ଟିପିସିଓଡିଏଲ୍‌ର ପକ୍ଷରୁ ସଫଳ ରକ୍ତଦାନ ଶିବିର ଆୟୋଜିତ


ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ମିସନ ଜୀବନ କାର୍ଯ୍ୟକ୍ରମ ଅଧୀନରେ ଏହାର କାର୍ଯ୍ୟକ୍ଷେତ୍ର ଅଞ୍ଚଳରେ ଏକାଧିକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରଗୁଡ଼ିକ ଟିପିସିଓଡିଏଲ୍ ଏବଂ ଏହାର ସ୍ୱେଚ୍ଛାସେବୀମାନଙ୍କର ସମାଜ ସେବା ଏବଂ ସମାଜ ପ୍ରତି ପ୍ରତିବଦ୍ଧତା ଉପରେ ଆଲୋକପାତ କରୁଛି ।

ପ୍ରବଳ ଗରମ ସତ୍ତ୍ୱେ ସ୍ୱେଚ୍ଛାସେବୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ପ୍ରତ୍ୟେକ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ସେମାନଙ୍କ ଅଂଶଗ୍ରହଣ ଜୀବନ ବଞ୍ଚାଇବା ଦିଗରେ ସାମୂହିକ ଭାବନା ଓ ସମର୍ପଣର ଦୃଢ ପ୍ରମାଣ ।

ବିଶ୍ୱ ଥାଲାସେମିଆ ଦିବସ ଅବସରରେ ଓଡ଼ିଶା ବ୍ଲଡ଼ ସେଣ୍ଟର ଓ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଟିପିସିଓଡିଏଲ୍ ପକ୍ଷରୁ ପୁରୀ ବିଦ୍ୟୁତ ଡିଭିଜନରେ ଏକ ବଡ଼ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ସେଥିରେ କର୍ମଚାରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରି ସମାଜ କଲ୍ୟାଣ ପ୍ରତି ସେମାନଙ୍କର ସମର୍ପଣକୁ ଦୋହରାଇଥିଲେ ।
ଏଥିସହ ନୟାଗଡ଼ ଜିଲ୍ଲା ରକ୍ତଭଣ୍ଡାର ସହଯୋଗରେ ନୟାଗଡ଼ ବିଦ୍ୟୁତ ଡିଭିଜନରେ ଏକ ଶିବିର ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରମାକାନ୍ତ ପଣ୍ଡା ଓ ନୟାଗଡ଼ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ଅଜୟ କୁମାର ବାହିନୀପତି ଉଦଘାଟନ କରିଥିଲେ । ଶିବିରର ସଫଳତାରେ ସେମାନଙ୍କ ଉପସ୍ଥିତି ଓ ସମର୍ଥନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।

ଟିପିସିଓଡିଏଲ୍ ମଧ୍ୟ ଭାରତୀୟ ରେଡକ୍ରସ୍ ସୋସାଇଟି ସହ ମିଶି ସାଲେପୁର ଓ କଟକ ବିଦ୍ୟୁତ ଡିଭିଜନରେ ରକ୍ତଦାନ ଶିବିର ଆୟୋଜନ କରିଥିଲା । ପ୍ରବଳ ଗରମ ସତ୍ତ୍ୱେ ଦଳର ଉତ୍ସାହ ଓ ଅଂଶଗ୍ରହଣ ପ୍ରଶଂସନୀୟ ଥିଲା । ସେହିଭଳି ମାର୍ଶାଘାଇରେ କର୍ମଚାରୀଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା, ଯାହା ଗୋଷ୍ଠୀ ସେବା ପ୍ରତି ସେମାନଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା । ନିମାପଡ଼ା ଡିଭିଜନରେ ଅନ୍ୟ ଏକ ଶିବିର ଆୟୋଜନ କରାଯାଇଥିଲା, ଯେଉଁଥିରେ କର୍ମଚାରୀମାନେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ସାହସିକତାର ସହ ସାମ୍ନା କରି ରକ୍ତଦାନ କରିଥିଲେ ଏବଂ ଏହି କାର୍ଯ୍ୟ ପ୍ରତି ସେମାନଙ୍କର ଅତୁଟ ସମର୍ପଣ ପ୍ରଦର୍ଶନ କରିଥିଲେ ।

ମାର୍ଶାଘାଇରେ ୩୬ ଜଣ, ସାଲେପୁରରେ ୫୦ ଜଣ, ସିଡିଡି-୧ରେ ୪୫ ଜଣ, ନିମାପଡ଼ାରେ ୬୨ ଜଣ, ପୁରୀରେ ୫୨ ଜଣ ଓ ନୟାଗଡ଼ରେ ୬୨ ଜଣ ରକ୍ତଦାତାଙ୍କ ସହ ମୋଟ ୩୦୭ ଜଣ ରକ୍ତଦାନ କରିଥିଲେ ।

ଟିପିସିଓଡିଏଲର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ସମାଜ ପ୍ରତି ଆମ ଦଳର ଅତୁଟ ପ୍ରତିବଦ୍ଧତାକୁ ନେଇ ଆମେ ଗର୍ବିତ । ଆହ୍ୱାନପୂର୍ଣ୍ଣ ପାଗ ସତ୍ତ୍ୱେ ଆମର ରକ୍ତଦାନ ଶିବିରରେ ଅତ୍ୟଧିକ ଅଂଶଗ୍ରହଣ, ଜୀବନ ବଞ୍ଚାଇବା ଏବଂ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆମ କର୍ମଚାରୀଙ୍କ ସମର୍ପଣକୁ ପ୍ରତିଫଳିତ କରୁଛି । ଦାନ କରାଯାଇଥିବା ପ୍ରତ୍ୟେକ ବୁନ୍ଦା ରକ୍ତ ଆମର ସାମୂହିକ କରୁଣା ଓ ସେବା ଭାବନାର ପ୍ରମାଣ ।’’


Share It

Comments are closed.