ଏନ୍‌ଆଇଏସ୍‌ଟି ପକ୍ଷରୁ ସାଇନ୍ସ ଟାଲେଂଟ୍ ସର୍ଚ୍ଚ ପ୍ରତିଯୋଗିତା ଆୟୋଜିତ


ଭୁବନେଶ୍ୱର : ଏନ୍‌ଆଇଏସ୍‌ଟି (ସ୍ୱୟଂଶାସିତ) ବ୍ରହ୍ମପୁର ପକ୍ଷରୁ ମେ’ ୨୦୨୩ରୁ ଅକ୍ଟୋବର ୨୦୨୩ ମଧ୍ୟରେ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଜାତୀୟ ସ୍ତରୀୟ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତା ପାଇଁ ଚଳିତ ବର୍ଷର ବିଷୟବସ୍ତୁ ଥିଲା ‘ସଷ୍ଟେନେବୁଲ ଇନୋଭେଶନ’ ବା ‘ସ୍ଥାୟୀ ଉଦ୍ଭାବନ’ । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଆବେଦନ ମେ’ ୨୦୨୩ରେ ଆରମ୍ଭ ହୋଇଥିବା ବେଳେ ଆବେଦନ ଦାଖଲର ଶେଷ ତାରିଖ ସେପ୍ଟେମ୍ବର ୧୧, ୨୦୨୩ ପର୍ଯ୍ୟନ୍ତ ରହିଥିଲା । ଦେଶବ୍ୟାପୀ ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ୩ଟି ସ୍ତରରେ ଅଂଶଗ୍ରହଣ କରିଥିଲେ ଏବଂ ସିନିୟର ଓ ଜୁନିୟର ବର୍ଗରେ ବିଜେତାମାନଙ୍କୁ ଗତ ଅକ୍ଟୋବର ୧୮ ତାରିଖରେ ଗ୍ରାଣ୍ଡ୍ ଫିନାଲେରେ ପୁରସ୍କୃତ କରାଯାଇଥିଲା ।

ଏହି ପ୍ରତିଯୋଗୀତାରେ ୩ଟି ସିନିୟର ଏବଂ ୩ଟି ଜୁନିୟର ଶ୍ରେଷ୍ଠ ପ୍ରଦର୍ଶନକାରୀ ଦଳକୁ ନଗଦ ପୁରସ୍କାର ଦ୍ୱାରା ପୁରସ୍କୃତ କରାଯାଇଥିଲା । ଯେଉଁଥିରେ ସିନିୟର ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିବା ବିହାରର ଆଭେରନ ମାଭେରିକ, ବିଦ୍ୟା ବିହାର ଏଜୁକେସନାଲ ଏକାଡେମୀକୁ ୧,୦୦,୦୦୦ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯାଇଛି । ସିନିୟର ବର୍ଗରେ ଦ୍ୱିତୀୟ ସ୍ଥାନରେ ରହିଥିବା ଛତିଶଗଡ଼ର ଭିଆଇଡିଏଚଏ ଅଜିଜ୍ ପବ୍ଲିକ ସ୍କୁଲ, ରାଜନନ୍ଦଗାଓଁକୁ ୫୦,୦୦୦ଟଙ୍କାର ନଗଦ ପୁରସ୍କାର ରାଶି ଏବଂ ତୃତୀୟ ସ୍ଥାନରେ ରହିଥିବା ଆସାମର ଏସଓଏସ ସିନିୟର, ଏସଓଏସ ଭିଲେଜ, ଗୁୱାହାଟିକୁ ୨୫,୦୦୦ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯାଇଛି । ସେହିଭଳି ଜୁନିୟର ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଓଡ଼ିଶାର ଓବଷ୍ଟ୍ରେସ ଆଲର୍ଟର, ଡିଏଭି କଳିଙ୍ଗ ନଗର ଭୁବନେଶ୍ୱରକୁ ୩୦,୦୦୦ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯାଇଛି । ଜୁନିୟର ବର୍ଗରେ ଦ୍ୱିତୀୟ ସ୍ଥାନରେ ରହିଥିବା ଆସାମର ରିନ୍ୟୁ ଦେସାଲ, ସରଳା ବିରଲା, ଗୁୱାହାଟିକୁ ୨୦,୦୦୦ଟଙ୍କା ଏବଂ ତୃତୀୟ ସ୍ଥାନରେ ରହିଥିବା ଓଡ଼ିଶାର କୋଡର୍ସ ସ୍ପଟ, ଡିଏଭି ଚନ୍ଦ୍ରଶେଖରପୁର, ଭୁବନେଶ୍ୱରକୁ ୧୦,୦୦୦ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯାଇଛି । ପ୍ରତିଯୋଗିତା ପାଇଁ ଏକ ଅନ୍‌ଲାଇନ୍ ପୋର୍ଟାଲ ଙ୍ଗଙ୍ଗଙ୍ଗ.ଦ୍ଭସଗ୍ଦଗ୍ଧ.ରୟଙ୍କ/ଗ୍ଧବକ୍ଷରଦ୍ଭଗ୍ଧଗ୍ଦରବକ୍ସମଷରେ ପ୍ରାୟ ୫୫୦ଟି ଟିମ୍ ପଞ୍ଜୀକୃତ କରିଥିଲେ ।

