ରାଜ୍ୟରେ କୃଷକମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ତତ୍ପର : ରାଜା ସ୍ୱାଇଁ


ରାଜ୍ୟରେ ଲୋକମାନଙ୍କର ଖାଦ୍ୟସୁରକ୍ଷାକୁ ସୁନିଶ୍ଚିତ କରିବା ଓ ଅର୍ଥନୈତିକ ଅଭିବୃଦ୍ଧି କୃଷି ଓ କୃଷକମାନଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଗତ ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କୋଭିଡ-୧୯ ସ୍ଥିତି ଏବଂ ବର୍ତ୍ତମାନ କୋଭିଡର ଦ୍ୱିତୀୟ ଲହର ଯୋଗୁଁ ଉପୁଜିଥିବା କଠିନ ପରିସ୍ଥିତି ଓ ଲକଡାଉନ ସମୟରେ ଅନ୍ୟସବୁ କ୍ଷେତ୍ରଗୁଡିକ ଅଧିକମାତ୍ରାରେ ପ୍ରଭାବିତ ହୋଇଥିବାବେଳେ କୃଷି କାର୍ଯ୍ୟ ଓ କୃଷି ଅଭିବୃଦ୍ଧି ହାର ସକରାତ୍ମକ ରହିଛି । ରାଜ୍ୟରେ ରେକର୍ଡ ପରିମାଣ ଧାନ ସଂଗ୍ରହ କରାଯାଇ ପାରିଛି ଏବଂ ଚଳିତ ଖରିଫରେ ମଧ୍ୟ ଭଲ ଫସଲ ଉତ୍ପାଦନ ଆଶା ରହିଛି । କୃଷକମାନଙ୍କର କଠିନ ପରିଶ୍ରମ ଓ ରାଜ୍ୟ ସରକାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଆଜି ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ଓଡିଶା ରାଜ୍ୟ ସମବାୟ ୟୁନିୟନ ଆନୁକୂଲ୍ୟରେ ଆୟୋଜିତ ଏକ ରାଜ୍ୟସ୍ତରୀୟ ୱେବିନାରରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କୃଷକମାନଙ୍କୁ ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାଇ କହିଲେ ଯେ, ରାଜ୍ୟର ୬୬ ପ୍ରତିଶତରୁ ଉର୍ଦ୍ଧ୍ୱ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ କୃଷି କ୍ଷେତ୍ର ସହିତ ଜଡିତ ଥିବାରୁ ରାଜ୍ୟ ସରକାର କୃଷି ଓ କୃଷକଙ୍କ ବିକାଶକୁ ପ୍ରାଥମିକତା ପ୍ରଦାନ କରିବା ସହିତ ଅନେକଗୁଡିଏ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି, ଯାହାର ଫଳସ୍ୱରୂପ ଧାନ ସମେତ ବିଭିନ୍ନ କୃଷି ଉତ୍ପାଦନରେ ଓଡିଶା ଆଜି ବାଳିକା ରାଜ୍ୟରେ ପରିଣତ ହୋଇପାରିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର କୃଷକମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସଦାସର୍ବଦା ଚେଷ୍ଟିତ । ରାଜ୍ୟରେ ସରକାର ଚଳିତ ଖରିଫରେ ଚାଷ କାର୍ଯ୍ୟ ନିମନ୍ତେ ସମବାୟ ସଂସ୍ଥା ମାଧ୍ୟମରେ ୯୦୦୦ କୋଟି ଟଙ୍କାର ସ୍ୱଳ୍ପ ମିଆଦି ଫସଲ ଋଣ ଯୋଗାଇଦେବା ପାଇଁ ବ୍ୟବସ୍ଥା କରିଛନ୍ତି । ଠିକ ସମୟରେ ଋଣ ପରିଶୋଧ କରୁଥିବା ଚାଷୀମାନଙ୍କ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଶୂନ ପ୍ରତିଶତ ସୁଧହାରରେ ଯୋଗାଇ ଦିଆଯାଇଛି । ଏହା ସହିତ ରିହାତି ହାରରେ ଉନ୍ନତ ମାନର ବିହନ, ସାର ଓ କୀଟନାଶକ ଔଷଧ ଯୋଗାଣ କରୁଛନ୍ତି ।
