ଓଲା ପକ୍ଷରୁ ଭାରତର ନିଜସ୍ୱ ବହୁଭାଷୀୟ ଏଆଇ କୃତ୍ରିମ ଉନ୍ମୋଚିତ


ଭୁବନେଶ୍ୱର: ସମ୍ପୂର୍ଣ୍ଣ ଏଆଇ କମ୍ପ୍ୟୁଟିଙ୍ଗ ଷ୍ଟାକ୍ ନିର୍ମାଣ ଉପରେ ଗୁରୁତ୍ୱ ଦେଉଥିବା ଭାରତର ନିଜସ୍ୱ ଓ ପ୍ରଥମ ଏଆଇ କମ୍ପାନୀ, କୃତ୍ରିମ ପକ୍ଷରୁ ଏହାର ବେସ୍ ଲାର୍ଜ ଲାଙ୍ଗୁଏଜ୍ ମଡେଲ୍ (ଏଲ୍‌ଏଲ୍‌ଏମ୍‌)ର ଉନ୍ମୋଚନ କରାଯାଇଛି । ଓଲା କୃତ୍ରିମ ହେଉଛି ଲାର୍ଜ ଲାଙ୍ଗୁଏଜ୍ ମଡେଲ୍‌ର ଏକ ପରିବାର ଯେଉଁଥିରେ କୃତ୍ରିମ ବେସ୍ ଓ କୃତ୍ରିମ ପ୍ରୋ ସାମିଲ ରହିଛି ଯେଉଁଥିରେ ମଲ୍ଟିମୋଡାଲ, ବୃହତ୍ ସୂଚନା କ୍ଷମତା ଓ ଆକଳନ ପାଇଁ ଅନେକ ବୈଷୟିକ ଅଗ୍ରଗତି ରହିବ । ଓଲା କୃତ୍ରିମ ମଡେଲ୍ ଦକ୍ଷତାର ସହ ଭାଷାଗୁଡିକ ମଧ୍ୟରେ ସ୍ୱିଚ୍ କରିପାରିବ ଏବଂ ବଙ୍ଗାଳୀ ଭାଷାରେ କବିତାଠାରୁ ଆରମ୍ଭ କରି ବଲିଉଡ୍ ମୁଭି ଓ ସୃଜନଶୀଳ ମସାଲା ଦୋସା ରେସିପି ପର୍ଯ୍ୟନ୍ତ ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରିପାରିବ । କୃତ୍ରିମ ଜାନୁଆରୀ ୨୦୨୪ରୁ ଉଦ୍ୟୋଗୀ ଓ ଡେଭ୍‌ଲପର୍‌ଙ୍କ ପାଇଁ ଏକ ଏପିଆଇ ଭାବେ ବିଟା ଭର୍ସନରେ ଉପଲବ୍ଧ ହେବ ଯାହା ଏଆଇ-ଚାଳିତ ଆସିଷ୍ଟାଂଟ୍ ସୃଷ୍ଟି କରିବାକୁ ଚେଷ୍ଟା କରିବ ଯାହା ଏକାଧିକ ଭାରତୀୟ ଭାଷାରେ କଥାବାର୍ତା କରିପାରିବ । କୃତ୍ରିମ ପ୍ରୋ ୨୦୨୪ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସରୁ ଉପଲବ୍ଧ ହେବ । ଏହାର ପ୍ରଶିକ୍ଷଣ ପାଇଁ ବ୍ୟବହୃତ ଭାରତୀୟ ଡାଟାର ସର୍ବବୃହତ୍ ପ୍ରତିନିଧିତ୍ୱ ସହିତ ଏହା ସମସ୍ତ ଭାରତୀୟ ଭାଷାଗୁଡିକ ପାଇଁ ଜେନେରେଟିଭ୍ ଏଆଇ ଆପ୍ଲିକେଶନଗୁଡିକୁ ସଶକ୍ତ କରୁଛି । ଅଗ୍ରଣୀ କମ୍ପ୍ୟୁଟର ସାଇଂଟିଷ୍ଟମାନଙ୍କ ଏକ ଟିମ୍ ଦ୍ୱାରା ପ୍ରଶିକ୍ଷିତ ଏହି ମଡେଲ କୃତ୍ରିମ କନ୍‌ଭର୍‌ସେଶନାଲ ଏଆଇ ଆସିଷ୍ଟାଂଟ୍‌କୁ ମଧ୍ୟ ସଶକ୍ତ କରିବ ଯାହା ସ୍ପଷ୍ଟ ଭାବେ ଏକାଧିକ ଭାରତୀୟ ଭାଷା ବୁଝିବା ସହ କହିପାରିବ ।

ଏସମ୍ପର୍କରେ କୃତ୍ରିମର ପ୍ରତିଷ୍ଠାତା ଭାବିଶ ଅଗ୍ରୱାଲ କହିଛନ୍ତି, “ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରିବା ଏବଂ ଆଗାମୀ ୨୫ ବର୍ଷରେ ଏଆଇ ଭିଜନର ନେତୃତ୍ୱ ନେବା ପାଇଁ ଏହା ହେଉଛି ଆମର ସମୟ । ଆମେ ଭାରତର ପ୍ରଥମ ସମ୍ପୂର୍ଣ୍ଣ ଏଆଇ କମ୍ପ୍ୟୁଟିଂ ଷ୍ଟାକ୍ କୃତ୍ରିମର ଶୁଭାରମ୍ଭ କରି ଅତ୍ୟଧିକ ଉତ୍ସାହିତ ରହିଛୁ ଯାହା ଆମର ସ୍ୱତନ୍ତ୍ର ସାଂସ୍କୃତିକ ପ୍ରସଙ୍ଗକୁ ବୁଝିପାରୁଛି ଏବଂ ଆମର ଭବିଷ୍ୟତକୁ ଆମର ମୂଳଦୁଆ ସହ ଜଡିତ ରଖୁଛି । ଏକ ଭାରତ-ପ୍ରଥମ ମୂଲ୍ୟ ଢଂଚା ସହିତ କୃତ୍ରିମରେ ଭାରତୀୟ ତଥ୍ୟର ସର୍ବବୃହତ୍ ଉପସ୍ଥାପନା ରହିବ, ଯାହା ଭାରତକୁ ବିଶ୍ୱରେ ସର୍ବାଧିକ ଫଳପ୍ରଦ, ଦକ୍ଷ ଓ ସଶକ୍ତ ଅର୍ଥନୀତିରେ ପରିଣତ କରି ଆମକୁ ବିଭିନ୍ନ କ୍ଷେତ୍ରରେ ଏଲ୍‌ଏଲ୍‌ଏମ୍ ବାହାରେ ଆଦର୍ଶ ମଡେଲ୍ ସୃଷ୍ଟି କରିବାକୁ ସକ୍ଷମ କରିବ ।’

