ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ମୁଖ୍ୟ ପଠନ ଗୃହରେ ନାଟକ “ବକ୍ସି ଜଗବନ୍ଧୁ” ମଞ୍ଚସ୍ଥ


ଭୁବନେଶ୍ୱର: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ସମଗ୍ର ରାଜ୍ୟରେ ଏକ ଉତ୍ସାହର ବାତାବରଣ ସୃଷ୍ଟି ହୋଇଛି । ରାଜ୍ୟର ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ କଳା, ସଂସ୍କୃତି ଓ ଐତିହ୍ୟକୁ ନେଇ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏଥିରେ ସବୁ ବର୍ଗ ସହଯୋଗ ପୂର୍ବକ ଅଂଶଗ୍ରହଣ କରୁଥିବା ଲକ୍ଷ୍ୟ କରାଯାଉଛି । ଏହି ମର୍ମରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ମୁଖ୍ୟ ପଠନ ଗୃହରେ ନାଟକ “ବକ୍ସି ଜଗବନ୍ଧୁ” ମଞ୍ଚସ୍ଥ ହୋଇଛି । ଏଥିରେ ବକ୍ସି ଜଗବନ୍ଧୁଙ୍କ ତ୍ୟାଗ ଓ ବିରତ୍ୱର ଗାଥା ପ୍ରତିଫଳିତ ହୋଇଛି । ଓଡ଼ିଆ ଅସ୍ମିତା ପାଇଁ ତାଙ୍କ ମନର ବିପ୍ଳବର ବହ୍ନିକୁ ପ୍ରଜ୍ଜଳିତ କରି ମାତୃଭୂମିର ସୁରକ୍ଷା ପାଇଁ ତାଙ୍କର ସଂଗ୍ରାମ ପ୍ରାତଃ ଚିରସ୍ମରଣୀୟ । ତାଙ୍କ ଧୈର୍ଯ୍ୟ ଓ ସାହାସିକତାକୁ ସମ୍ମାନ ଜଣାଇ ମଞ୍ଚସ୍ଥ ହୋଇଛି ନାଟକ ବକ୍ସି ଜଗବନ୍ଧୁ । ଏହି ନାଟକ ମାଧ୍ୟମରେ ତାଙ୍କ ବୀରତ୍ୱ ନିଖୁଣ ଭାବେ ପ୍ରତିଫଳିତ ହୋଇଛି ।

ନାଟକ “ବକ୍ସି ଜଗବନ୍ଧୁ” ସୌଭାଗିନୀ ରାୟ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଧୀର ମଲ୍ଲିକ, ସହ ନିର୍ଦ୍ଦେଶନାରେ ମନୋଜ ସାହୁ, ସଂଗୀତରେ ଥିଲେ ପ୍ରତାପ ରାଉତ । ଏହାକୁ ଶତାବ୍ଦୀର କଳାକାର ମାନେ ପରିବେଷଣ କରିଥିବା ବେଳେ ଅପୂର୍ବ, ଜିତ, କାର୍ତ୍ତିକ, ସମ୍ବିତ, ସତ୍ୟ, ମଳୟ, ଲଷ୍ମୀକାନ୍ତ, ପ୍ରକାଶ, ଶୁଭ, ଅଶୋକ, ଆଶିଷ, ସୌମ୍ୟ ପ୍ରମୁଖ ଚରିତ୍ରାଭିନୟ କରିଥିଲେ । ଗ୍ରନ୍ଥାଗାରର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀମତୀ ଅତସୀ ଦାସ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ନାଟକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ।

ସ୍ଥାନୀୟ ଜନତା ମଇଦାନ ଠାରେ ଆସନ୍ତା ଫେବୃଆରୀ ୩ ତାରିଖରୁ ତିନି ଦିନ ଧରି ଏହି ସମ୍ମିଳନୀ ଆୟୋଜିତ ହେବ । ଏଥିରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, କଳା ଓ ଐତିହ୍ୟକୁ ନେଇ ଅନେକ ତର୍କ ଭିତ୍ତିକ ଆଲୋଚନା ମାନ ହେବା ସହ ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ଏହି ସମ୍ମିଳନୀ ସହାୟକ ହେବ ।


Share It

Comments are closed.