ସ୍ଥାୟୀ ଜୀବନଯାପନକୁ ପ୍ରୋତ୍ସାହିତ କରିବା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ‘ବର୍ଜ୍ୟବସ୍ତୁରୁ ସମ୍ପଦ’ କର୍ମଶାଳା ଆୟୋଜିତ


 ସାତଟି ପାଶ୍ୱର୍ବର୍ତୀ ବିଦ୍ୟାଳୟରୁ ୮୦ ଜଣ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ
ନରେନ୍ଦ୍ରପୁର: ଟାଟା ଷ୍ଟିଲ୍ ଫାଉଣ୍ଡେସନ(ଟିଏସ୍‌ଏଫ୍‌) ଏବଂ ଦି ଏନର୍ଜି ଆଣ୍ଡ୍ ରିସୋର୍ସେସ୍ ଇନଷ୍ଟିଚ୍ୟୁଟ୍ (ଟେରି)ର ମିଳିତ ସହଯୋଗରେ ଚାଲୁଥିବା ସବୁଜ ବିଦ୍ୟାଳୟ ପ୍ରକଳ୍ପ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ୨୦୨୩ ନଭେମ୍ବର ୬ରେ ଏକ ‘ବର୍ଜ୍ୟବସ୍ତୁରୁ ସମ୍ପଦ’ କର୍ମଶାଳା ଆୟୋଜନ ହୋଇଯାଇଛି । ଏହି କର୍ମଶାଳାରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌) କାର୍ଯ୍ୟକ୍ଷେତ୍ର ପାରିପାଶ୍ୱିର୍କ ଅଂଚଳରେ ଥିବା ସାତଟି ସ୍କୁଲର ୧୨-୧୪ ବର୍ଷ ବୟସର ୮୦ ଜଣ ଛାତ୍ରଛାତ୍ରୀ ଓ ସେମାନଙ୍କ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଂଶଗ୍ରହଣ କରିଥିଲେ । ସ୍ଥାୟୀ ଜୀବନଯାପନକୁ ପ୍ରୋତ୍ସାହିତ କରୁଥିବା ସ୍ୱେଚ୍ଛାସେବୀ ଗୋଷ୍ଠୀ କାର୍ଯ୍ୟରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ସଶକ୍ତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ।
କୁସୁପଙ୍ଗା କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି କର୍ମଶାଳାରେ କୁସୁପଙ୍ଗା ନୋଡାଲ ହାଇସ୍କୁଲର ସଂଯୋଜନାରେ ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା, ଯେଉଁଥିରେ ଛାତ୍ରଛାତ୍ରୀମାନଙ୍କୁ ବର୍ଜ୍ୟବସ୍ତୁକୁ କିପରି ମୂଲ୍ୟବାନ ସମ୍ପଦରେ ପରିଣତ କରାଯାଇପାରିବ ସେ ବିଷୟରେ ଶିକ୍ଷା ଦିଆଯାଇଥିଲା ।
ପରିବେଶ ଦୀର୍ଘସ୍ଥାୟିତ୍ୱ ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇବା ପାଇଁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ତାହାର ଗୁରୁତ୍ୱ ସମ୍ପର୍କରେ ଏକ ଆଲୋଚନାଚକ୍ର ମଧ୍ୟ ଆୟୋଜନ କରାଯାଇଥିଲା ।
କର୍ମଶାଳାର ବିଭିନ୍ନ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅଂଶଗ୍ରହଣ ଓ ପ୍ରଦର୍ଶନ ପାଇଁ ସରପା, ରଘୁନାଥପୁରର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ କୁରୁଂଟି ୟୁପି ସ୍କୁଲର ଛାତ୍ରଛାତ୍ରୀଙ୍କ ଦଳକୁ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଏହି ଅବସରରେ କୁସୁପଙ୍ଗା ଗ୍ରାମ ପଂଚାୟତର ସରପଂଚ ଅନିତା ନାୟକ, ପାଟେଲା ସ୍କୁଲର ପ୍ରଧାନ ଶିକ୍ଷକ ତଥା ଶିକ୍ଷା ଗୌରବ ସମ୍ମାନ ଗ୍ରହଣକାରୀ ଅଭିମନ୍ୟୁ ସାହୁ, ବିଶିଷ୍ଟ ସମାଜସେବୀ ଚିତରଂଜନ ନାଥ, କୁସୁପଙ୍ଗା ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ନିତ୍ୟାନନ୍ଦ ବେହେରା, ଅବସରପ୍ରାପ୍ତ ଶିକ୍ଷକ ବିକଳ କୁମାର ନାୟକ, ସମାଜସେବୀ ରାଜ କିଶୋର ବେହେରା, ସବୁଜ ସ୍କୁଲ ପ୍ରକଳ୍ପର ସଂଯୋଜକ ଉପସ୍ଥିତ ଥିବା ବେଳେ ଟିଏସ୍‌ଏଫ୍‌ର ଟିମ୍ ସଦସ୍ୟ ଆଶୁତୋଷ ଦାସ, ରୁପକ କୁମାର ନାୟକ ଓ ସର୍ବେଶ୍ୱର ନାଥ ପ୍ରମୁଖ ଉପସ୍ଥିତ ରହି କର୍ମଶାଳାର ସଫଳ ଆୟୋଜନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।
୨୦୧୯-୨୦ରେ ମେରାମଣ୍ଡଳୀରେ ଶୁଭାରମ୍ଭ କରାଯାଇଥିବା ସବୁଜ ସ୍କୁଲ ପ୍ରକଳ୍ପ ହେଉଛି ଟିଏସ୍‌ଏଫ୍‌ର ଏକ ଅଭିଯାନ ଯାହାର ଲକ୍ଷ୍ୟ ହେଉଛି ସାତଟି ପାରିପାଶ୍ୱିର୍କ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରିବେଶ ପ୍ରତି ଦାୟିତ୍ୱକୁ ସମୃଦ୍ଧ କରିବା । ପରିବେଶ ସଚେତନ ପଦକ୍ଷେପ ଏବଂ ସଚେତନତାର ପ୍ରସାର କରି ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି କରିବାକୁ ଏହି ପ୍ରକଳ୍ପରେ ଉଦ୍ୟମ କରାଯାଉଛି ଯାହା ସମସ୍ତଙ୍କ ପାଇଁ ଏକ ଉଜ୍ଜ୍ୱଳ ଓ ଅଧିକ ଦୀର୍ଘସ୍ଥାୟୀ ଭବିଷ୍ୟତ ସୁନିଶ୍ଚିତ କରିବ ।


Share It

Comments are closed.