା ୩୮୪ ବିଜୁଳି ଭିତ୍ତିଭୂମିର ଚାରିପାଖରେ ସୁରକ୍ଷା ପାଚେରୀ ନିର୍ମାଣ କରିଛି ।

କମ୍ପାନୀ ନିଜର ୬ଟି ସର୍କଲ ତଥା ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲା; ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ ଓ ବୌଦ୍ଧରେ ଏହି ପାଚେରୀ ନିର୍ମାଣ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର ସର୍କଲରେ ୮୬୬ଟି, ଆସିକା ସର୍କଲରେ ୪୦୮ଟି, ଭଞ୍ଜନଗରରେ ୪୫୭ଟି, ରାୟଗଡ଼ାରେ ୩୬୧ଟି ଓ ଜୟପୁରରେ ୩୨୯ଟି ସୁରକ୍ଷା ପାଚେରୀ ନିର୍ମାଣ କରାଯାଇଛି ।


Share It

Comments are closed.