ମିଳିତ ଗବେଷଣା ନିମନ୍ତେ ସୋଆ ଓ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ସଂସ୍ଥାନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ


ଭୁବନେଶ୍ୱର, ଏପ୍ରିଲ ୨ : ଔଷଧୀୟ ଉଦ୍ଭିଦର ସୁସ୍ଥକାରୀ ଗୁଣ ବିଷୟରେ ଉଚ୍ଚତର ଗବେଷଣା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ବିଶ୍ୱବିଦ୍ୟାଳୟ ଓ ଆୟୁଷ ମନ୍ତ୍ରଣାଳୟ ଅଧୀନସ୍ଥ ସ୍ଥାନୀୟ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ସଂସ୍ଥାନ ମଧ୍ୟରେ ନିକଟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ବିଶ୍ୱବିଦ୍ୟାଳୟର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ ଓ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ସଂସ୍ଥାନ ପକ୍ଷରୁ ଏହାର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡକ୍ଟର ଶାରଦା ଓତା ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ ।
ଏହି ଗବେଷଣା ପ୍ରକଳ୍ପ ଟିକୁ କେନ୍ଦ୍ରୀୟ ଆୟୁର୍ବେଦ ବିଜ୍ଞାନ ଗବେଷଣା ପରିଷଦ ପକ୍ଷରୁ ଆର୍ଥିକ ଅନୁଦାନ ପ୍ରଦାନ କରାଯିବ ।
ସୋଆ ପରିଚାଳିତ ସେଂଟର ଫର୍ ବାୟୋଟେକ୍ନୋଲୋଜିର ପ୍ରଫେସର ପ୍ରତାପ ଚନ୍ଦ୍ର ପଣ୍ଡା ଓ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା କେନ୍ଦ୍ରର ବରିଷ୍ଠ ଗବେଷକ ଡକ୍ଟର ପୂର୍ଣ୍ଣେନ୍ଦୁ ପଣ୍ଡା ଏହି ପ୍ରକଳ୍ପର ମୁଖ୍ୟ ଗବେଷକ ଭାବେ କାର୍ଯ୍ୟ କରିବେ । ଏହା ବ୍ୟତୀତ ସୋଆ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ପ୍ରଫେସର ଦୁର୍ଗା ମାଧବ କର, ପ୍ରଫେସର ଅନିନ୍ଦ୍ୟ ବୋଷ ଓ ସେଂଟର ଫର୍ ବାୟୋଟେକ୍ନୋଲୋଜିର ଡକ୍ଟର ଅସିତ ରାୟ ଏହି ଗବେଷଣା କାର୍ଯ୍ୟ ତଦାରଖ କରିବେ ।
ଏହି ଗବେଷଣା ପ୍ରକଳ୍ପର ସଫଳ ରୂପାୟନ ପାଇଁ ସୋଆ ପକ୍ଷରୁ ଆୟୁଷ ମନ୍ତ୍ରଣାଳୟ ଓ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପରିଷଦର ମହାନିର୍ଦ୍ଦେଶକ ପ୍ରଫେସର ରବି ନାରାୟଣ ଆଚାର୍ଯ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।


Share It

Comments are closed.