ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ “ଅରୁଣିମା ୨୦୨୩” ଉଦଘାଟିତ


– କଳିଙ୍ଗନଗର, ବ୍ରାହ୍ମଣୀପାଳ ଓ ସୁକିନ୍ଦାର ୨୫୬୧ ଏସ୍‌ସି/ଏସ୍‌ଟି ଛାତ୍ରଛାତ୍ରୀମାନଙ୍କୁ ୧.୨୦ କୋଟି ଟଙ୍କାର ଶିକ୍ଷାବୃତି ପ୍ରଦାନ

ସୁକିନ୍ଦା: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଟାଟା ଷ୍ଟିଲର ସୁକିନ୍ଦା କ୍ରୋମାଇଟ୍ ଖଣିରେ ଗୁରୁବାରଠାରୁ ତିନିଦିନିଆ “ଅରୁଣିମା ୨୦୨୩” କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଛି । ସପ୍ତମ ବର୍ଷ ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମ ୨୩ ଡିସେମ୍ବର, ୨୦୨୩ ପର୍ଯ୍ୟନ୍ତ ଚାଲିବ। ଟାଟା ଷ୍ଟିଲ୍‌ର ସୁକିନ୍ଦା, ବ୍ରାହ୍ମଣୀପାଳ ଓ କଳିଙ୍ଗନଗର କାର୍ଯ୍ୟକ୍ଷେତ୍ରର ପାରିପାଶ୍ୱିର୍କ ଜନସାଧାରଣଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଏକତାର ଏକ ମଂଚ ଭାବେ କାର୍ଯ୍ୟ କରିଆସୁଛି।

ଏହି କାର୍ଯ୍ୟକ୍ରମରେ ଦିଶା ପ୍ରକଳ୍ପର ଉଲ୍ଲେଖନୀୟ ମହିଳାମାନଙ୍କୁ ସମ୍ବର୍ଦ୍ଧନା ସମେତ ଶିକ୍ଷା, ଦୀର୍ଘସ୍ଥାୟୀ କୃଷି ଓ ଜଳ ପରିଚାଳନା ଆଦି ଉପରେ ଗୁରୁତ୍ୱାରୋପ କରାଯିବ। ଜଳବାୟୁ ପରିବର୍ତନ, ମିଲେଟ ମିଶନ, ଶିକ୍ଷା, ମହିଳା ସଶକ୍ତୀକରଣ, ଜୀବନଜୀବିକା ଓ ତତ୍ ସଂକ୍ରାନ୍ତୀୟ ବିଷୟଗୁଡ଼ିକ ଉପରେ କାର୍ଯ୍ୟକ୍ରମରେ ଆଲୋଚନା କରାଯିବ।

‘ଅରୁଣିମା ୨୦୨୩’ର ପ୍ରଥମ ଦିନରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଆର୍ଥିକ ଭାବେ ଦୁର୍ବଳ ଏସ୍‌ସି/ଏସ୍‌ଟି ପରିବାରର ୨,୫୬୧ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ଶିକ୍ଷାବୃତି ପ୍ରଦାନ କରାଯାଇଛି। ନିଜର ଶିକ୍ଷା ଓ କ୍ୟାରିୟର ଅଭିଳାଷକୁ ପୂରଣ କରିବାରେ ଏହି ଶିକ୍ଷାବୃତି ସେମାନଙ୍କ ଲାଗି ସହାୟକ ହେବ। ପ୍ରଥମ ଦିନରେ କଳିଙ୍ଗନଗରର ୫୯୮, ବ୍ରାହ୍ମଣୀପାଳର ୧୨୯୭ ଓ ସୁକିନ୍ଦାର ୬୬୬ ଜଣ ଛାତ୍ରଛାତ୍ରୀଙ୍କୁ ମୋଟ ୧.୨୦ କୋଟି ଟଙ୍କାର ଶିକ୍ଷାବୃତି ପ୍ରଦାନ କରାଯାଇଛି।

