ମଧୁସୂଦନ ଏକାଡେମୀରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କ ପାଇଁବାତ୍ୟା ବିପର୍ଯ୍ୟୟ ହ୍ରାସ ସଂପର୍କିତ ସ୍ୱତନ୍ତ୍ର ଆଞ୍ଚଳିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ


ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କ ପାଇଁ ବାତ୍ୟା ବିପର୍ଯ୍ୟୟ ପରିଚାଳନା ସଂପର୍କିତ ୩ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜିଠାରୁ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ଏକାଡେମୀ ଠାରେ ଆରମ୍ଭ ହୋଇଛି । ଜାନୁଆରୀ ୨୯ ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର, ଲାଲବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନିକ ଏକାଡେମୀ ତରଫରୁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ (ଓଏସ୍‌ଡିଏମ୍‌ଏ) ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ (ଏନଡିଏମ୍‌ଏ) ସହଯୋଗରେ ଅନୁଷ୍ଠିତ ହେଉଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଏଲବିଏସଏନଏଏର ନିର୍ଦ୍ଦେଶକ ଶ୍ରୀ ଶ୍ରୀରାମ ତରଣୀକାନ୍ତି, ଉପନିର୍ଦ୍ଦେଶକ ଶ୍ରୀ ଅଭିରାମ ଜି.ଶଙ୍କର, ଏମଡିଆରଏଏଫ୍ଏମର ନିର୍ଦ୍ଦେଶକ ଶ୍ରୀ ଅଶୋକ କୁମାର ମହାନ୍ତି ଯୋଗ ଦେଇଥିଲେ । ଅନୁଷ୍ଠିତ ପ୍ରଶିକ୍ଷଣରେ ଓଡ଼ିଶା ସମେତ ତାମିଲନାଡୁ, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ, ତ୍ରିପୁରା ଆଦି ରାଜ୍ୟରୁ ୨୬ ଜଣ ଆଇଏଏସ ଅଧିକାରୀ ପ୍ରଶିକ୍ଷଣ ନେଉଛନ୍ତି ।
ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଉଦାହରଣ ଦର୍ଶାଇ ବିପର୍ଯ୍ୟୟ ପୂର୍ବରୁ, ବିପର୍ଯ୍ୟୟ ସମୟରେ ଓ ବିପର୍ଯ୍ୟୟ ପରେ କିପରି ପଦକ୍ଷେପ ନେବାକୁ ହୋଇଥାଏ ସେ ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ୧୯୬୯ ମସିହା ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଓଡ଼ିଶା ସମ୍ମୁଖୀନ ହୋଇଥିବା ବିଭିନ୍ନ ବାତ୍ୟାରେ କିପରି ଧନଜୀବନ କ୍ଷୟକ୍ଷତି ଘଟିଥିଲା ଏବଂ ବିଗତ ୨୦ ବର୍ଷ ଧରି ଓଡ଼ିଶା କିପରି ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସଫଳଭାବେ ମୁକାବିଲା କରି ଧନଜୀବନ କ୍ଷୟକ୍ଷତିକୁ ହ୍ରାସ କରାଯାଇପାରିଛି, ସେ ସଂପର୍କରେ ଆଲୋକପାତ କରିଥିଲେ ।