ଆଧୁନିକ ପ୍ରଯୁକ୍ତି ବିଦ୍ୟାର ସଫଳ ପ୍ରୟୋଗ ଯୋଗୁଁ ଧାନ ସଂଗ୍ରହରେ କ୍ଷୁଦ୍ର ଓ ନାମମାତ୍ରା ଚାଷୀଙ୍କ ଯୋଗଦାନ ଅହେତୁକ ବୃଦ୍ଧି ପାଇଛି । ଏଥି ସହିତ ବର୍ତ୍ତମାନ ରାଜ୍ୟରେ ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ସମବାୟ ବିଭାଗ ରାଜ୍ୟର ଚାଷୀମାନଙ୍କ ମେରୁଦଣ୍ଡ ସ୍ୱରୁପ ଓ ଚାଷୀମାନଙ୍କ ନିକଟରେ ସବୁପ୍ରକାର ସେବା ଯୋଗାଇଦେବା ପାଇଁ ବିଭାଗ ବଦ୍ଧ ପରିକର ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଅକ୍ଷୟ ତୃତୀୟା ପୂର୍ବଦିନ କାଳିଆ ଯୋଜନାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୪୨ ଲକ୍ଷ ଚାଷୀଙ୍କୁ ୯୨୦ କୋଟିର ସହାୟତା ରାଶି ଚାଷୀଭାଇ ମାନେ ସମସ୍ତ କୋଭିଡ ମାର୍ଗଦର୍ଶିକା ଅନୁପାଳନ କରି କୃଷି କାର୍ଯ୍ୟକୁ ଆଗେଇ ନେବା ପାଇଁ ମନ୍ତ୍ରୀ ସ୍ୱାଇଁ ପରାମର୍ଶ ଦେଇଛନ୍ତି ।
ୱେବିନାରରେ ଯୋଗଦେଇ ଓସାମ ବୋର୍ଡର ଉପଦେଷ୍ଟା ଶ୍ରୀ ରାମଚନ୍ଦ୍ର ପଣ୍ଡା ଯେପରି ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇପାରିବ ସେଥି ନିମନ୍ତେ ବିପଣନ ବ୍ୟବସ୍ଥାକୁ ସୁଦୃଢ କରାଯାଇଛି ବୋଲି କହିଥିଲେ । ଇ-ନାମ ଓ ମଣ୍ଡିର ଉନ୍ନତିକରଣ କାର୍ଯ୍ୟ କରାଯାଇଛି ଯେପରି ଚାଷୀମାନେ ସହଜରେ ଓ ଉଚିତ ମୂଲ୍ୟରେ ସେମାନଙ୍କର ଦ୍ରବ୍ୟ ବିକିପାରିବେ ବୋଲି ଶ୍ରୀ ପଣ୍ଡା କହିଥିଲେ । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ ମୁଥୁକୁମାର କହିଲେ ଯେ, ଧାନ ପାଇଁ ଅଧିକ ଜଳର ଆବଶ୍ୟକତା ଦୃଷ୍ଟିରୁ ଅଣଧାନ ଓ ଅଧିକ ଅର୍ଥକରୀ ଫସଲ, ଡାଲି, ତୈଳବୀଜ , ଚିନାବାଦାମ , କପା ଓ ରାଗି ଆଦି ଚାଷ ନିମନ୍ତେ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯାଉଛି । ଅଣଧାନ ଫସଲର ବିକ୍ରିବଟା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରି ବିଶେଷ ପଦକ୍ଷେପ ନିଆଯାଇଛି ବୋଲି ଡ. ମୁଥୁକୁମାର କହିଥିଲେ ।
ୱେବିନାରରେ ଭାଗନେଇ ଆନନ୍ଦସ୍ଥିତ ଭର୍ଗିଜ କୁରିୟନ ସେଣ୍ଟର ଫର ଏକ୍ସିଲେନ୍ସିର ପ୍ରଫେସର ଡ ହରେକୃଷ୍ଣ ମିଶ୍ର କୃଷକର ମଙ୍ଗଳ ନିମନ୍ତେ ଆମର ପ୍ରତିବଦ୍ଧତା ରହିଥିବାବେଳେ ଅକୁକୂଳ କୃଷିନୀତି , ସୁଦୃଢ ଭିତ୍ତିଭୂମି ଏବଂ ଉତ୍ତମ ପରିଚାଳନାର ଏକାଭିମୁଖିତାର ଆବଶ୍ୟକତା ରହିଛି ବୋଲି କହିଥିଲେ ।
ୱେବିନାରରେ ନିବନ୍ଧକ , ସମବାୟ ସମିତି ସମୂହ ଶ୍ରୀ ସୁଶାନ୍ତ କୁମାର ବାରିକ ପ୍ୟାକ୍ସ ଓ ଲ୍ୟାମ୍ପସଗୁଡିକର କାର୍ଯ୍ୟଦକ୍ଷତା ଓ ସ୍ୱଚ୍ଛତା ବୃଦ୍ଧି ନିମନ୍ତେ କମ୍ପ୍ୟୁଟରାଇଜେସନ ଓ ଡିଜିଟାଇଜେସନ କରାଯାଉଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ଆଗ୍ରା ଇଣ୍ଡଷ୍ଟ୍ରିଜ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଦାନନ୍ଦ ନାୟକ ଏବଂ ମାର୍କଫେଡର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ କୃଷି ଯାନ୍ତ୍ରିକୀକରଣ ଓ କୃଷି ସାମଗ୍ରୀ ଯୋଗାଣ ସଂପର୍କରେ ଆଲୋଚନା କରିଥିଲେ । ୱେବିନାରଟିକୁ ୟୁନିୟନର ପ୍ରଶାସକ ଶ୍ରୀମତୀ ଗାୟତ୍‌୍ରୀ ପଟ୍ଟନାୟକ ପରିଚାଳନା କରିଥିବାବେଳେ ଏଥିରେ ସମସ୍ତ ଡିଆରସିଏସ, ଏଆରସିଏସ, କୃଷକ ସଂଗଠନ, କୃଷକ ନେତା ଓ ଅଗ୍ରଣୀ କୃଷକମାନେ ଭାଗ ନେଇଥିଲେ ।


Share It

Comments are closed.