ଏହାମଧ୍ୟରୁ ୫୩ଟି ବିଚାରକୁ ବିଭିନ୍ନ ବର୍ଗ ଅନୁଯାୟୀ ବିଶେଷଜ୍ଞଙ୍କ ଟିମ୍ ମନୋନିତ କରିଥିଲା । ଏହି ଟିମ୍‌ଗୁଡିକୁ ପ୍ରତିଷ୍ଠିତ ଅଧ୍ୟାପକ ଓ ଶିଳ୍ପ ବିଶେଷଜ୍ଞମାନଙ୍କ ଏକ ଟିମ୍ ମାର୍ଗଦର୍ଶନ ପ୍ରଦାନ କରିଥିଲା । ସ୍କ୍ରିନିଂ ପର୍ଯ୍ୟାୟରେ ଟିମ୍‌ଗୁଡିକ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ନିଜର ବିଚାରଧାରା ଉପସ୍ଥାପନ କରିଥିଲେ ଏବଂ ୧୮ଟି ଟିମ୍ ଫାଇନାଲ ଇଭେଂଟ୍‌ରେ ଫିଜିକାଲ ପ୍ରେଜେନ୍‌ଟେଶନ ପାଇଁ ଚୟନ ହୋଇଥିଲେ । ଏହି ଟିମ୍‌ଗୁଡିକ ଜୁରୀ ନିକଟରେ ନିଜର ପ୍ରୋଜେକ୍ଟ ଓ ବିଚାରଧାରା ଉପସ୍ଥାପନ କରିଥିଲେ । ଗ୍ରାଣ୍ଡ ଫିନାଲେ ପାଇଁ ଜୁରୀ ସଦସ୍ୟଙ୍କ ମଧ୍ୟରେ ବିକ୍ରମ ସାରାଭାଇ ସ୍ପେଶ୍ ସେଂଟର୍‌, ଇସ୍ରୋର ପୂର୍ବତନ ଉପ ନିର୍ଦ୍ଦେଶକ ଡଃ ବିଜନ ଦାସ, ଏନ୍‌ଆଇଟି ରାଉରକେଲାର ପୂର୍ବତନ ନିର୍ଦ୍ଦେଶକ, ଏଫ୍‌ଏନ୍‌ଏଇ ଡଃ ସୁନୀଲ କୁମାର ସଡଙ୍ଗୀ, ଆଇଆଇଏସ୍‌ଇଆର୍‌, କୋଲ୍‌କାତାର ନିର୍ଦ୍ଦେଶକ ଡଃ ପ୍ରଶାନ୍ତ କେ ପାଣିଗ୍ରାହୀ, ଡିପାର୍ଟମେଂଟ୍ ଅଫ୍ ଅଟୋମିକ୍ ଏନର୍ଜି, ହେଭି ୱାଟର ବୋର୍ଡ, ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପ୍ରବୁଦ୍ଧ ରଞ୍ଜନ ମହାନ୍ତୀ ଆଦି ସାମିଲ ଥିଲେ । ଗ୍ରାଣ୍ଡ ଫିନାଲେରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଆଇଆଇଏସ୍‌ଇଆର୍‌, ବ୍ରହ୍ମପୁରର ନିର୍ଦ୍ଦେଶକ ଡଃ ଅଶୋକ କୁମାର ଗାଙ୍ଗୁଲି ବିଜେତା ଟିମ୍‌କୁ ପୁରସ୍କାର ପ୍ରଦାନ କରିଥିଲେ ।


Share It

Comments are closed.