୨୪ତମ ଏଟଂରପ୍ରାଇଜ୍ ଓଡ଼ିଶା ୨୦୨୪ରେ ଓଡ଼ିଶାକୁ ସମୃଦ୍ଧ କରିବା ପାଇଁ ସାରଗର୍ଭକ ଆଲୋଚନା


ଝାରସୁଗୁଡ଼ା, ୨୦ ଜାନୁଆରି ୨୦୨୪: ଝାରସୁଗୁଡ଼ାର ପ୍ରଦର୍ଶନୀ ପଡ଼ିଆରେ ୨୦୨୪ ଜାନୁଆରି ୧୯ରୁ ଶୁଭାରମ୍ଭ ହୋଇଥିବା ୨୪ତମ ସିଆଇଆଇ ଏଂଟରପ୍ରାଇଜ୍ ଓଡ଼ିଶା ୨୦୨୪ର ଦ୍ୱିତୀୟ ଦିନରେ ଆଜି ଅନୁଷ୍ଠିତ ହୋଇଥିବା ସାରଗର୍ଭକ ଆଲୋଚନା ହୋଇଥିଲା ଯେଉଁଥିରେ ଓଡ଼ିଶା କିଭଳି ଆହୁରି ସମୃଦ୍ଧ ହୋଇପାରିବ ଏବଂ ବିଭିନ୍ନ କ୍ଷେତ୍ର କିଭଳି ବିକାଶ ପ୍ରକ୍ର୍ରି୍ର୍ରୟାରେ ଉନ୍ନତ ଯୋଗଦାନ ଦେଇପାରିବେ ତାହା ଉପରେ ବକ୍ତା ଓ ବିଶେଷଜ୍ଞମାନେ ଆଲୋଚନା କରିଥିଲେ । ଓଡ଼ିଶାରେ ରହିଥିବା ବିପୁଳ ସମ୍ଭାବନାକୁ କିଭଳି ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲାଗି ବ୍ୟବହାର କରାଯାଇପାରିବ ତାହା ଉପରେ ଏହି ଆଲୋଚନାଗୁଡ଼ିକ କେନ୍ଦ୍ରୀତ ଥିଲା । ସେହି ଅଧିବେଶନଗୁଡ଼ିକରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇପିକଲ୍ ଓ ଇଡ୍‌କୋ ଏମ୍‌ଡି ଭୂପେନ୍ଦ୍ର ସିଂହ ପୁନିଆ ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଳାପାଳ ଓ ଅନ୍ୟ ବିଶିଷ୍ଟ ବକ୍ତାମାନେ ଅଂଶଗ୍ରହଣ କରିଥିଲେ ।

କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣରେ ସୁଯୋଗ ସମ୍ପର୍କିତ ଅଧିବେଶନରେ ବକ୍ତାମାନେ ଚାଷୀ ଓ କୃଷି ଉଦ୍ୟୋଗୀଙ୍କ ପାଇଁ ରହିଥିବା ସୁଯୋଗ ଉପରେ ଆଲୋକପାତ କରିଥିଲେ । ରାଜ୍ୟର ସବୁ ବିଭାଗଗୁଡ଼ିକ ମଧ୍ୟରୁ ଜଳ ସମ୍ପଦ ବିଭାଗ ସର୍ବାଧିକ ବ୍ୟୟ କରୁଛି । ତାହାର ସିଧାସଳଖ ଲାଭ ଚାଷୀମାନେ ପାଉଛନ୍ତି । ସୁଯୋଗର ସଦୁପଯୋଗ କରି ବିବିଧ ଫସଲ, ଲାଭକାରୀ ଫସଲ ଚାଷ କରିବା ଏବଂ ଲଘୁ ଉଦ୍ୟୋଗ ଗଠନ କରି ନିଜର ଆୟ ବଢ଼ାଇବା ଲାଗି ଉଦ୍ୟମ କରିବାକୁ ବକ୍ତମାନେ ଚାଷୀ ବର୍ଗଙ୍କୁ ପରାମର୍ଶ ଦେଇଛନ୍ତି । ନାନୋ ୟୁରିଆ ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ବକ୍ତାମାନେ କହିଥିଲେ । ଏଥି ସହିତ ଅମଳ ହେଉଥିବା କୃଷିଜାତ ସାମଗ୍ରୀକୁ କିଭଳି ବଜାରରେ ପହଂଚାଇହେବ ଏବଂ ସେଗୁଡ଼ିକରରୁ ଅଧିକରୁ ଅଧିକ ପ୍ରକ୍ରିୟାକରଣ ଉପରେ ଗୁରୁତ୍ୱ ଦେବାକୁ କୃଷି ଉଦ୍ୟୋଗୀମାନଙ୍କୁ ପରାମର୍ଶ ଦିଆଯାଇଥିଲା ।