ମୁଖ୍ୟ ଶାସନ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଶୂନ ମୃତାହତ ଏବଂ ପ୍ରତ୍ୟେକ ଜୀବନ ମୁଲ୍ୟବାନକୁ ଗୁରୁତ୍ୱ ଦେଇଆସିଛନ୍ତି । ଏହି ଆଧାରରେ ଓଡ଼ିଶା ସରକାର ସମ୍ମିଳିତ ପ୍ରୟାସରେ ପ୍ରତ୍ୟେକ ବିପର୍ଯ୍ୟୟକୁ ମୁକାବିଲା କରିଆସିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ୧୯୯୯ ମହାବାତ୍ୟା ସମୟର କ୍ଷୟକ୍ଷତିରୁ ଓଡିଶା ଶିକ୍ଷାଲାଭ କରି ବିଗତ ବର୍ଷ ଗୁଡିକରେ ଘଟିଯାଇଥିବା ଓ ବାତ୍ୟା ବିପର୍ଯ୍ୟୟକୁ କିପରି ସଫଳ ମୁକାବିଲା କରାଯାଇ ଧନଜୀବନ କ୍ଷୟକ୍ଷତିକୁ ରୋକିବାରେ ଆଶାନୁରୂପ ସଫଳତା ମିଳିଛି, ସେ ସଂପର୍କରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଓ ଅନୁଭୂତି ସଂପର୍କରେ ସେ ପ୍ରକାଶ କରିଥିଲେ ।
ବିଭିନ୍ନ ଦେଶ ଓ ରାଜ୍ୟମାନଙ୍କର ଉଦାହରଣ ଦେଇ ସେ କହିଥିଲେ ଯେ, ଅଧୂନା ଅତ୍ୟାଧୁନିକ ବୈକ୍ଷୟିକ ଜ୍ଞାନ କୌଶଳର ଉନ୍ନତି ଘଟିଥିଲେ ମଧ୍ୟ, ବର୍ତ୍ତମାନ ଯେପରି ଭାବେ ଜଳବାୟୁ ପରିବର୍ତ୍ତନ ଘଟୁଛି, ବାତ୍ୟାର ତୀବ୍ରତା ଓ ବାରମ୍ବାରତା ସମ୍ପର୍କରେ ସଠିକ୍ ଆକଳନ କରିବା କଷ୍ଟକର ହେଉଛି । ଏପରି ସ୍ଥଳେ ବିଭିନ୍ନ ସ୍ତରରେ କାର୍ଯ୍ୟକରୁଥିବା ଆଇଏଏସ୍ ଅଧିକାରୀମାନେ ନିଜକୁ ଏଭଳି ଅସ୍ୱାଭାବିକ ସମୟକୁ ମୁକାବିଲା କରିବା ପାଇଁ ନିଜକୁ ପ୍ରସ୍ତୁତ କରିବା, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ନିଜର ଜ୍ଞାନ ବୃଦ୍ଧି କରିବା ସହ ନିଜ ନିଜ ସ୍ତରରେ ଟିମ୍‌ (ଦଳ) ପ୍ରସ୍ତୁତ ରଖିବା ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଆମର ବିଭିନ୍ନ ବ୍ୟବସ୍ଥାରେ ରହିଥିବା କ୍ଷେତ୍ରସ୍ତରରେ ପ୍ରସ୍ତୁତି ଓ ଟିମ୍ ଓ୍ୱାର୍କ ଯୋଗୁଁ ବାଲେଶ୍ୱରର ବାହାନଗା ଠାରେ ଗତ ଜୁନ୍ ମାସରେ ଘଟିଥିବା ରେଳ ଦୁର୍ଘଟଣା ସମୟରେ ୧୩୦୦ରୁ ଊର୍ଦ୍ଧ୍ୱ ଆହତମାନଙ୍କୁ ଚିକିତ୍ସା ପ୍ରଦାନ ବ୍ୟବସ୍ଥା ସହ ଓ ୫୭୬ ଜଣଙ୍କୁ ତୁରନ୍ତ ଅସ୍ତ୍ରୋପଚାର କରାଯାଇପାରିଥିଲା । ବିପର୍ଯ୍ୟୟ ମୁକାବିଲା ପାଇଁ ପୂର୍ବରୁ ଯନ୍ତ୍ରପାତି ପ୍ରସ୍ତୁତ ରହିଥିବା, ବାର୍ଷିକ ମକ୍‌ ଡ୍ରିଲ ହେବା, ଆମର ମାନବ ସମ୍ବଳର ଦକ୍ଷତା ବୃଦ୍ଧି ଆଦି ବିପର୍ଯ୍ୟୟ ପରିଚାଳନାରେ ପ୍ରମୁଖ ଭୂମିକା ନିର୍ବାହ କରୁଛି ବୋଲି ସେ କହିଥିଲେ । ଏଥି ସହିତ ବିପର୍ଯ୍ୟୟ ପରିଚାଳନା ସମୟରେ ମାନକ ପରିଚାଳନା ପଦ୍ଧତି (ଏସଓପି) ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ଦ୍ଧାରଣ କରୁଛି ବୋଲି ସେ କହିଥିଲେ । ସମ୍ମିଳିତ ପ୍ରୟାସରେ ଟିମ୍‌ ଭାବେ କାର୍ଯ୍ୟ କରିବା ପ୍ରଶାସନିକ ଅଧିକାରୀଙ୍କୁ ସଫଳତା ଆଣିଦେବ ବୋଲି ସେ ପ୍ରକାଶ କରିଥିଲେ ।
