ଆଉ ୯ଦିନ ପରେ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା


ମହାପ୍ରଭୁଙ୍କ ଦେବସ୍ନାନ ନୀତିକୁ ସୁପରିଚାଳନା କରିବାକୁ ସୋମବାର ଏସ୍‌ପି କେ ବିଶାଳ ସିଂହ ଶ୍ରୀମନ୍ଦିରର ୪ଟି ସେବାୟତ ନିଯୋଗ ସହ ଆଲୋଚନା କରିଥିଲେ । ସ୍ନାନପୂର୍ଣ୍ଣିମା ଦିନ ସୁରକ୍ଷା ବ୍ୟବସ୍ଥାରେ ଶ୍ରୀମନ୍ଦିର ଚୌହଦିକୁ ବ୍ୟାରିକେଡ୍‌ କରି ସିଲ କରିବାକୁ ନିଷ୍ପତ୍ତି ହୋଇଛି । ବ୍ୟାରିକେଡରେ ପୁଲିସ ଫୋର୍ସ ଜଗିବେ । ଏଭଳି ପରିସ୍ଥିତିରେ ସେବାୟତମାନେ କିଭଳି ପ୍ରବେଶ କରିବେ ବୋଲି ସଭାରେ ପ୍ରଶ୍ନ କରିଥିଲେ । ଶ୍ରୀମନ୍ଦିରର ସମସ୍ତ ସେବାୟତଙ୍କୁ ପରିଚୟପତ୍ର ମିଳିନି । ବ୍ୟାରିକେଡ୍‌ ପ୍ରବେଶ ପୂର୍ବରୁ ପୁଲିସ ସେବାୟତଙ୍କୁ ହଇରାଣ କରିବା ନେଇ ସଭାରେ ଆଶଙ୍କା ପ୍ରକାଶ ପାଇଥିଲା ।

ଏହାର ପ୍ରତିକାର ପାଇଁ ସ୍ନାନପୂଣ୍ଣିର୍ମା ନିମନ୍ତେ ସ୍ୱତନ୍ତ୍ର ପାସ ବ୍ୟବସ୍ଥା କରିବାକୁ ସେବାୟତମାନେ ପ୍ରସ୍ତାବ ଦେଇଥିଲେ । ସେବାୟତଙ୍କୁ ସୂଚନା ଦିଆଯାଇଥିଲା ପାଳିଆ ସେବାୟତ ଓ ଅନ୍ୟ ସେବାୟତଙ୍କୁ ଭିନ୍ନ ଭିନ୍ନ ପାସ ଦିଆଯିବ । ସ୍ନାନବେଦିରେ ସେବା କରିବାକୁ ଯାଉଥିବା ପାଳିଆ ସେବାୟତଙ୍କୁ ସ୍ୱତନ୍ତ୍ର ପାସ ଦିଆଯିବ । ଅନ୍ୟପକ୍ଷରେ ଭିତର ବେଢ଼ା ପରିକ୍ରମା କରିବା ସେବାୟତଙ୍କୁ ଭିନ୍ନ ପାସ ଦିଆଯିବ । ସଭାରେ ଆଶ୍ୱାସନା ମିଳିଥିଲା ଏହି ପାସକୁ ଦେଖାଇ ପୁଲିସ ବ୍ୟାରିକେଡ୍‌ ଓ ଶ୍ରୀମନ୍ଦିର ଚାରି ଦ୍ୱାର ପ୍ରବେଶ କରି ପାରିବେ ସେବାୟତ ।

