ୟୁକ୍ରେନ୍‌ରେ ଯୁଦ୍ଧ ବିଭୀଷିକା : ଏଟିଏମ୍, ଗ୍ୟାସ୍ ଷ୍ଟେସନ୍ ଖାଲି… ମିଳୁନି ଔଷଧ ଓ ଖାଦ୍ୟପାନୀୟ, ରେଲୱେ ଷ୍ଟେସନରେ ଲମ୍ବା ଲାଇନ୍


ୟୁକ୍ରେନ୍‌ରେ ଋଷର ବିଧ୍ଵଂସଲୀଳା ଜାରି ରହିଛି। ୟୁକ୍ରେନ୍‌ର ରାଜଧାନୀ କିୱରେ ଋଷ ଲଗାତର ମିଶାଇଲ୍ ଆକ୍ରମଣ କରୁଛି। ଏହି ବିଧ୍ଵଂସଲୀଳାରୁ ବର୍ତ୍ତିବା ପାଇଁ ଲୋକମାନେ ମେଟ୍ରୋ ଷ୍ଟେସନ୍‌ରେ ଶରଣ ନେଉଛନ୍ତି। ୟୁକ୍ରେନ୍‌ର ସ୍ଥିତି ବିଗିଡିବାକୁ ଲାଗୁଛି। ଏଟିଏମ୍ ଏବଂ ଗ୍ୟାସ୍ ଷ୍ଟେସନ ଖାଲି ହୋଇଗଲାଣି। ସୁପରମାର୍କେଟ୍‌ରେ ମଧ୍ୟ କିଛି ମିଳୁନାହିଁ। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୟୁକ୍ରେନ୍‌ରେ ରହୁଥିବା ଜଣେ ଚୀନ ନାଗରିକ ଏକ ଭିଡିଓ ସେୟାର କରି ସେଠାରେ ଦୁଃଖଦ ଚିତ୍ର ଦେଖାଇଛନ୍ତି। ଏହି ଭିଡିଓରେ ରେଲୱେ ଷ୍ଟେସନରେ ଏବଂ ଦୋକାନ ବାହାରେ ଲୋକମାନଙ୍କର ଲମ୍ଵା ଲାଇନ୍ ଲାଗିଥିବା ଦେଖିବାକୁ ମିଳୁଛି।

ଦେଶରେ ବର୍ତ୍ତମାନର ଅସ୍ଥିର ସ୍ଥିତି ପାଇଁ ଲୋକମାନେ ଅତ୍ୟାବଶ୍ୟକ ଜିନିଷ ଜମା କରିବାକୁ ଲାଗିଛନ୍ତି। ରେଲୱେ ଷ୍ଟେସନରେ ନିର୍ଦ୍ଦେଶ ହିସାବରେ ଟ୍ରେନ୍ ଚାଲିଛି। ସଡକରେ ଗାଡି ଗୁଡିକର ଲମ୍ବା ଜାମ୍ ଲାଗିଛି। ରାସନ ଦୋକାନ ମଧ୍ୟ ଖାଲି ହେବାକୁ ବସିଲାଣି। ଦୋକାନୀ କାର୍ଡ ପେମେଣ୍ଟ କରୁ ନାହାଁନ୍ତି। ଘନ-ଘନ ମିଶାଇଲ ମାଡ଼ରେ ୟୁକ୍ରେନ ଥରହର ହୋଇଉଠିଛି । ଚାରିଆଡ଼େ ଜଳୁଛି ନିଆଁ । ଧ୍ୱଂସସ୍ତୁପ ପାଲଟିଛି ସାମରିକ ଘାଟି । ୟୁକ୍ରେନ ରାଜଧାନୀ କିୱ ଠାରୁ ଆରମ୍ଭ କରି ସୀମାବର୍ତ୍ତୀ ଅଞ୍ଚଳ ସବୁଠି ଭୟର ବାତାବରଣ । ଗୁଳିଗୁଳା, ତୋପ ଏବଂ ଟ୍ୟାଙ୍କର ଶବ୍ଦରେ ଗୁଞ୍ଜରିତ ୟୁକ୍ରେନ । ଆସନ୍ନ ମୃତ୍ୟୁର ଭୟରେ କାଳାତିପାତ କରୁଛନ୍ତି ୟୁକ୍ରେନ ବାସିନ୍ଦା ।


Share It

Comments are closed.