ରାମଦେବଙ୍କୁ କଟୁ ସମାଲୋଚନା କଲେ ବିହାର ବିଜେପି ମୁଖ୍ୟ ତଥା ସାଂସଦ ସଞ୍ଜୟ ଜୟସୱାଲ


ବାବା ରାମଦେବ ଓ ଇଣ୍ଡିଆନ୍ ମେଡିକାଲ ଆସୋସିଏନ୍‌ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ଆଇଏମଏ ବାବା ରାମ ଦେବଙ୍କୁ ୧୦୦୦ କୋଟି ଟଙ୍କାର ମାନହାନୀ ନୋଟିସ୍‌ ପଠାଇବା ସହିତ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ବାବାଙ୍କ ବିରୋଧରେ ଦେଶଦ୍ରୋହ ମାମଲା କରାଯାଉ ବୋଲି ଦାବି କରିଛନ୍ତି। ଏହା ମଧ୍ୟରେ ବିହାରର ପଶ୍ଚିମ ଚମ୍ପାଚରଣ ଲୋକସଭାର ବିଜେପି ସାଂସଦ ସଞ୍ଜୟ ଜୟସୱାଲ ଏହି ବିବାଦ ଉପରେ ପ୍ରତିକ୍ରିୟା ଦେଇ ରାମଦେବଙ୍କୁ ନିଶାଣ କରିଛନ୍ତି। ରାମଦେବ ଜଣେ ଯୋଗ ଗୁରୁ, ଯୋଗୀ ନୁହଁନ୍ତି। କାରଣ ଜଣେ ଯୋଗୀ ହିଁ ନିଜର ସମସ୍ତ ଇନ୍ଦ୍ରୀୟ ଉପରେ ନିୟନ୍ତ୍ରଣ ରଖିଥାଏ ବୋଲି କହିଛନ୍ତି।

ଏନେଇ ଫେସ୍‌ବୁକରେ ଏକ ପୋଷ୍ଟ କରି ସଞ୍ଜୟ କହିଛନ୍ତି ଯେ ଯୋଗକୁ ଘରେ ଘରେ ପରିଚିତ କରାଇବାରେ ରାମଦେବଙ୍କର ଯୋଗଦାନକୁ ଅଗ୍ରାହ୍ୟ କରିହେବ ନାହିଁ। ତେବେ ନିରର୍ଥକ କଥା ଉପରେ ପ୍ରତିଯୋଗିତା କରିବା ବର୍ଷ ବର୍ଷର ସାଧନାକୁ ନଷ୍ଟ କରାଯାଇ ପାରିବ ନାହିଁ। ତା ସହିତ ରାମଦେବଙ୍କ କଥାକୁ ସେତେ ଗୁରୁତ୍ୱ ନଦେବାକୁ ଆଇଏମ୍‌ଏକୁ ଅନୁରୋଧ କରିଛନ୍ତି। ଯୋଗ ପ୍ରତି ରାମଦେବଙ୍କ ଜ୍ଞାନ ଉପରେ କୌଣସି ପ୍ରଶ୍ନ କରୁନି। ମାତ୍ର ଯୋଗୀ ତାକୁ କୁହନ୍ତି ଯିଏ ନିଜ ମସ୍ତିଷ୍କ ସହିତ ସମସ୍ତ ଇନ୍ଦ୍ରିୟକୁ ନିଜ ବଶରେ ରଖି ପାରନ୍ତି।

ଆଇଏମଏକୁ ଅପିଲ୍ କରି ଜୟସଓ୍ଵାଲ କହିଛନ୍ତି, ଭାରତବର୍ଷରେ ହଜାର ସଂଖ୍ୟକ ବିଶିଷ୍ଟ ଯୋଗ ସାଧକ ରହିଛନ୍ତି। ସେହିମାନେ ଭାରତୀୟ ସଂସ୍କୃତି ଏବଂ ଜୀବନ ପ୍ରଣାଳୀରେ ମୌଳିକ ପରିବର୍ତ୍ତନ କରିଛନ୍ତି। କିନ୍ତୁ ଯୋଗକୁ ଘରେ ଘରେ ପହଞ୍ଚାଇବାରେ ବାବା ରାମଦେବଙ୍କ ଯୋଗଦାନକୁ ଏଡାଇ ଦିଆଯାଇ ପାରିବ ନାହିଁ। ମୁଁ ଆଇଏମଏର ସମସ୍ତ ବନ୍ଧୁଙ୍କୁ ଅନୁରୋଧ କରୁଛି ଦୟାକରି ନିରର୍ଥକ କଥାରେ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରି ବର୍ଷ ବର୍ଷର ସାଧନକୁ ବର୍ବାଦ କରନ୍ତୁ ନାହିଁ। ଏମିତି କଲେ ମେଡିକାଲ ଚିକିତ୍ସିକ ଯେଉଁମାନେ ଏହି କରୋନାକାଳରେ ନିଜ ପ୍ରାଣ ହରାଇଛନ୍ତି, ସେମାନଙ୍କ ପ୍ରତି ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହେବ।


Share It

Comments are closed.