ଧାର୍ଯ୍ୟ ସମୟ ମଧ୍ୟରେ ବିଦ୍ୟୁତ ବିଲ୍ ପୈଠ କରିଥିବା ଉପଭୋକ୍ତାଙ୍କୁ ପୁରସ୍କୃତ କଲା ଟିପିସିଓଡିଏଲ


ଡିଜିଟାଲ୍ ପେମେଂଟ୍‌କୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାହକଙ୍କୁ ପୁରସ୍କୃତ କରିବା ପାଇଁ ଅଭିନବ ଅଭିଯାନ
ଭୁବନେଶ୍ୱରର ୫୬ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ପୁରସ୍କାର
ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ର୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ଦ୍ୱାରା ମେଗା ‘ବିଲ୍ ପେ ଆଣ୍ଡ ୱିନ୍ ସ୍କିମ୍‌’ ର ବିଜେତାଙ୍କୁ ପୁରସ୍କାର କରାଯାଇଛି । ଧାର୍ଯ୍ୟ ସମୟ ମଧ୍ୟରେ ବିଦ୍ୟୁତ ବିଲ ପୈଠ କରିଥିବା ୫୬ ଭାଗ୍ୟଶାଳୀ ଉପଭୋକ୍ତାଙ୍କୁ ପୁରସ୍କୃତ ଭାବେ ମୋବାଇଲ ଫୋନ ଟିପିସିଓଡିଏଲ ପକ୍ଷରୁ ପ୍ରଦାନ କରାଯାଇଛି । ପୂର୍ବ ଯୋଜନାଗୁଡ଼ିକରେ ଗ୍ରାହକଙ୍କଠାରୁ ମିଳିଥିବା ଅଭୂତପୂର୍ବ ପ୍ରତିକ୍ରିୟାକୁ ଆଧାର କରି ଟିପିସିଓଡିଏଲ୍ ପୁଣି ଥରେ ଭାଗ୍ୟଶାଳୀ ବିଜେତାମାନଙ୍କୁ ପୁରସ୍କୃତ କରିଛି । ଯେଉଁ ଗ୍ରାହକମାନେ ଠିକ୍ ସମୟରେ ବିଲ୍ ପୈଠ କରିବା ପାଇଁ ଆନ୍ତରିକ ପ୍ରୟାସ କରିଛନ୍ତି ଏବଂ ସେମାନଙ୍କର କୌଣସି ବକେୟା ନାହିଁ ସେଭଳି ଗ୍ରାହକଙ୍କୁ ପୁରସ୍କୃତ କରିବା ଏହି ଅଭିଯାନର ଲକ୍ଷ୍ୟ । ଏହି ଯୋଜନା ଲାଗି ଯୋଗ୍ୟତା ଅର୍ଜନ କରିବା ପାଇଁ ଗ୍ରାହକମାନଙ୍କୁ ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ଶୂନ-ବକେୟା ସ୍ଥିତି ବଜାୟ ରଖିବାକୁ ପଡିବ କିମ୍ବା ଡିଜିଟାଲ ମାଧ୍ୟମରେ ଦେୟ ଦେବାକୁ ପଡିବ ଯାହା ସେମାନଙ୍କୁ ଲକି ଡ୍ର ମାଧ୍ୟମରେ ୪୦୦ ମୋବାଇଲ ଫୋନ୍ ଏବଂ କୁକ୍‌ୱେର ସେଟ୍‌ର ପୁରସ୍କାର ମଧ୍ୟରୁ ଗୋଟିଏ ଜିତିବାର ସୁଯୋଗ ପ୍ରଦାନ କରାଯିବ । ଠିକ୍ ସମୟରେ ଓ ଡିଜିଟାଲ ମାଧ୍ୟମରେ ବିଲ୍ ପୈଠ କଲେ ଗ୍ରାହକଙ୍କୁ ୪ ପ୍ରତିଶତ ଡିଜିଟାଲ ରିହାତି ଓ ୟୁନିଟ୍ ପିଛା ୧୦ ପଇସା ପ୍ରମ୍ପ୍‌ଟ ପେମେଂଟ୍ ରିହାତି ମିଳିବ ।
ପୂର୍ବ ଯୋଜନାରେ ଚୟନ ହୋଇଥିବା ଭାଗ୍ୟଶାଳୀ ବିଜେତାମାନଙ୍କୁ ଟିପିସିଓଡିଏଲ୍ ୪୦୦ ମୋବାଇଲ୍ ଫୋନ୍ ବଂଟନ କରିଥିଲା ।
ଟିପିସିଓଡିଏଲର ସିଇଓ ଅରବିନ୍ଦ ସିଂହ ବ୍ୟକ୍ତିଗତ ଭାବେ ଭୁବନେଶ୍ୱରର ୫୬ ଜଣ ଭାଗ୍ୟବାନ ବିଜେତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ତାଙ୍କ ଅଭିଭାଷଣରେ ସେ କହିଛନ୍ତି ଯେ, “ଟିପିସିଓଡିଏଲ୍ ସମସ୍ତ ବିଜେତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଡିଜିଟାଲ ପେମେଂଟ୍ ଜରିଆରେ ନିଷ୍ଠାର ସହ ବିଦ୍ୟୁତ ବିଲ୍ ପରିଚାଳନା କରୁଥିବା ଗ୍ରାହକମାନଙ୍କ ପାଇଁ ଏହି ପୁରସ୍କାର ଏକ ସ୍ୱୀକୃତି ଏବଂ ପ୍ରଶଂସାର ପ୍ରତୀକ । ଗ୍ରାହକମାନଙ୍କୁ ସଶକ୍ତ କରିବା ଏବଂ ସମୟାନୁବର୍ତ୍ତୀ ଦେୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବାରେ ଆମର ପ୍ରତିବଦ୍ଧତା ଅତୁଟ ରହିଛି । ଏହା ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ପାଇବାର ସୁଯୋଗ ପ୍ରଦାନ କରୁଛି ।’’
\”ମେଗା ବିଲ୍ ପେ ଆଣ୍ଡ୍ ୱିନ୍ ସ୍କିମ୍‌’ ସମ୍ପର୍କରେ ଅତିରିକ୍ତ ସୂଚନା ପାଇଁ ଗ୍ରାହକମାନଙ୍କୁ ୧୯୧୨ କିମ୍ବା ୧୮୦୦-୩୪୫-୭୧୨୨ରେ ଟିପିସିଓଡିଏଲ୍ ସହିତ ଯୋଗାଯୋଗ କରିବାକୁ ଉତ୍ସାହିତ କରାଯାଉଛି । ଟିପିସିଓଡିଏଲ୍ ସମସ୍ତ ଗ୍ରାହକଙ୍କୁ ୨୦୨୪ ମାର୍ଚ୍ଚରେ ଚାଲିଥିବା ଏହି ଯୋଜନାରେ ଅଂଶଗ୍ରହଣ କରିବା ପାଇଁ ସାଦର ଆମନ୍ତ୍ରଣ କରୁଛି ଯାହା ସେମାନଙ୍କୁ ଏକ ନୂତନ ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ପ୍ରଦାନ କରୁଛି ।


Share It

Comments are closed.