ଅରୁଣିମା କାର୍ଯ୍ୟକ୍ରମରେ ଯାଜପୁର ଓ କେନ୍ଦୁଝର ଜିଲ୍ଲାର ଜନସାଧାରଣଙ୍କ ମଧ୍ୟରେ ମିଳିତ ସମାଧାନ ଓ ଅର୍ଥପୂର୍ଣ୍ଣ ଆଲୋଚନା ଉପରେ ଗୁରୁତ୍ୱାରୋପ କରାଯିବା ସହିତ ପାରିପାର୍ଶ୍ୱିକ ପରିବେଶରେ ଜଳର ଗୁରୁତ୍ୱ ଉପରେ ଆଲୋଚନା ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିନରେ ଜଳ ଦୂତଙ୍କ (ୱାଟର ଆମ୍ବାସାଡର୍) ଏକ ଦଳର ଶୁଭାରମ୍ଭ କରାଯାଇଛି। ମହିଳା ସଶକ୍ତୀକରଣ ଓ ଜଳର ସଠିକ୍ ସଞ୍ଚାଳନ ଓ ସଂରକ୍ଷଣ ନେଇ ପଦକ୍ଷେପ ଗ୍ରହଣ କରିବା ଲାଗି ସାମଗ୍ରିକ ଦୃଷ୍ଟିକୋଣ ରଖି କାର୍ଯ୍ୟ କରିବାକୁ ମହିଳାମାନେ କନ୍‌କ୍ଲେଭ୍‌ରେ ଗୁରୁତ୍ୱ ଦେଇଛନ୍ତି।

ଏହି ଅବସରରେ ଟାଟା ଷ୍ଟିଲର ଓଡ଼ିଶା ସିଏସ୍ଆର୍ ମୁଖ୍ୟ ଡ. ଅମ୍ବିକା ପ୍ରସାଦ ନନ୍ଦ କହିଛନ୍ତି ଯେ, “ଅରୁଣିମା କାର୍ଯ୍ୟକ୍ରମ ସ୍ଥାନୀୟ ଜନସାଧାରଣଙ୍କ ସମ୍ପୃକ୍ତି ମାଧ୍ୟମରେ ଆଂଚଳିକ ଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଲକ୍ଷ୍ୟ ରଖିଛି ।’ ଏହାବ୍ୟତୀତ ସେ କୃଷକମାନଙ୍କୁ ମିଲେଟ୍ ଚାଷ ପାଇଁ ଉତ୍ସାହିତ କରିବାକୁ ଓଡ଼ିଶା ମିଲେଟ୍ ମିଶନ ସହିତ ଅନ୍ତର୍ଜାତୀୟ ମିଲେଟ୍ ମିଶନ କାର୍ଯ୍ୟକ୍ରମର ଲକ୍ଷ୍ୟକୁ ଯୋଡ଼ିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ପଦକ୍ଷେପର ଉଦ୍ଦେଶ୍ୟ ଜନସାଧାରଣଙ୍କ ମଧ୍ୟରେ ମିଲେଟ୍ ଏବଂ ଜଳ ଦୂତମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଏକ ସବୁଜ ଏବଂ ସମୃଦ୍ଧ ଭବିଷ୍ୟତ ପାଇଁ ମାର୍ଗ ପ୍ରଶସ୍ତ କରିବା ବୋଲି ଡ. ନନ୍ଦ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଶ୍ରୀମତୀ ଦମୟନ୍ତୀ ବେଶ୍ର।, ଯାଜପୁର ଏଡିଏମ୍ ନବକୃଷ୍ଣ ଜେନା, ଅନିଲ ପ୍ରଧାନ, ୟଙ୍ଗ ଥିଙ୍କର୍‌ର ସହ ପ୍ରତିଷ୍ଠାତା ଶ୍ରୀମତୀ ବୈଶାଳୀ ଶର୍ମା, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଶଶି ଶେଖର କର ଶର୍ମା, ଜ୍ୟୋତି ଫେଲୋ ତଥା ଟାଟା ଷ୍ଟିଲ୍ ପ୍ରତିଭା ସୁରେନ୍ଦ୍ର ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ।


Share It

Comments are closed.