ଏହି ଅଧିବେଶନରେ ବକ୍ତା ଭାବେ ଇପିକଲ୍ ଓ ଇଡ୍‌କୋର ଏମ୍‌ଡି ଭୂପେନ୍ଦ୍ର ସିଂହ ପୁନିଆ, ସିଞ୍ଜେଟା ଫାଉଣ୍ଡେସନ ଫର ସଷ୍ଟେନେବଲ୍ ଏଗ୍ରିକଲ୍‌ଚର୍‌ର ଆଡ୍‌ଭାଇଜର୍ ଏମେରିଟସ ଡକ୍ଟର ପାର୍ଥ ଆର୍ ଦାସ ଗୁପ୍ତା, ଆବିସ ଏକ୍ସପୋର୍ଟର ଉପସଭାପତି ବର୍ଷା ଝା, କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡି, ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଉପାଧ୍ୟକ୍ଷ ଡକ୍ଟର ପ୍ରଦୀପ ମହାନ୍ତି ଓ ଆଇଟିସି ଲିମିଟେଡ୍‌ର ଉପସଭାପତି-ଏଗ୍ରି ଆଣ୍ଡ୍ ଡେରି ଅପରେସନ୍ ସଚିନ ଶର୍ମା ବକ୍ତା ଭାବେ ଯୋଗଦେଇଥିଲେ ।

ଦକ୍ଷତା ବିକାଶ ସମ୍ପର୍କିତ ଅଧିବେଶନରେ ଶିଳ୍ପ ଓ ଶିକ୍ଷାନୁଷ୍ଠାନ ଭିତରେ ସହଯୋଗିତା ବଢ଼ାଇ ଅଧିକ ଦକ୍ଷତ ମାନବ ସମ୍ବଳ ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଟାଟା ମୋଟର୍ସ, ହିରୋ ମୋଟୋକର୍ପ, ଅଶୋକ ଲେଲ୍ୟାଣ୍ଡ ଓ ଟାଟା ଷ୍ଟିଲ୍‌, ହିଣ୍ଡାଲ୍‌କୋ ସହଯୋଗରେ ରାଜ୍ୟର ବିଭିନ୍ନ ଆଇଟିଆଇରେ ଶିଳ୍ପ ପାଇଁ ଉପଯୋଗୀ ମାନବ ସମ୍ବଳ ସୃଷ୍ଟି କରାଯାଉଛି । ସେଠାରେ ଲୋକମାନେ ଜୀବନ କୌଶଳ ବିଷୟରେ ମଧ୍ୟ ଶିକ୍ଷା ଦିଆଯାଉଛି । ଭୁବନେଶ୍ୱରରେ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ରରେ ଉଚ୍ଚତର ଦକ୍ଷ ମାନବ ସମ୍ବଳ ସୃଷ୍ଟି ଉପରେ ଧ୍ୟାନ ଦିଆଯାଉଛି । ଏହା ଦ୍ୱାରା ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଚାହୁଥିବା ସଂସ୍ଥାଗୁଡ଼ିକ ଉପଯୁକ୍ତ ମାନବ ସମ୍ବଳ ପାଇପାରିବେ ଏବଂ ପ୍ରତିଦ୍ୱନ୍ଦ୍ୱିତାରେ ଆଗରେ ରହିପାରିବେ ବୋଲି ବକ୍ତାମାନେ କହିଛନ୍ତି । ଏହି ଅଧିବେଶନରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା, ଥାଇସେନକ୍ରୁପ ଇଣ୍ଡଷ୍ଟ୍ରିଜ୍‌ର ନିର୍ଦ୍ଦେଶକ ଇନ୍ଦ୍ରନୀଲ ରାୟ, ହ୍ୱିପବକ୍ସର ପ୍ରତିଷ୍ଠାତା ନିର୍ମଳ ସିଂହ, ଜିଆଇଜେଡ୍ ଇଣ୍ଡିଆର ମହମ୍ମଦ ଭର୍ଦନ, ଟାଟା ଷ୍ଟ୍ରାଇଭ୍‌ର ସିଓଓ ଅମେୟା ଭଞ୍ଜରି ଓ ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀ ବକ୍ତବ୍ୟ ରଖିଥିଲେ ।

