ପୁଣି ଥରେ ବିବାଦ ଘେରରେ ଭାରତୀୟ ପୂର୍ବତନ ବୋଲର ଶ୍ରୀସନ୍ତ


ପୂର୍ବତନ ଭାରତୀୟ କ୍ରିକେଟର ଏସ ଶ୍ରୀସନ୍ତ ପୁଣି ଥରେ ବିବାଦରେ ଛନ୍ଦି ହୋଇଛନ୍ତି । ଏଥର ସେ ଠକେଇ କରିଥିବା ଅଭିଯୋଗ ହୋଇଛି । ପୋଲିସ ମଧ୍ୟ କେରଳରେ ଶ୍ରୀସନ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି । ଶ୍ରୀସନ୍ତଙ୍କ ସହିତ ତାଙ୍କର ଦୁଇ ଘନିଷ୍ଠ ବନ୍ଧୁଙ୍କ ନାମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଛି । ଉତ୍ତର କେରଳ ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ନିକଟରେ ହୋଇଥିବା ଠକେଇ ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରିଛି ।

ଅଭିଯୋଗକାରୀ ସରିଶ ଗୋପାଳ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ରାଜୀବ କୁମାର ଓ ଭେଙ୍କଟେଶ କିନି ତାଙ୍କ ସହ ସହଯୋଗରେ ଏକ କ୍ରୀଡ଼ା ଏକାଡେମୀ ପ୍ରତିଷ୍ଠା କରିବାକୁ ଦାବି କରି ୨୫ ଏପ୍ରିଲ ୨୦୧୯ ଠାରୁ ଭିନ୍ନ ଭିନ୍ନ ତାରିଖରେ ଶ୍ରୀସନ୍ତଙ୍କ ଠାରୁ ୧୮.୭୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏହି ଏକାଡେମୀ କର୍ଣ୍ଣାଟକର କୋଲୁରରେ ନିର୍ମାଣ ହେବାର ଥିଲା । ତାଙ୍କ ଅଭିଯୋଗରେ ସରିଶ କହିଛନ୍ତି ଯେ ତାଙ୍କୁ ଏକାଡେମୀର ପାର୍ଟନର ହେବାକୁ ପ୍ରସ୍ତାବ ଦିଆଯାଇଥିଲା, ଯେଉଁଥିପାଇଁ ସେ ଟଙ୍କା ନିବେଶ କରିଥିଲେ । ଏହି ପରିପ୍ରେକ୍ଷୀରେ, ଆଇପିସି ଧାରା ୪୨୦ ଅନୁଯାୟୀ ଏସ ଶ୍ରୀସନ୍ତ ଓ ଅନ୍ୟ ଦୁଇଜଣଙ୍କ ବିରୋଧରେ ଅଭିଯୋଗ ପଞ୍ଜିକୃତ ହୋଇଛି । ଏହି ମାମଲାରେ ତୃତୀୟ ଅଭିଯୁକ୍ତ ଭାବରେ ଶ୍ରୀସନ୍ତଙ୍କ ନାମ ଉଲ୍ଲେଖ କରାଯାଇଛି । ହରଭଜନଙ୍କ ସହ ହୋଇଥିଲା ବିବାଦ
ଏହା ପ୍ରଥମ ଘଟଣା ନୁହେଁ ଯେ ଶ୍ରୀସନ୍ତ କିଛି ବିବାଦରେ ଛନ୍ଦି ହୋଇଥିଲେ । ଏହାପୂର୍ବରୁ ୨୦୦୮ ରେ ହରଭଜନ ସିଂଙ୍କ ସହ ତାଙ୍କର ବିବାଦ ହୋଇଥିଲା । ସେହି ସମୟରେ ଶ୍ରୀସନ୍ତ ଆଇପିଏଲରେ କିଙ୍ଗସ ଏକାଦଶ ପଞ୍ଜାବ (ବର୍ତ୍ତମାନ ପଞ୍ଜାବ କିଙ୍ଗସ) ପାଇଁ ଖେଳୁଥିଲେ ଓ ହରଭଜନ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିଲେ । ଏକ ମ୍ୟାଚ୍ ସମୟରେ ଉଭୟଙ୍କ ମଧ୍ୟରେ ବିବାଦ ଏତେ ବଢ଼ିଯାଇଥିଲା ଯେ ହରଭଜନ ଲାଇଭ ମ୍ୟାଚରେ ଶ୍ରୀସନ୍ତଙ୍କୁ ଚାପୁଡ଼ା ମାରିଥିଲେ । ଫଳାଫଳ ଏପରି ହେଲା ଯେ ହରଭଜନଙ୍କୁ ସମଗ୍ର ସିଜିନ ପାଇଁ ବ୍ୟାନ୍ କରାଯାଇଥିଲା ।

ସ୍ପଟ୍ ଫିକ୍ସିଂରେ ଫଶିଥିଲେ ଶ୍ରୀସନ୍ତ
୨୦୧୩ ଆଇପିଏଲ୍ ସମୟରେ ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଏସ୍ ଶ୍ରୀସନ୍ତ ଓ ତାଙ୍କର ଦୁଇ ସାଥୀ ଅଜିତ ଚଣ୍ଡିଲା ଓ ଅଙ୍କିତ ଚାଭାନ୍ଙ୍କୁ ଗିରଫ କରାଯାଇଥିଲା । ସମସ୍ତେ ଆଇପିଏଲ୍ ସମୟରେ ସ୍ପଟ୍ ଫିକ୍ସିଂରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ବୋର୍ଡର ଯାଞ୍ଚରୁ ଜଣାପଡିଛି ଯେ ସମସ୍ତ ଅଭିଯୋଗ ସତ୍ୟ ଓ ଶ୍ରୀସନ୍ତଙ୍କୁ ଆଜୀବନ ବ୍ୟାନ କରାଯାଇଥିଲା । ତେବେ, ୨୦୧୫ ରେ, ପ୍ରମାଣ ଅଭାବରୁ ଦିଲ୍ଲୀର ଏକ କୋର୍ଟ ଶ୍ରୀକାନ୍ତଙ୍କୁ MCOCA ଅଧିନିୟମ ଅନୁଯାୟୀ ସ୍ପଟ୍ ଫିକ୍ସିଂ ଅଭିଯୋଗରେ ନିର୍ଦ୍ଦୋଷରେ ଖଲାସ କରିଥିଲେ । ଏହା ପରେ ବିସିସିଆଇ ଶ୍ରୀସନ୍ତଙ୍କ ପ୍ରତିବନ୍ଧକକୁ ସାତ ବର୍ଷକୁ ହ୍ରାସ କରିଥିଲା । ଏହି ପ୍ରତିବନ୍ଧକ ହଟାଯିବା ପରେ ସେ ଘରୋଇ କ୍ରିକେଟରେ କେରଳର ପ୍ରତିନିଧିତ୍ୱ କରିଥିଲେ ।


Share It

Comments are closed.