କ୍ଷମତା ଯିବା ପରେ ନୂତନ ହେଲିରପ୍ଟର କିଣି ଚର୍ଚ୍ଚାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍


ପୁଣି ଚର୍ଚ୍ଚାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଇମ୍ରାନ କ୍ଷମତାରୁ ଓହରିବା ପରେ ଦେଶର ଲୋକଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା ଚଳାଇଛନ୍ତି । ସେ ପାକିସ୍ତାନର ବିଭିନ୍ନ ସହରରେ ବିଭିନ୍ନ ସମାବେଶ କରିବା ଜାରି ରଖିଛନ୍ତି । ‘ଶରିଫ ପରିବାର’ ଉପରେ ଦେଶ ଲୁଟ୍ କରୁଥିବା ଅଭିଯୋଗ କରିଛନ୍ତି । ଆଉ ସବୁଠୁ ବଡ କଥା ହେଉଛି ଇମ୍ରାନ ତାଙ୍କ ସମାବେଶରେ ବେଳେ ବ୍ୟକ୍ତିଗତ ଜେଟ ବ୍ୟବହାର କରୁଛନ୍ତି । ଶୁକ୍ରବାର ଦିନ, ମୁଲତାନରେ ତାଙ୍କ ଶୋଭାଯାତ୍ରାରେ ସେ ଏକ ନୂତନ ହେଲିକପ୍ଟରରେ ପହଞ୍ଚିଥିଲେ, ଯାହାକୁ ନେଇ ପ୍ରଶ୍ନ ଉଠିଛି…

ତେବେ ଏହି ନୂତନ ହେଲିକପ୍ଟରକୁ ନେଇ ଇମ୍ରାନ ଖାନଙ୍କୁ ପ୍ରଶ୍ନ ପଚରାଯାଉଛି ଯେ ନୂଆ ହେଲିକପ୍ଟର କେଉଁଠୁ ଆସିଛି ? କିଏ ଏଥିପାଇଁ ଟଙ୍କା ଦେୟ ଦେଇଛି ? ଆଉ ଏହି ସମସ୍ତ ପ୍ରଶ୍ନ ଉପରେ ସେ ଚୁପ୍ ରହିଛନ୍ତି। ଏହାକୁ ନେଇ ପାକିସ୍ତାନର ଜଣେ ଅନୁସନ୍ଧାନକାରୀ ସାମ୍ବାଦିକ ଆସାଦ ଅଲି ଟୁର ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି । ଆସାଦ କହିଛନ୍ତି ଯେ, ‘ସମଗ୍ର ପାକିସ୍ତାନ ଜାଣିବାକୁ ଚାହୁଁଛି ଯେ ନୂଆ ହେଲିକପ୍ଟର କେଉଁଠୁ ଇମ୍ରାନକୁ ମିଳିଛି ? ଏକ ଦୀର୍ଘ ଅନୁସନ୍ଧାନ ପରେ, ଆମକୁ କିଛି ପ୍ରମାଣ ଏବଂ ଅନ୍ୟାନ୍ୟ ସୂଚନା ମିଳିଛି ବୋଲି ସେ କହିଛନ୍ତି । ଇମ୍ରାନ ଖାନଙ୍କୁ ଏହି ହେଲିକପ୍ଟର ଫରାହ ଗୋଗି ଓରଫ ଫରାହ ଶହଜାଦୀ ଉପହାର ଦେଇଛନ୍ତି ।

ଏଠାରେ ସୂଚନାଥାଉକି, ଯେ ଏକଦା ଫରାହ ଗୋଗି , ଯିଏ ଇମ୍ରାନ ଖାନଙ୍କ ସମୟରେ ବହୁ ଚର୍ଚ୍ଚାରେ ଥିଲେ । ଗୋଗି ଇମ୍ରାନଙ୍କ ତୃତୀୟ ପତ୍ନୀ ବୁଶ୍ରା ବିବିଙ୍କର ଜଣେ ଘନିଷ୍ଠ ବନ୍ଧୁ । ଅଭିଯୋଗ ହୋଇଛି ଯେ ଇମ୍ରାନ ଖାନଙ୍କ ଯୁଗରେ ଫରାହ ଗୋଗି ବହୁତ ଟଙ୍କା ରୋଜଗାର କରିଥିଲେ ଏବଂ ଯେଉଁ ଦିନ ତାଙ୍କୁ କ୍ଷମତାରୁ ବହିଷ୍କାର କରାଯାଇଥିଲା, ଫରାହ ବ୍ୟକ୍ତିଗତ ବିମାନରେ ଦୁବାଇ ଯାଇଥିଲେ । ସରକାର ଏବଂ ଜନସାଧାରଣଙ୍କ ଦୃଷ୍ଟିରେ ହେଲିକପ୍ଟର ଆସିବା କାରଣରୁ ଇମ୍ରାନ ଖାନ ଏବଂ ତାଙ୍କ ଘନିଷ୍ଠ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ବୋଲି ଅସଦ ଅଲି ଟୁର କହିଛନ୍ତି । ଆମେରିକାରୁ ଏହି ହେଲିକପ୍ଟର କିଣାଯାଇଛି, ଯାହାର ଦେୟ ଦୁବାଇ ବ୍ୟାଙ୍କରୁ କରାଯାଇଥିଲା ।

ଟୁରଙ୍କ କହିବାନୁସାରେ, ମାମଲାର ଖୁଲାସା ପରେ ଇମ୍ରାନ ଖାନ ବର୍ତ୍ତମାନ ତାଙ୍କର ଘନିଷ୍ଠ ବନ୍ଧୁଙ୍କ ମାଧ୍ୟମରେ ଖବର ପ୍ରସାରଣ କରୁଛନ୍ତି ଯେ ଆମେରିକା ଏବଂ ଅନ୍ୟ ଦେଶରେ ରହୁଥିବା ତାଙ୍କ ସମର୍ଥକମାନେ ଦାନ ସଂଗ୍ରହ କରି ଏହି ହେଲିକପ୍ଟର କିଣି ଉପହାର ଦେଇଛନ୍ତି । ଯାହାଫଳରେ ସେ ନିର୍ବାଚନ ପ୍ରଚାରରେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ।


Share It

Comments are closed.