ମିଶନ ଶକ୍ତି ଓ ମହିଳା ସଶକ୍ତକରଣ ଉପରେ ଅନୁଷ୍ଠିତ ସ୍ୱତନ୍ତ୍ର ଅଧିବେଶନରେ ଦେଶ ଓ ରାଜ୍ୟର ଉନ୍ନତି ପାଇଁ ମହିଳାମାନଙ୍କ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଉନ୍ନତି ହେବା ଜରୁରୀ ବୋଲି ବକ୍ତାମାନେ ଆଲୋକପାତ କରିଥିଲେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଗୁଡ଼ିକୁ ଅଧିକ ସଶକ୍ତ କରିବା ଲାଗି ସେମାନଙ୍କ ନିମନ୍ତେ ଫୁଡ୍ ପାର୍କ ଢାଂଚାରେ ସବୁ ଜିଲ୍ଲାରେ ଶିଳ୍ପ ପାର୍କ ସ୍ଥାପନ କରିବା ଉପରେ ଆଲୋଚନା ହୋଇଥିଲା । ସବୁ କ୍ଷେତ୍ରରେ ମହିଳାମାନେ ଯେଭଳି ସଫଳ ଓ ସଶକ୍ତ ହେବେ ସେଥିପାଇଁ ଅନୁକୂଳ ପରିବେଶ ଓ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏସ୍‌ଏଚ୍‌ଜିଗୁଡ଼ିକୁ ଖାଦ୍ୟ ପ୍ରକ୍ର୍ରିୟାକରଣ ଶିଳ୍ପରେ ରହିଥିବା ସୁଯୋଗ ହାସଲ କରିବା ଲାଗି ଆହ୍ୱାନ ଦିଆଯାଇଥିଲା । ଏହି ଅଧିବେଶନରେ ସୌଲ୍‌ର ପ୍ରତିଷ୍ଠାତା ପ୍ରଫେସର ସସ୍ମିତା ସାମନ୍ତ, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆର ସହକାରୀ ମହାପ୍ରବନ୍ଧକ ଏଲ୍ ସଙ୍ଗୀତା କୁଜୁର, ଅଷ୍ଟ୍ରେଲିଆନ୍ କନ୍‌ସୁଲେଟ୍ ଜେନେରାଲ୍‌ର କନ୍‌ସୁଲ୍ ଜେନେରାଲ୍ ରୋୱନ ଏଇନ୍‌ସୱର୍ଥ, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୀମା ଟିଗା ପ୍ରମୁଖ ବକ୍ତା ଭାବେ ଯୋଗ ଦେଇଥିଲେ । ଦିବ୍ୟଜ୍ୟୋତି ଏସ୍‌ଏଚ୍‌ଜିର ସଦସ୍ୟା ପ୍ରେମା ଦାଶ, ମୟୂରଭଞ୍ଜର ସୁମିତା ବାରିକ, ଝାରସୁଗୁଡ଼ା ମା ସମ୍ବଲେଶ୍ୱରୀ ଏସ୍‌ଏଚ୍‌ଜିର କୋଲାବରୀ ଚାନ୍ଦ ନିଜର ଅନୁଭୂତି ବଖାଣିଥିଲେ ।

