୬-୧୨ ବର୍ଷ ପିଲାଙ୍କ ଉପରେ କୋଭାକ୍ସିନର କ୍ଲିନିକାଲ ଟ୍ରାଏଲ ପାଇଁ ସ୍କ୍ରିନିଂ କାଲିଠୁ ଆରମ୍ଭ


କରୋନା ଲଢ଼େଇ ପାଇଁ ଭାରତରେ ପ୍ରସ୍ତୁତ କୋଭିଡ-୧୯ ଭ୍ୟାକସିନ୍‌ ଭାରତ ବାୟୋଟେକର କୋଭାକ୍ସିନ୍‌ର କ୍ଲିନିକାଲ୍‌ ଟ୍ରାଏଲ୍‌ ପାଇଁ ୬-୧୨ ବର୍ଷୀୟ ପିଲାମାନଙ୍କର ସ୍କ୍ରିନିଂ ମଙ୍ଗଳବାରଠୁ ଆରମ୍ଭ ହେବ। ମିଳିଥିବା ସୂଚନା ଅନୁସାରେ ୧୨-୧୮ ବର୍ଷୀୟ ପିଲାମାନଙ୍କ ଉପରେ କୋଭାକ୍ସିନ୍‌ର କ୍ଲିନିକାଲ୍‌ ଟ୍ରାଏଲ ପାଇଁ ସ୍କ୍ରିନିଂ ପ୍ରକ୍ରିୟା ଶେଷ ହୋଇଛି। ସେମାନଙ୍କୁ ଏବେ ଟିକାର ସିଙ୍ଗଲ୍‌ ଡୋଜ୍‌ ଦିଆଯାଇଛି।

୬-୧୨ ବର୍ଷୀୟ ପିଲାଙ୍କ ପରେ ଦିଲ୍ଲୀ ଏମ୍ସ ୨-୬ ବର୍ଷୀୟ ପିଲାଙ୍କ ଠାରେ ଟିକା ଟ୍ରାଏଲ୍‌ କରିବାକୁ ଯୋଜନା ରଖିଛି। ଏହି ଟ୍ରାଏଲ୍‌ ୫୨୫ କେନ୍ଦ୍ରରେ ହେଉଛି। ପାଟନା ଏମ୍ସ, ମୈସୁର ମେଡିକାଲ୍‌ କଲେଜ ଏବଂ କର୍ଣ୍ଣାଟକର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌କୁ ମଧ୍ୟ ଟ୍ରାଏଲ୍‌ ପାଇଁ ଚୟନ କରାଯାଇଛି। ପାଟନା ଏମ୍ସର ନିର୍ଦେଶକ ପ୍ରଭାବ କୁମାର ସିଂହ କହିଛନ୍ତି, ୬-୧୨ ବର୍ଷୀୟ ପିଲାମାନଙ୍କୁ ଚୟନ ଆରମ୍ଭ କରିଛୁ। ୧୨-୧୮ ବର୍ଷୀୟ ପିଲାଙ୍କ ଠାରେ ହେବାକୁଥିବା କ୍ଲିନିକାଲ୍‌ ଟ୍ରାଏଲ ପାଇଁ ଭର୍ତ୍ତି ବନ୍ଦ କରାଯାଇଛି। ଏବେ ସେମାନଙ୍କୁ ନଜରରେ ରଖାଯାଇଛି।

ସେପଟେ ଦେଶରେ ଜୋର ସୋରରେ ଟିକାକରଣ ଅଭିଯାନ ଚାଲିଛି । ରବିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ଏବେ ସୁଦ୍ଧା ମୋଟ ୨୫,୧୨,୬୬,୬୩୭ ଟିକା ଡୋଜ୍‌ ଦିଆସରିଛି। ଏବେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପାଖରେ ୧.୫୩ କୋଟି ଡୋଜ୍‌ରୁ ଅଧିକ ଗଚ୍ଛିତ ରହିଛି । ଏହା ସହ ଆଗାମୀ ୩ ଦିନ ମଧ୍ୟର ଆହୁରି ୪ ଲକ୍ଷ ଡୋଜ୍‌ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।


Share It

Comments are closed.