କିପରି ରହିଛି +୨ ଆଡମିଶନ ପ୍ରକ୍ରିୟା, ପଢନ୍ତୁ ପୂରା ଖବର


ଦଶମ ପାସ୍ କରି ପ୍ଲସ-ଟୁ ଆଡମିଶନ ପାଇଁ ଅନେଇ ବସିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଆସନ୍ତା ୭ ତାରିଖ ଠାରୁ ଚଳିତ ଶିକ୍ଷାବର୍ଷ ୨୦୨୪-୨୫ ନିମନ୍ତେ ଯୁକ୍ତ ଦୁଇ ଶିକ୍ଷା ପାଇଁ ଆଡମିଶନ ଆରମ୍ଭ ହେବାକୁ ଯାଉଛି।ସମସ୍ତ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀ ଏକାଦଶ ଶ୍ରେଣୀ ନିମନ୍ତେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଦଶମ ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍ ମାଧ୍ୟମରେ ସାମ୍ସ ପୋର୍ଟାଲକୁ ଯାଇ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ କରିପାରିବେ। ଛାତ୍ରଛାତ୍ରୀମାନେ www samsodisha.gov.in ୱେବସାଇଟ ମାଧ୍ୟମରେ ଆବେଦନ କରିପାରିବେ।
ସାମ୍ସ ରିପୋର୍ଟ ଅନୁସାରେ, ୨୦୨୩-୨୪ ଶିକ୍ଷା ବର୍ଷରେ ୨ ହଜାର ୨୧୬ ଟି ପ୍ଲସ-ଟୁ କଲେଜ ରହିଥିବା ବେଳେ କଳାରେ ସିଟ ସଂଖ୍ୟା ୨ ଲକ୍ଷ ୯୪ ହଜାର ୬୧୯ ସିଟ ରହିଛି ଓ ୩୩ ହଜାର ୮୯୮ ସିଟ ବଳକା ରହିଥିଲା। ସେହିପରି ଭାବରେ ବିଜ୍ଞାନରେ ୧ ଲକ୍ଷ ୬୬ ହଜାର ୩୩ ଟି ସିଟ ରହିଥିବା ବେଳେ ୫୫ ହଜାର ୮୦ ଟି ସିଟ ବଳକା ରହିଥିଲା । ବାଣିଜ୍ୟରେ ୪୦ ହଜାର ୧୦୬ ଟି ସିଟ ରହିଥିବା ବେଳେ ବଳକା ସିଟ ରହିଥିଲା ୧୩ ହଜାର ୬୪୪ ଟି ସିଟ । ୨୦୨୨-୨୩ ଶିକ୍ଷା ବର୍ଷରେ ରାଜ୍ୟରେ ମୋଟ ଯୁକ୍ତ ଦୁଇ କଲେଜ ରହିଥିଲା ୨ ହଜାର ୬୮ଟି । ସେଥିରୁ କଳା ବିଭାଗ(Arts Department)ର ସିଟ ସଂଖ୍ୟା ୨ ଲକ୍ଷ ୭୭ ହଜାର ୪୫୫ ସିଟ ରହିଥିବା ବେଳେ ସିଟ ବଳକା ରହିଥିଲା ୫୧ ହଜାର ୭୯୦। ରାଜ୍ୟରେ ଯୁକ୍ତ ଦୁଇ(Plus Two) ପାଇଁ ନାମ ଲେଖାଯିବାକୁ ଥିବା ୨ ହଜାର ୨୨୧ଟି କଲେଜରେ ଇ-ଆଡ଼୍‌ମିଶନ୍ କରାଯିବ । ଯୁକ୍ତ ଦୁଇ କଲେଜରେ ବର୍ତ୍ତମାନ ସୁଦ୍ଧା କଳାରେ ୨ ଲକ୍ଷ ୯୪ ହଜାର ୮୪୦ ସିଟ ରହିଥିବା ବେଳେ ବିଜ୍ଞାନ(Science)ରେ ୧ ଲକ୍ଷ ୬୬ ହଜାର ୯୨୯ଟି ସିଟ ରହିଛି । ସେହିପରି ଭାବରେ ବାଣିଜ୍ୟରେ ୪୦ ହଜାର ୧୦୪ଟି ସିଟ ରହିଥିବା ବେଳେ ସଂସ୍କୃତରେ ୧୩ ହଜାର ୮୮ ଏବଂ ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୫୦୪ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ସିଟ୍‌ ଉପଲବ୍ଧ ରହିଅଛି । ଅଧିକ ସୂଚନା ପାଇବା ପାଇଁ ଛାତ୍ରଛାତ୍ରୀମାନେ ହେଲପ୍‌ଲାଇନ୍‌ ନମ୍ବର ୧୫୫୩୩୫ / ୧୮୦୦୩୪୫୬୭୭୦ ନମ୍ବରରେ ଯୋଗାଯୋଗ କରିପାରିବେ ।


Share It

Comments are closed.