ଚିଲିରେ ବିଶାଳକାୟ ରହସ୍ୟମୟ ଗର୍ତ୍ତ, ଆତଙ୍କିତ ଅଞ୍ଚଳବାସୀ


ଚିଲିରେ ଏକ ବିଶାଳ ଗର୍ତ୍ତ ସୃଷ୍ଟି ହୋଇଛି, ଯାହା ସମଗ୍ର ଅଞ୍ଚଳବାସୀଙ୍କୁ ଆତଙ୍କିତ କରିଛି । ଗର୍ତ୍ତର ବ୍ୟାସ ୨୫ ମିଟର (୮୨ ଫୁଟ) । ଗଭୀରତା ୭୦୦ ଫୁଟ । ଗତ ସପ୍ତାହାନ୍ତରେ ଲୁଣ୍ଡିନ୍‌ ମାଇନିଂ ଅଞ୍ଚଳରେ ଏହି ଗର୍ତ୍ତ ସୃଷ୍ଟି ହୋଇଛି । ଏବେ ବି ଏହା କାୟା ବିସ୍ତାର କରୁଛି ବୋଲି ଏହାର ଯାଞ୍ଚ୍‌କର୍ତ୍ତା ଚିଲିର ନ୍ୟାସ୍‌ନାଲ ସର୍ଭିସ୍‌ ଅଫ୍‌ ଜିଓଲୋଜି ଆଣ୍ଡ ମାଇନିଂ କର୍ତ୍ତୃପକ୍ଷ କହିଛନ୍ତି । ଏହା ଅତୀତରେ ଦେଖାଯାଇଥିବା ସର୍ବବୃହତ ରହସ୍ୟମୟୀ ଗର୍ତ୍ତ ବୋଲି ସେମାନେ କହିଛନ୍ତି । କୋପିଆପୋ ସହରର ଆଖପାଖ ଅଞ୍ଚଳକୁ ଏହା ଗିଳିଦେବ ବୋଲି ମଧ୍ୟ ଆଶଙ୍କା କରୁଛନ୍ତି । ଗର୍ତ୍ତ ତଳେ କୌଣସି ଉପକରଣ ସେମାନେ ଚିହ୍ନଟ କରିନାହାନ୍ତି, କିନ୍ତୁ ପ୍ରଚୁର ପାଣି ରହିଥିବା କଥା ସ୍ପଷ୍ଟ କରିଛନ୍ତି । ସେପଟେ ଏଠାରେ କାର୍ଯ୍ୟରତ କାନାଡ଼ାର ଲୁଣ୍ଡିନ୍‌ ମାଇନିଂ କମ୍ପାନି କହିଛି, ଗର୍ତ୍ତ ଦ୍ୱାରା ଏବେ ସୁଦ୍ଧା କୌଣସି କର୍ମଚାରୀ ପ୍ରଭାବିତ ହୋଇନାହାନ୍ତି । ଚିହ୍ନଟ ହେବା ପରଠୁ ଗର୍ତ୍ତର ଆକାର ସ୍ଥିର ଅଛି । ଗର୍ତ୍ତ ଚିହ୍ନଟ ହେବା ପରଠୁ ସମଗ୍ର ଅଞ୍ଚଳକୁ ଖାଲି କରାଯାଇଛି । ଗର୍ତ୍ତ ସୃଷ୍ଟି ହେବାର କାରଣ ଜାଣିବା ପାଇଁ ବୈଷୟିକ ବିଶ୍ଳେଷଣ ଚାଲିଛି । ଗର୍ତ୍ତଠାରୁ ମାତ୍ର ୬୦୦ ମିଟର ଦୂରରେ ଏକ ଘର ରହିଥିବାବେଳେ ଜନବସତି ଅଞ୍ଚଳ ୧ କିମି ଦୂରରେ ଅବସ୍ଥିତ । ସମସ୍ତଙ୍କୁ ଏ ବିଷୟରେ ସତର୍କ କରାଯାଇଛି । ଏଭଳି ନାଟକୀୟ ଘଟଣାର କାରଣ ଏବେ ଅସ୍ପଷ୍ଟ । ତେବେ ଉକ୍ତ ଅଞ୍ଚଳରେ ଖନନ କାର୍ଯ୍ୟ ଯୋଗୁ ଗର୍ତ୍ତ ସୃଷ୍ଟି ହୋଇଥିବା ସ୍ଥାନୀୟ ଅଞ୍ଚଳର ମେୟର କ୍ରିଷ୍ଟୋବାଲ୍‌ ଜୁନିଗା କହିଛନ୍ତି ।


Share It

Comments are closed.