ତୃତୀୟ ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନେଟ ଲାଭରେ ୧୦.୯ ପ୍ରତିଶତ ବୃଦ୍ଧି


ଭୁବନେଶ୍ୱର: ଭାରତର ସର୍ବବୃହତ ଘରୋଇ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ଼ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ଅକ୍ଟୋବର ରୁ ଡିସେମ୍ବର ୨୦୨୩ ତ୍ରୟମାସରେ କମ୍ପାନୀର ନେଟ ଲାଭ ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ୧୦.୯ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡିଛି । ତୈଳ ବ୍ୟବସାୟ କ୍ଷେତ୍ରରେ ଆୟ ଉପରେ ପୂର୍ବ ନିର୍ଦ୍ଧାରିତ ମେଣ୍ଟେନାନ୍ସ (ରକ୍ଷଣାବେକ୍ଷଣ) କାର୍ଯ୍ୟ ପାଇଁ ପଡିଥିବା ପ୍ରଭାବ ରିଟେଲ ଏବଂ ଟେଲିକମ ବ୍ୟବସାୟରେ ସ୍ଥିର ପ୍ରଦର୍ଶନ ବଳରେ ଭରଣା ହୋଇପାରିଛି ।

ଅକ୍ଟୋବର ରୁ ଡିସେମ୍ବର ୨୦୨୩ ତ୍ରୟମାସରେ କମ୍ପାନୀର ନେଟ ଲାଭ ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ୧୦.୯ ପ୍ରତିଶତ ବୃଦ୍ଧି ପାଇ ୧୯୬୪୧ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଗତ ଆର୍ଥିକ ବର୍ଷର ସମାନ ତ୍ରୟମାସରେ କମ୍ପାନୀର ନେଟ ଲାଭ ୧୭୭୦୬ କୋଟି ଟଙ୍କା ରହିଥିଲା ।

ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୋଟ ଆୟ ପୂର୍ବ ବର୍ଷ ତୁଳନାରେ ୩.୨ ପ୍ରତିଶତ ବୃଦ୍ଧି ସହିତ ୨.୪୮ ଲକ୍ଷ କୋଟି ରହିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଏହି ଅବଧିରେ ରିଲାଏନ୍ସ ରିଟେଲ ର ନେଟ ଲାଭ ପୂର୍ବ ବର୍ଷ ତୁଳନାରେ ୩୧.୯ ପ୍ରତିଶତ ବୃଦ୍ଧି ପାଇ ୩୧୬୫ କୋଟି ଟଙ୍କା ହୋଇଥିବା ବେଳେ ତ୍ରୈମାସିକ ରାଜସ୍ବ ୨୨.୮ ପ୍ରତିଶତ ବୃଦ୍ଧି ପାଇ ରେକର୍ଡ ୮୩୦୮୩ କୋଟି ଟଙ୍କା ହୋଇଥିବା ଜଣାପଡିଛି । ତୃତୀୟ ତ୍ରୟମାସରେ ରିଲାଏନ୍ସ ରିଟେଲ ପକ୍ଷରୁ ୨୫୨ ଟି ନୂଆ ଷ୍ଟୋର ଖୋଲାଯିବା ସହିତ ଏହାର ମୋଟ ଷ୍ଟୋର ସଂଖ୍ୟା ୧୮୭୭୪ ରେ ପହଁଚିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିଭଳି ଜିଓ ପ୍ଲାଟଫର୍ମସର ତ୍ରୈମାସିକ ନେଟ ଲାଭ ଗତ ବର୍ଷ ତୁଳନାରେ ୧୧.୬ ପ୍ରତିଶତ ବୃଦ୍ଧି ସହ ୫୪୪୫ କୋଟି ଟଙ୍କା ରହିଥିବା ଜଣାପଡିଛି ।


Share It

Comments are closed.