ଶଶୀ ଥରୁରଙ୍କ ‘ହିନ୍ଦୁ ପାକିସ୍ତାନ’ ମନ୍ତବ୍ୟ ଉପରେ ବର୍ଷିଲେ ସମ୍ବିତ ପାତ୍ର


୨୦୧୯ ଲୋକସଭା ନିର୍ବାଚନକୁ ନେଇ ବିଜେପି ଏବଂ କଂଗ୍ରେସ ସମେତ ସମସ୍ତ ରାଜନୈତିକ ଦଳ ମଧ୍ୟରେ ଟଣା ଓଟରା ଲାଗି ରହିଥିବାବେଳେ ଏହି ସମୟରେ କଂଗ୍ରେସ ନେତା ଶଶୀ ଥରୁର ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତି ୨୦୧୯ ଲୋକସଭା ନିର୍ବାଚନରେ ଯଦି ଭାରତୀୟ ଜନତା ପାର୍ଟି ପୁଣି ଥରେ ନିର୍ବାଚନ ଜିତେ ତେବେ ଭାରତକୁ ‘ହିନ୍ଦୁ ପାକିସ୍ତାନ’ ଭଳି କରାଇବାର ପରିସ୍ଥିତି ସୃଷ୍ଟି କରିଦେବ ।
ତିରୁବନ୍ତପୁରମର ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରିବାକୁ ଯାଇ ଶଶୀ ଥରୁର କହିଥିଲେ ଯେ, ବିଜେପି ଏକ ନୂଆ ସମ୍ବିଧାନ ଲେଖିବ, ଯାହାକି ଭାରତକୁ ପାକିସ୍ତାନ ଭଳି ରାଷ୍ଟ୍ରରେ ପରିବର୍ତ୍ତନ କରାଇଦେବ, ଯେଉଁଠାରେ ସଂଖ୍ୟାଲଘୁ ମାନଙ୍କର ଅଧିକାରକୁ ଛଡାଇ ନିଆଯିବ, ଏବଂ ସେମାନଙ୍କର କୌଣସି ସମ୍ମାନ କରାଯିବ ନାହିଁ । ସେ କହିଛନ୍ତି ଯଦି ବିଜେପି ଦ୍ୱିତୀୟଥର ଲୋକସଭା ନିର୍ବାଚନ ଜିତୁଛି, ତେବେ ଦେଶର ଲୋକତାନ୍ତ୍ରିକ ସମ୍ବିଧାନ ନଷ୍ଠ ହୋଇଯିବ କାରଣ ତାଙ୍କ ପାଖରେ ଭାରତୀୟ ସମ୍ବିଧାନକୁ ନଷ୍ଠ କରିବା ପାଇଁ ଏବଂ ନୂତନ ସମ୍ବିଧାନ ପ୍ରସ୍ତୁତ କରିବା ପାଇଁ ସମସ୍ତ ତତ୍ତ୍ୱ ମହଜୁଦ ରହିଛି ।
ସେ କହିଛନ୍ତି ଯେ, ବିଜେପି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ନୂତନ ସମ୍ବିଧାନ ସମ୍ପୂର୍ଣ୍ଣ ରୂପରେ ହିନ୍ଦୁ ରାଷ୍ଟ୍ରର ସମ୍ବିଧାନ ଉପରେ ଅଧାରିତ ଅଟେ, ଯାହା ଦ୍ୱାରା ସଂଖ୍ୟାଲଘୁ ଅଧିକାରୀମାନଙ୍କର ଅଧିକାରକୁ ଛଡାଇ ନିଆଯିବ ସହ ଦେଶକୁ ‘ହିନ୍ଦୁ ପାକିସ୍ତାନ’ ରାଷ୍ଟ୍ରରେ ପରିଣତ କରାଇଦେବ ।
ଏହାର ଜବାବରେ ବିଜେପି ନେତା ସମ୍ବିତ ପାତ୍ର କହିଛନ୍ତି ଯେ, ଶଶୀ ଥରୁର ଯାହା ବି କହିଛନ୍ତି ସେଥିପାଇଁ ରାହୁଲ ଗାନ୍ଧୀଙ୍କୁ ଭୁଲ ମାଗିବା ଉଚିତ କାରଣ ପାକିସ୍ତାନର ନିର୍ମାଣ ପାଇଁ କଂଗ୍ରେସ ଦାୟୀ ରହିଥିବା ବେଳେ ପୁଣି ଥରେ ଦେଶକୁ ନିଚା ଦେଖାଇବା ସହ ହିନ୍ଦୁମାନଙ୍କୁ ବଦନାମ କରିବାରେ ଲାଗିଛି କଂଗ୍ରେସ ।

ସମ୍ବିତ ପାତ୍ର ଟ୍ୱିଟ କରି କହିଛନ୍ତି ଯେ, ‘ଶଶୀ ଥରୁର କହିଛନ୍ତି ଯେ ଯଦି ୨୦୧୯ରେ ବିଜେପି ଆସିବ ତେବେ ଭାରତ ହିନ୍ଦୁ ପାକିସ୍ତାନ ହୋଇଯିବ! ନିଲ୍ଲଜ କଂଗ୍ରେସ ଭାରତ ନିଚା ଦେଖାଇବା ପାଇଁ ଏବଂ ହିନ୍ଦୁଙ୍କୁ ବଦନାମ କରିବା ପାଇଁ କୌଣସି ମଉକା ଛାଡୁ ନାହିଁ । ‘ହିନ୍ଦୁ-ଆତଙ୍କବାଦୀ’ ଠାରୁ ଆରମ୍ଭ କରି ‘ହିନ୍ଦୁ-ପାକିସ୍ତାନ’ ବୋଲି କହିବା କଂଗ୍ରେସ ନେତାମାନଙ୍କର ପାକିସ୍ତାନକୁ ଖୁସି କରାଇବାର ଏକ ପ୍ରୟାସ ।


Share It

Comments are closed.