ଏନଡିଏ ଛାଡିବାକୁ ଚିରାଗଙ୍କୁ ପରାମର୍ଶ ଦେଲେ ତେଜସ୍ୱୀ ଯାଦବ


ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ ବୁଧବାର ଚିରାଗ ପାଶ୍ୱାନଙ୍କୁ ତାଙ୍କ ଦଳରେ ଯୋଗଦେବାକୁ ଆମନ୍ତ୍ରଣ ଜଣାଇଛନ୍ତି। ଏଥିସହିତ ଲୋକ ଜନଶକ୍ତି ପାର୍ଟି (ଏଲଜେପି)ରେ ବିଭାଜନ ପାଇଁ ସେ ଜେଡି(ୟୁ)କୁ ଦାୟୀ କରିଛନ୍ତି। ତେଜସ୍ୱୀ କହିଛନ୍ତି, ଏତେସବୁ ଘଟଣା ଘଟିବା ପରେ ଚିରାଗ ଏନଡିଏରେ ରହିବେ କି ନାହିଁ ତାହା ଚିନ୍ତା କରିବା ସମୟ ଆସିଛି। ଏଲଜେପିରେ ବିଭାଜନ ପାଇଁ ଜେଡି(ୟୁ) ଦାୟୀ ବୋଲି ଅଭିଯୋଗ କରି ତେଜସ୍ୱୀ ୨୦୦୫ ଓ ୨୦୧୦ର ଘଟଣାକୁ ମନେ ପକାଇଦେଇଛନ୍ତି। ତେଜସ୍ୱୀ କହିଛନ୍ତି ରାମବିଳାସ ପାଶ୍ୱାନ ତାଙ୍କ ନିଜ ଲୋକସଭା ଆସନରୁ ହାରଯିବା ପରେ ତାଙ୍କୁ ରାଜ୍ୟସଭା ଆସନ ପ୍ରଦାନ କରିବାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ସହାୟତା କରିଥିଲେ। ତେବେ ସେହି ସମୟରେ ମଧ୍ୟ ଏଲଜେପିରେ ବିଭାଜନ ଉଦ୍ୟମ କରାଯାଇଥିଲା। ସେଥିପାଇଁ ବର୍ତ୍ତମାନ କାହା ସହିତ ଛିଡାହେବେ ତାହା ଭାବିବା ସମୟ ଚିରାଗ ପାଶ୍ୱାନଙ୍କ ପାଇଁ ଆସିଛି ବୋଲି ତେଜସ୍ୱୀ କହିଛନ୍ତି। ସୂଚନାଯୋଗ୍ୟ ଯେ ଏଲଜେପିରେ ସଂପ୍ରତି ଚାଲିଥିବା ସଙ୍କଟ ପଛରେ ତାଙ୍କ କିଛି ଭୂମିକା ନାହିଁ ବୋଲି ମଙ୍ଗଳବାର ଦିନ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର କହିବା ପରେ ତେଜସ୍ୱୀ ତାଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଆଣିଛନ୍ତି। ଇତିମଧ୍ୟରେ ଚିରାଗ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି ଯେ ଭାଜପା ସହିତ ତାଙ୍କର ସଂପର୍କ ଏକପାଖିଆ ହୋଇ ରହିବନାହିଁ ଏବଂ ତାଙ୍କୁ କୋଣଠେସା କରିବା ଉଦ୍ୟମ ଯଦି ଲାଗିରହେ ତେବେ ସେ ସମସ୍ତ ସମ୍ଭାବ୍ୟତା ସମ୍ପର୍କରେ ବିଚାର କରିବେ।


Share It

Comments are closed.