ଆନ୍ତର୍ଜାତୀୟ ଦକ୍ଷତା କେନ୍ଦ୍ର ଭାବେ ରାଜ୍ୟକୁ ପ୍ରଦର୍ଶିତ କରିବ ଓଡିଶା

ଏପ୍ରିଲ ୨୦ରୁ ୨୨ ତାରିଖ ୨୦୨୩ ପର୍ଯ୍ୟନ୍ତ ରାଜ୍ୟରେ ଓଡିଶା ସ୍କିଲ୍ କନ୍‌କ୍ଲେଭ୍‌ର ଆୟୋଜନ


ଭୁବନେଶ୍ୱର : ଓଡିଶା ସରକାର ଆସନ୍ତା ଏପ୍ରିଲ ୨୦ରୁ ୨୨ ତାରିଖ ୨୦୨୩ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଓଡିଶା ସ୍କିଲ୍ କନ୍‌କ୍ଲେଭ୍‌ର ଆୟୋଜନ କରିବେ । ଏହି ତିନିଦିନିଆ କାର୍ଯ୍ୟକ୍ରମ ଓଡିଶାକୁ ଏକ ଗ୍ଲୋବାଲ ସ୍କିଲ୍ ହବ୍ ବା ଆନ୍ତର୍ଜାତୀୟ ଦକ୍ଷତା କେନ୍ଦ୍ର ଭାବେ ଅବସ୍ଥାପିତ କରିବା ସହିତ ରାଜ୍ୟବାସୀଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଛି । ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ସରକାରୀ ଅଧିକାରୀମାନେ ଏହାର ସବିଶେଷ ବିବରଣୀ ଉନ୍ମୋଚନ କରିଛନ୍ତି । ନିଜର ମୁଖ୍ୟ ସମ୍ବୋଧନରେ ରାଜ୍ୟ ସରକାରଙ୍କ ଦକ୍ଷତା ବକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ (ସ୍ୱାଧୀନ)ଶ୍ରୀ ପ୍ରୀତିରଞ୍ଜନ ଘଡାଇ କହିଛନ୍ତି, ‘ଏବେ ଦେଶ ପାଇଁ ‘ଏକ ନୂଆ ଓଡିଶା’ର ସାକ୍ଷୀ ହେବାର ସମୟ ଆସିଛି । ଆମର ଓଡିଶା ସ୍କିଲ୍ କନ୍‌କ୍ଲେଭ୍ ମାଧ୍ୟମରେ ଆମେ ଯୁବପିଢିଙ୍କୁ ଭୂରାଜନୈତିକ ଅନିଶ୍ଚିତତା, ମାକ୍ରୋ-ଇକୋନୋମି ଆହ୍ୱାନଗୁଡିକର ସମ୍ମୁଖୀନ ହେବା ଏବଂ ନିଜର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି । ଓଡିଶା ସ୍କିଲ୍ କନ୍‌କ୍ଲେଭ୍ ଏକ ଇଂଟରାକ୍ଟିଭ୍ କାର୍ଯ୍ୟକ୍ରମ ହେବ ଯେଉଁଠାରେ ଛାତ୍ରଛାତ୍ରୀ, ତାଲିମ୍ ସହଯୋଗୀ ଓ କର୍ପୋରେଟ୍‌ଗୁଡିକ ଏକତ୍ରିତ ହୋଇପାରିବେ ଏବଂ ଗଠନମୂଳକ ଆଲୋଚନାରେ ନିୟୋଜିତ ହୋଇପାରିବେ । ଆମେ ବିଭିନ୍ନ କର୍ପୋରେଟ୍‌ଗୁଡିକ ସହ ଏମ୍‌ଓୟୁ ସ୍ୱାକ୍ଷର କରିବା ପାଇଁ ଅପେକ୍ଷା କରିଛୁ ଯାହା ସେମାନଙ୍କୁ ନିଜର କର୍ମବଳକୁ ମଜଭୁତ କରିବାର ନିଜର ଆବଶ୍ୟକତାକୁ ପୂରଣ କରିବା ପାଇଁ ସକ୍ଷମ କରିବ ।’