୨ ଟ୍ରିଲିୟନରୁ ଅଧିକ ଟେ୍‌ାକନ ଉପରେ ପ୍ରଶିକ୍ଷିତ କୃତ୍ରିମ ଏମ୍‌ଏମ୍‌ଏଲ୍‌ୟୁ, ହେଲାସ୍ୱାଗ୍‌, ବିବିଏଚ୍‌, ପିଆଇକ୍ୟୁଏ ଓ ଏଆର୍‌ସି ସମେତ ଏକାଧିକ ସୁପରିଚିତ, ଆନ୍ତର୍ଜାତୀୟ, ଏଲ୍‌ଏଲ୍‌ଏମ୍ ମୂଲ୍ୟାୟନ ବେଂଚ୍‌ମାର୍କ ଉପରେ ସର୍ବୋତମ ପ୍ରଦର୍ଶନ ହାସଲ କରିଛି । ଓଲା କୃତ୍ରିମର ଉତ୍କୃଷ୍ଟ ଭାଷା ଦକ୍ଷତା ଏହାକୁ ଶିକ୍ଷାଠାରୁ ଆରମ୍ଭ କରି ବ୍ୟବସାୟିକ ଯୋଗାଯୋଗ ପର୍ଯ୍ୟନ୍ତ ଏକ ବିସ୍ତୃତ ଶୃଙ୍ଖଳାର ଉଦ୍ଦେଶ୍ୟ ପାଇଁ ମୂଲ୍ୟବାନ ଟୁଲରେ ପରିଣତ କରୁଛି । ଏହା ଅନୁପଯୁକ୍ତ ପ୍ରତିକ୍ରିୟାଗୁଡିକୁ ହ୍ରାସ କରିବା ପାଇଁ ସୁରକ୍ଷିତ ଏଆଇରେ ନୂତନ ପଦ୍ଧତିଗୁଡିକୁ ଅନ୍ତର୍ଭୁକ୍ତ କରିଛି । କମ୍ପାନୀ ମଧ୍ୟ ସ୍ୱଦେଶୀ ଡାଟା ସେଂଟର୍ ଓ ପରବର୍ତୀ ସ୍ତରରେ ସର୍ଭର୍‌-କମ୍ପ୍ୟୁଟିଂ, ଏଜ୍‌-କମ୍ପ୍ୟୁଟିଂ ଓ ସୁପର୍‌-କମ୍ପ୍ୟୁଟର ଆଦି ବିକଶିତ କରିବା ପାଇଁ ଏଆଇ ଭିତିଭୂମି ଉପରେ କାର୍ଯ୍ୟ କରୁଛି । ପ୍ରୋଟୋଟାଇପ୍ ପାଇଁ ଉତ୍ପାଦନ ୨୦୨୪ ମଧ୍ୟ ଭାଗରୁ ଆରମ୍ଭ ହେବ ଏବଂ ଉତ୍ପାଦନ ରୋଡ୍‌ମ୍ୟାପ୍‌ର ଶୁଭାରମ୍ଭ ୨୦୨୫ ଶେଷ ସୁଦ୍ଧା କରାଯିବ । କମ୍ପାନୀ ପକ୍ଷରୁ ୱେବ୍‌ସାଇଟ୍‌ରେ ଏକ ସରଳ ସାଇନ୍ ଅପ୍ ପେଜ୍ ସହିତ ଏକ ୟର୍ଲି ଆକ୍‌ସେସ ପ୍ରୋଗ୍ରାମର ପରିଚାଳନା କରାଯାଉଛି ଯାହା ଆଜିଠାରୁ ଆରମ୍ଭ ହୋଇ ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ଚାଲିବ । ଏହାଛଡା ଓପନ୍ ରିଲିଜ୍ ଜାନୁଆରୀ ୨୦୨୪ରେ ଧାର୍ଯ୍ୟ ହୋଇଛି ଓ ଓପନ୍ ଏପିଆଇଗୁଡିକ ସମସ୍ତ ଡେଭ୍‌ଲପର୍‌ଙ୍କ ପାଇଁ ଫେବୃଆରୀ ୨୦୨୪ରୁ ଖୋଲା ରହିବ । ଓଲା ଏହାର ବିକ୍ରି, ସେବା, ସହଯୋଗ ଓ ଅନ୍ୟାନ୍ୟ ପ୍ରକ୍ରିୟାଗୁଡିକ ପାଇଁ ନିଜର ଗ୍ରୁପ୍ କମ୍ପାନୀଗୁଡିକରେ କୃତ୍ରିମର ବ୍ୟବହାର କରିବାକୁ ଯୋଜନା ରଖିଛି ।


Share It

Comments are closed.