ସ୍ନାନବେଦିକୁ କେବଳ ପାସଧାରୀ ପାଳିଆ ସେବାୟତଙ୍କୁ ପ୍ରବେଶ ଅନୁମତି ମିଳିବ ବୋଲି ପୁଲିସ ପ୍ରଶାସନ ସ୍ୱଷ୍ଟ କରିଥିଲା । ସଭାରେ ସ୍ୱାସ୍ଥ୍ୟ କାର୍ଡ ଦେଖାଇ ପ୍ରବେଶ କରିବାକୁ ପ୍ରଶାସନର ପ୍ରସ୍ତାବକୁ ସେବାୟତ ଅଗ୍ରାହ୍ୟ କରି ଦେଇଥିଲେ । କାରଣ ସମସ୍ତ ସେବାୟତଙ୍କୁ ସ୍ୱାସ୍ଥ୍ୟ କାର୍ଡ ମିଳିନି ଏବଂ ସ୍ୱାସ୍ଥ୍ୟ କାର୍ଡକୁ ହଜିଯିବା ନେଇ ସେବାୟତମାନେ ଆଶଙ୍କା ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ସ୍ନାନପୂର୍ଣ୍ଣିମାରେ ନୂତନ କରି ସେବା ଆରମ୍ଭ କରିବାକୁ ଥିବା ପ୍ରତିହାରୀ ଓ ସୁପକାର ସେବକଙ୍କ ଦେଉଳ ପ୍ରବେଶ ନେଇ ପ୍ରଶାସନ ବର୍ତ୍ତମାନ ସୁଦ୍ଧା କୌଣସି ନିର୍ଦ୍ଧାରଣ ଘୋଷଣା କରି ନଥିବାରୁ ଏମାନଙ୍କ ଦେଉଳ ପ୍ରବେଶ ଏବଂ ସେବା ସମ୍ପାଦନ ନେଇ ସେବାୟତ ପ୍ରଶ୍ନ ଉଠାଇଛନ୍ତି ।

ପରମ୍ପରା ମୁତାବକ ବ୍ରତୋପନୟନ ପରେ ପ୍ରତିହାରୀ ସେବକ ସ୍ନାନପୂର୍ଣ୍ଣିମା ଦିନ ସ୍ନାନବେଦିର ୧୬ ଖୁଣ୍ଟକୁ ପ୍ରହରା ଦେଇ ଶ୍ରୀମନ୍ଦିରରେ ସେବା ଅନୁକୂଳ କରିବେ। ଏହି ସବୁ ବର୍ଗର ସେବାୟତମାନଙ୍କ ବୟସ ୧୪ ବର୍ଷରୁ କମ । କୋଭିଡ୍‌ ଗାଇଡ୍‌ ଲାଇନ ମୁତାବକ ୧୪ ବର୍ଷର କମ ବୟସ୍କ ଲୋକଙ୍କୁ ଟିକାକରଣ ବ୍ୟବସ୍ଥା ନାହିଁ । ତେଣୁ ୧୪ ବର୍ଷ ବୟସ ବର୍ଗରେ ବ୍ରତ ସରିଥିବା ପାଖାପାଖି ୧୦୦ ଯୁବ ସେବାୟତଙ୍କ ଦେଉଳ ପ୍ରବେଶ ଓ ସେବାରମ୍ଭ ପାଇଁ ପ୍ରଶାସନ ତାର ଆଭିମୁଖ୍ୟ ସ୍ୱଷ୍ଟ କରିବାକୁ ସେବାୟତମାନେ ଦାବି କରିଛନ୍ତି । ଏମାନେ ଥର୍ମାଲ ସ୍କ୍ରିନିଂ କରି ଦେଉଳ ପ୍ରବେଶ କରିବା ସହ ସେବା ଅନୁକୂଳ କରି ପାରିବେ ବୋଲି ପ୍ରଶାସନରୁ ଆଶ୍ୱାସନା ମିଳିଥିବାର ଖବର ମିଳିଛି । ବୈଠକରେ ପ୍ରତିହାରୀ, ଗରାବଡୁ, ସୁଆର ମହାସୁଆର, ଖୁଣ୍ଟିଆ ସେବକ ପ୍ରତିନିଧିମାନେ ବିଚାରବିମର୍ଶରେ ଭାଗ ନେଇଥିଲେ । ଏହାପରେ ଏସପି ସ୍ନାନମଣ୍ଡପ ସ୍ଥିତି ଯାଞ୍ଚ କରିଥିଲେ ।

ସୂଚନାଯୋଗ୍ୟ ଏବେ ସ୍ନାନମଣ୍ଡପର ମରାମତି କରୁଛି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) । ସ୍ନାନବେଦିରେ ନଷ୍ଟ ହୋଇଥିବା ଚଟାଣ ପଥରକୁ ବଦଳା ଯାଉଛି । ତିନି ଇଞ୍ଚ ମୋଟାର ପାଖାପାଖି ୫୫ଟି ପଥର ତିନି ଦିନ ମଧ୍ୟରେ ବଦଳା ଯାଇଛି ।


Share It

Comments are closed.