ନିଜ ସମ୍ବୋଧନରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚି କହିଛନ୍ତି, ‘ଏହି କାର୍ଯ୍ୟକ୍ରମ ସହିତ ରାଜ୍ୟ ଏକ ଲିଡର୍ ହେବାଠାରୁ ଆରମ୍ଭ କରି ଦକ୍ଷତା କ୍ଷେତ୍ରରେ ଅଗ୍ରଣୀ ହେବା ପାଇଁ ଆଗକୁ ବଢିବ । ଏହି କାର୍ଯ୍ୟକ୍ରମ କେବଳ ଆମର କ୍ଷମତାଗୁଡିକୁ ପ୍ରଦର୍ଶିତ କରିବା ପାଇଁ ଏକ ପ୍ଲାଟ୍‌ଫର୍ମ ହେବ ନାହିଁ ବରଂ ବିଶ୍ୱକୁ ଏକତ୍ରିତ କରିବା ପାଇଁ ଏକ ପ୍ଲାଟ୍‌ଫର୍ମ ହେବ । ୨୦୨୩ରେ ଓଏସ୍‌ଡିଏ ଲିଙ୍ଗଗତ ସମାନତା ମାଧ୍ୟମରେ ଅନ୍ତର୍ଭୁକ୍ତୀକରଣର ବିଚାର ଉପରେ ଗୁରୁତ୍ୱ ଦେଉଛି ଏବଂ ଆମେ ଯୁବପିଢିଙ୍କଠାରୁ ସକ୍ରିୟ ଅଂଶଗ୍ରହଣ ପାଇଁ ଅପେକ୍ଷା କରିଛୁ, ଯାହାଫଳରେ ଦକ୍ଷତା ଓ ନିଯୁକ୍ତି କ୍ଷେତ୍ରରେ ସମାନତାର ଧାରଣା ବୃଦ୍ଧି ପାଇବ ।’

ଏହି ଅବସରରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ବିଭାଗର ମୁଖ୍ୟ ସଚିବ ଶ୍ରୀମତି ଉଷା ପାଢୀ କହିଛନ୍ତି, ‘ଓଡିଶା ସ୍କିଲ୍ କନ୍‌କ୍ଲେଭ୍ କେବଳ ଓଡିଶା ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଆମେ ଓଡିଶାକୁ ଏକ ଆନ୍ତର୍ଜାତୀୟ ପ୍ଲାଟ୍‌ଫର୍ମରେ ଉପସ୍ଥାପନ କରିବା ପାଇଁ ଯୋଜନା ରଖିଛୁ କାରଣ ଆମେ ଏଥିପାଇଁ ଏକ ମଜଭୁତ ଇକୋସିଷ୍ଟମ ନିର୍ମାଣ କରିଛୁ ।’ ସେହିପରି ଫିକି ଓଡିଶା ଷ୍ଟେଟ୍‌-ଅଧ୍ୟକ୍ଷ ଓ ଟାଟା ଷ୍ଟିଲ ମାଇନିଙ୍ଗ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପଙ୍କଜ କୁମାର ସତିଜା କହିଛନ୍ତି, ‘ଫିକି ‘ସ୍କିଲିଙ୍ଗ୍ ଇନ୍ ଓଡିଶା’ ଅଭିଯାନ ସହ ଜଡିତ ହୋଇ ଗର୍ବିତ, ଆମେ ବିଶ୍ୱାସ କରୁଛୁ ଯେ, ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ଓ ଶିକ୍ଷା ଭବିଷ୍ୟତରେ ଅନେକ ସୁଯୋଗ ସୃଷ୍ଟି କରିପାରିବ ।’

ଏହି କାର୍ଯ୍ୟକ୍ରମ ଓଡିଶା ସରକାରଙ୍କ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ବିଭାଗର ନିର୍ଦ୍ଦେଶକ ଶ୍ରୀ ରଘୁ ଜି.ଙ୍କ ଧନ୍ୟବାଦ ଅର୍ପଣ ସହିତ ଶେଷ ହୋଇଥିଲା । ଏହି ସମ୍ମିଳନୀରେ ଏକାଧିକ ନୂଆ ଏମ୍‌ଓୟୁ, କନ୍‌ଫରେନ୍ସ, ପ୍ରଦର୍ଶନୀ, ପ୍ରଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ ଏବଂ ଏହା ରାଜ୍ୟର କୁଶଳୀ କର୍ମଜୀବୀଙ୍କୁ ଅନେକ ସୁଯୋଗ ପ୍ରଦାନ କରିବ । ଏହି ଉନ୍ମୋଚନ କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍‌ଡିଏ) ପକ୍ଷରୁ ଶିଳ୍ପ ସହଯୋଗୀ ଭାବେ ଭାରତୀୟ ଶିଳ୍ପ ଓ ବାଣିଜ୍ୟ ମହାସଂଘ (ଏଫ୍‌ଆଇସିସିଆଇ) ସହ ମିଶି ଆୟୋଜନ କରାଯାଇଛି ।

 


Share It

Comments are closed.