ଲାଲବାହାଦୁର ଶାସ୍ତ୍ରୀ ପ୍ରଶାସନିକ ଏକାଡେମୀର ନିର୍ଦ୍ଦେଶକ କହିଥିଲେ ଯେ, ଦେଶର ଉପକୂଳ ଜିଲ୍ଲାଗୁଡିକ ସାଧାରଣତଃ ବାତ୍ୟାର ସମ୍ମୁଖୀନ ହୋଇଥାନ୍ତି । ବିପର୍ଯ୍ୟୟ ସମୟରେ ବନ୍ଦରଭିତ୍ତିକ ବାଣିଜ୍ୟ, ରେଳ ନେଟଓ୍ୱର୍କ , ଯୋଗାଣ ପ୍ରକ୍ରିୟା ଆଦି ପ୍ରଭାବିତ ହୋଇଥାଏ । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ରୋଲ ମଡେଲ ହୋଇଛି । ଓଡିଶା ଦେଶର ଅର୍ଥନେତିକ ବିକାଶ ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଦେଶକୁ ଦିଗଦର୍ଶନ ଦେଉଛି । ବିଭିନ୍ନ ରାଜ୍ୟରୁ ଯୋଗଦେଇଥିବା ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା, ଓଡିଶାର ନେତୃତ୍ୱ ଏବଂ ଅଭିଜ୍ଞ ଟିମ୍ ଓ୍ୱାର୍କରୁ ଶିକ୍ଷା ଲାଭ କରିବାର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଥିଲେ । ପ୍ରଶାସନିକ ଅଧିକାରୀମାନେ ଏହି ପ୍ରଶିକ୍ଷଣରୁ ଶିକ୍ଷାଲାଭ କରି ନିଜର ଦକ୍ଷତା ବୃଦ୍ଧି ପୂର୍ବକ କ୍ଷେତ୍ର ସ୍ତରରେ ନିଜକୁ ପ୍ରମାଣିତ କରିବା ଏବଂ ଉତ୍ତମ ଭାବେ କାର୍ଯ୍ୟ ସଂପାଦକ କରିବାକୁ ସେ ପରାମର୍ଶ ଦେଇଥିଲେ ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଯୋଗ ଦେଇ ବିପର୍ଯ୍ୟୟ ସମୟରେ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ବିଭାଗ, ସହଯୋଗୀ ଅନୁଷ୍ଠାନ, ବିଭିନ୍ନ ସ୍ୱଚ୍ଛାସେବୀ ସଂଗଠନ ଓ ସ୍ଥାନୀୟ ଜନସାଧାରଣ ସମ୍ମିଳିତ ପ୍ରୟାସରେ କିପରି ସକ୍ରିୟ ଭାବେ କାର୍ଯ୍ୟ ତ୍ୱରାନ୍ୱିତ ଓ ସମନ୍ୱୟ କରାଯାଇ ମୁକାବିଲା କରାଯାଇଥାଏ , ସେ ସଂପର୍କରେ ଆଲୋକପାତ କରିଥିଲେ । ଓସଡିଏମଏ ଜେନେରାଲ ମ୍ୟାନେଜର ଶ୍ରୀମତୀ ସୁନୀତା ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ୩ ଦିନ ଧରି ଅନୁଷ୍ଠିତ ହେବାକୁ ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାର ପ୍ରଦେଶରୁ ବିଶେଷଜ୍ଞ ମାନେ ଯୋଗଦେଇ ପ୍ରଶିକ୍ଷଣ ଦେବା ସହିତ ପ୍ରଶିକ୍ଷାର୍ଥୀମାନେ ବିପର୍ଯ୍ୟୟ ପରିଚାଳନା ପରିପ୍ରେକ୍ଷୀରେ ଓଡିଶାର ବିଭିନ୍ନ ସ୍ଥାନକୁ କ୍ଷେତ୍ର ପରିଦର୍ଶନରେ ଯିବାର କାର୍ଯ୍ୟକ୍ରମ ରହିଛି ।


Share It

Comments are closed.