ରିଟେଲ୍ ଋଣ ଅଭିବୃଦ୍ଧିରେ ମନ୍ଥରତା: ଟ୍ରାନ୍ସୟୁନିଅନ୍ ସିବିଲ୍ ରିପୋର୍ଟ


ଭୁବନେଶ୍ୱର: ବ୍ୟାଙ୍କଗୁଡ଼ିକ କ୍ରେଡିଟ୍ କାର୍ଡ, କଂଜ୍ୟୁମର ଡ୍ୟୁରେବଲ୍ ଓ ବ୍ୟକ୍ତିଗତ ଋଣ ପ୍ରଦାନକୁ କଡ଼ାକଡ଼ି କରିବା ପରେ ୨୦୨୩ ଜୁଲାଇ- ସେପ୍ଟେମ୍ବର ତ୍ରୈମାସିକରେ ଖୁଚୁରା ଋଣ ଅଭିବୃଦ୍ଧିରେ ମନ୍ଥରତା ଦେଖିବାକୁ ମିଳିଛି ବୋଲି ଟ୍ରାନ୍ସୟୁନିୟନ୍ ସିବିଲ୍ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ କ୍ରେଡିଟ୍ ମାର୍କେଟ୍ ଇଣ୍ଡିକେଟର (ସିଏମ୍‌ଆଇ) ରିପୋର୍ଟରୁ ଜଣାପଡ଼ିଛି । କ୍ରେଡିଟ୍ କାର୍ଡ ଓ ବ୍ୟକ୍ତିଗତ ଋଣକୁ ବାଦ ଦେଲେ ଅନ୍ୟ ଋଣ ପୋର୍ଟଫୋଲିଓରେ ଉନ୍ନତି ଘଟିଛି । ୨୦୨୩ ସେପ୍ଟେମ୍ବରରେ ସିଏମ୍‌ଆଇ ୧୦୩ ଥିଲା ଯାହା ୨୦୨୨ ସେପ୍ଟେମ୍ବର ତୁଳନାରେ ଚାରି ପଏଂଟ୍ ଅଧିକ । ୨୦୨୧ ସେପ୍ଟେମ୍ବରରେ ତାହା ୮୮ ଭଳି ନିମ୍ନ ସ୍ତରରେ ଥିଲା ।
ଏ ସମ୍ପର୍କରେ ଟ୍ରାନ୍ସୟୁନିଅନ୍ ସିବିଲ୍‌ର ଏମ୍‌ଡି ଓ ସିଇଓ ଶ୍ରୀ ରାଜେଶ କୁମାର କହିଛନ୍ତି ଯେ, “ସଦ୍ୟତମ ସିଏମ୍‌ଆଇରୁ ଜଣାପଡ଼ିଛି ଯେ, ଭାରତୀୟ ଉପଭୋକ୍ତା ଋଣ ବଜାରରେ ସ୍ଥିରତା ଜାରି ରହିଛି କାରଣ ଋଣ ପ୍ରଦାନକାରୀ ଅନୁଷ୍ଠାନଗୁଡ଼ିକ ଗତବର୍ଷ ବଜାରର ଧାରା ଅନୁସାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହି ସ୍ଥିରତା ବିଭିନ୍ନ ଉତ୍ପାଦରେ ସନ୍ତୁଳିତ ଓ ସ୍ଥାୟୀ ଅଭିବୃଦ୍ଧି ପାଇଁ ଏକ ଦୃଢ଼ ମୂଳଦୁଆ ପ୍ରଦାନ କରିଛି । ପୋର୍ଟଫୋଲିଓ ଉପରେ ବ୍ୟାପକ ନିରୀକ୍ଷଣ ସହିତ କମ୍ ବିପଦପୂର୍ଣ୍ଣ ଗ୍ରାହକଙ୍କୁ ଋଣ ପ୍ରଦାନ କରି ଲୋକମାନଙ୍କ ଅଭିଳାଷକୁ ପୂରଣ କରିବା ଦ୍ୱାରା ଭାରତୀୟ ଋଣ ଶିଳ୍ପ ଦୀର୍ଘକାଳୀନ ଅଭିବୃଦ୍ଧି ପଥରେ ସ୍ଥାନିତ ହୋଇପାରିବ ।”
କମ ମୂଲ୍ୟର ଗୃହ ଋଣ ପ୍ରଭାବିତ ହେବା ପରେ ଋଣ ଅଭିବୃଦ୍ଧି ପ୍ରଭାବିତ ହୋଇଛି । ମୂଲ୍ୟ ଦୃଷ୍ଟିରୁ ଗୃହ ଋଣରେ ଅଭିବୃଦ୍ଧି ହାର ୯ ପ୍ରତିଶତ ରହିଛି । ନୂତନ ଭାବେ ଋଣ ନେଉଥିବା ଗ୍ରାହକଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ୨୦୨୨ ସେପ୍ଟେମ୍ବରରେ ସେହି ହାର ୧୭ ପ୍ରତିଶତ ଥିବା ବେଳେ ୨୦୨୩ ସେପ୍ଟେମ୍ବର ସୁଦ୍ଧା ତାହା ୧୪ ପ୍ରତିଶତକୁ ହ୍ରାସ ପାଇଛି । ସାଧାରଣତଃ ଗ୍ରାମାଚଂଳ ଓ ଅର୍ଧ ସହରାଂଚଳର ଯୁବପିଢ଼ି, ମହିଳା ଓ ଗ୍ରାହକମାନେ ପ୍ରଥମ ଥର ଲାଗି ଋଣ ନେଉଥିବା ଗ୍ରାହକଙ୍କ ମଧ୍ୟରେ ଅଧିକ ସଂଖ୍ୟାରେ ରହିଥାନ୍ତି ।
ଯୁବ ଗ୍ରାହକ, ଋଣ ପାଇଁ ନୂଆ ଗ୍ରାହକ ବିପୁଳ ପରିମାଣରେ ଥିବାରୁ ଭାରତୀୟ ଋଣ ବଜାରରେ ଅଭିବୃଦ୍ଧି ପାଇଁ ବ୍ୟାପକ ସୁଯୋଗ ରହିଛ । ସେହି ସୁଯୋଗ ହାସଲ କରିବା ଲାଗି ଋଣ ପ୍ରଦାନକାରୀମାନଙ୍କୁ ଯୋଗ୍ୟ ଗ୍ରାହକଙ୍କୁ ଚିହ୍ନଟ କରିବାକୁ ପଡ଼ିବ ଏବଂ ସେମାନଙ୍କ ପାଖରେ ଋଣ ପହଂଚାଇବାକୁ ପଡ଼ିବ । ସେହି ସମୟରେ ଋଣ ପ୍ରଦାନକାରୀମାନେ ଦୃଢ଼ ଅଣ୍ଡରରାଇଟିଂ ଅଭ୍ୟାସ ଉପରେ ଧ୍ୟାନ ଦେବାକୁ ହେବ ଏବଂ ଏକ ସ୍ଥାୟୀ ଋଣ ଅଭିବୃଦ୍ଧି ଓ ଲାଭ ଲକ୍ଷ୍ୟ ହାସଲ କରିବା ପାଇଁ ଗ୍ରାହକଙ୍କ ବ୍ୟବହାର ଉପରେ ନିୟମିତ ନଜର ରଖିବାକୁ ପଡ଼ିବ ବୋଲି ଶ୍ରୀ କୁମାର କହିଛନ୍ତି ।


Share It

Comments are closed.