ଭଦ୍ରକ ଜିଲ୍ଲାର ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁ


ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଭଦ୍ରକ ଜିଲ୍ଲାରେ ବାତ୍ୟା ‘ୟାସ’ ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି । ଭଦ୍ରକଠାରେ ଜିଲ୍ଲା ପ୍ରଶାସନର ସଦଭାବନା ଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ଭଦ୍ରକ ସାଂସଦ ଶ୍ରୀମତୀ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ଶ୍ରୀ ସଞ୍ଜୀବ ମଲ୍ଲିକ, ଧାମନଗର ବିଧାୟକ ଶ୍ରୀ ବିଷ୍ଣଚରଣ ସେଠୀ, ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଦିଜବର ରାଉତ ଓ ଜିଲ୍ଲାପାଳ ଡି.ଜ୍ଞାନ ଦାସ ପ୍ରମୁଖ ଯୋଗ ଦେଇଥିଲେ ।
ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟାର ପୂର୍ବ ପ୍ରସ୍ତୁତି ଏବଂ ପରବର୍ତ୍ତୀ ଅବସ୍ଥା ପୁନରୁଦ୍ଧାରା କାର୍ଯ୍ୟର ଅଗ୍ରଗତି ସନ୍ତୋଷଜନକ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ପ୍ରଭାବିତ ଅଞ୍ଚଳରେ ତୁରନ୍ତ ବିଦ୍ୟୁତ ସରବରାହକୁ ସ୍ୱାଭାବିକ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାଘାଟ ମରାମତି କାର୍ଯ୍ୟ ଚାଲିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଜନସାଧାରଣଙ୍କ ପର୍ଯ୍ୟାପ୍ତ ପରିମାଣର ପିଇବା ପାଣି ଯୋଗାଇ ଦିଆଯାଉଛି ଏବଂ ଯେଉଁ ସବୁ ଅଞ୍ଚଳରେ ଲୁଣାପାଣି ମାଡିଯାଇଛି ତା’ର ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗୃହପାଳିତ ପଶୁମାନଙ୍କ ନିମନ୍ତେ ପର୍ଯ୍ୟାପ୍ତ ଗୋଖାଦ୍ୟର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ଅଞ୍ଚଳରେ ଘରଭଙ୍ଗା ଯାଞ୍ଚ କାର୍ଯ୍ୟ ଯଥାଶୀଘ୍ର ସାରି ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ହିତାଧିକାରୀମାନଙ୍କ ପିଡିଏସ ରାସନ ବଣ୍ଟନ ସନ୍ତୋଷଜନକ ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଏଥି ସହିତ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳଗୁଡିକୁ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟର ତଦାରଖ କରିବା ପାଇଁ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ ପଠାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ସମସ୍ତଙ୍କ ନିଷ୍ଠାପର ଉଦ୍ୟମ, ତତ୍ପରତା ଓ ସହଯୋଗରେ ଖୁବଶୀଘ୍ର ଜିଲ୍ଲାରେ ସ୍ୱାଭାବିକ ସ୍ଥିତି ଫେରି ଆସିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଶାବ୍ୟକ୍ତ କରିଛନ୍ତି ।
ବୈଠକରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ, ବିଭାଗୀୟ ନିର୍ବାହୀ ଓ ଅକ୍ଷୀକ୍ଷଣ ଯନ୍ତ୍ରୀମାନେ ଉପସ୍ଥିତ ରହି ବାତ୍ୟା ପରବର୍ତ୍ତୀ ଥାଇଥାନ ଓ ପୁନରୁଦ୍ଧାର ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।


Share It

Comments are closed.