ଷ୍ଟାର୍ଟଅପ୍ ସମ୍ପର୍କିତ ଅଧିବେଶନରେ ବକ୍ତାମାନେ କହିଥିଲେ ଯେ ଷ୍ଟାର୍ଟଅପ୍‌ଗୁଡ଼ିକ ପାଇଁ ଦୁଇଟି ଜିନିଷ ବହୁତ ଗୁରୁତ୍ୱପୂର୍ଣ୍ଣ । ଉଦ୍ୟୋଗୀ ଓ ଟ୍ରେଡରମାନଙ୍କୁ ସମ୍ମାନ ଜଣାଇବାକୁ ହେବ ଏବଂ ସଜହ ବ୍ୟବସାୟ ବାତାବରଣ ଉପରେ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ସରକାରୀ ସ୍ତରରେ ଓ ସମାଜରେ ଆବଶ୍ୟକ ପରିବର୍ତନ ଆବଶ୍ୟକ । ଉଦ୍ୟୋଗୀ ପରିବାର ତୁଳନାରେ ଅଣ ଉଦ୍ୟୋଗୀ ପରିବାରର ଲୋକମାନେ ଉଦ୍ୟୋଗ ଗଠନ କରିବାକୁ ଆଗେଇ ଆସୁଛନ୍ତି । ଉଦ୍ୟୋଗୀ ପରିବାର ମଧ୍ୟ ବ୍ୟବସାୟ କ୍ଷେତ୍ରରେ ରହିବାର ଆବଶ୍ୟକତା ରହିଛି । ଓଡ଼ିଶାକୁ ଷ୍ଟାର୍ଟଅପ୍ କ୍ଷେତ୍ରରେ ଅଗ୍ରଣୀ ରଖିବା ଲାଗି ସମୟ ଅନୁସାରେ ନିୟମରେ ଦରକାର ହେଉଥିବା ପରିବର୍ତନ ଆଣିବାକୁ ସରକାର ପ୍ରତିବଦ୍ଧ ରହିଛନ୍ତି । ଏହି ଅଧିବେଶନରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଷ୍ଟାର୍ଟଅପ୍ ଓଡ଼ିଶା କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମ୍‌କାର୍ ରାଏ, ଆଇଆଇଏମ୍ ସମ୍ବଲପୁର ନିର୍ଦ୍ଦେଶକ ମହାଦେଓ ଜୟସ୍ୱାଲ, ୟଙ୍ଗ ଇଣ୍ଡିଆର ବିଶାଳ କୁମାର ଅଗ୍ରୱାଲା, ୱାଇଆଇର ପୂର୍ବତନ ଅଧ୍ୟକ୍ଷ ଅବନିଶ ନାୟକ, ସିଆଇଆଇ ୟଙ୍ଗ ଇଣ୍ଡିଆନସ, ଭୁବନେଶ୍ୱରର ଅଧକ୍ଷା, ସୋନାଲ ଏନ ମୋରେ, ପିଡବ୍ଲୁସିର ପାର୍ଟନର ଆଶୁତୋଷ ଚାନ୍ଦ ଓ ଝାରସୁଗୁଡ଼ାର ଏସପିି ପର୍ଶୋତମ ଦାସ ଉପସ୍ଥିତ ଥିଲେ ।


Share It

Comments are closed.