କୋରନାର ସମ୍ଭାବ୍ୟ ଲହର ପାଇଁ ରାଜ୍ୟରେ ସ୍ଥାୟୀ ସ୍ୱାସ୍ଥ୍ୟଗତ ଢାଞ୍ଚା ପ୍ରସ୍ତୁତ କରିବାକୁ ପଡ଼ିବ – ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର, – ଆଗାମୀ ଦିନରେ କରୋନାର ସମ୍ଭାବ୍ୟ ଲହର ପାଇଁ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଦୃଷ୍ଟିରୁ ଆମ ରାଜ୍ୟର ସ୍ୱାସ୍ଥ୍ୟଗତ ଢ଼ାଞ୍ଚାକୁ ସ୍ଥାୟୀ ଭାବରେ ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଦେବଗଡ଼ ଜିଲ୍ଲା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରାବାସ ଠାରେ ୧୦୦ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲର ଲୋକାର୍ପଣ ସମାରୋହ କାର‌୍ୟ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସମ୍ବଲପୁର ଜିଲ୍ଲାରେ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମସିଏଲ ତରଫରୁ ଏକ କୋଭିଡ୍ ହସ୍ପିଟାଲ ନିର୍ମାଣ କରାଯାଉଥିବା ବେଳେ ରାଜ୍ୟ ସରକାର ଖୁବଶୀଘ୍ର ଏହି ହସ୍ପିଟାଲର କାମ ଆରମ୍ଭ କରିବା ପାଇଁ ଅନୁମତି ଦେବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।
ଲୋକାର୍ପିତ କୋଭିଡ୍ ହସ୍ପିଟାଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେବଗଡରେ ପ୍ରତିଷ୍ଠା ହୋଇଥିବା ନୂତନ କୋଭିଡ୍ ହସ୍ପିଟାଲରେ ୯ଟି ଭେଣ୍ଟିଲଟର ସହ ଆଇସିୟୁ ବେଡ୍, ଭେଣ୍ଟିଲେଟର ସୁବିଧା ସହ ୩ଟି ଶିଶୁ ବେଡ୍, ୩୨ ଏନଆଇଭି ଭେଣ୍ଟିଲେଟର ସହ ଏଚଡ଼ିୟୁ ବେଡ୍, ସ୍ୱତନ୍ତ୍ର ଶିଶୁ ବିଭାଗ ଏବଂ ଅକ୍ସିଜେନ୍ ସୁବିଧା ସହ ସାଧାରଣ ବେଡ୍ ଏବଂ ଉଚ୍ଚମାନର ଟେଷ୍ଟି ଭିତ୍ତିଭୂମିର ସୁବିଧା ରହିଛି । ଏହି ସମସ୍ତ ସୁବିଧା ଦେବଗଡବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସହାୟକ ହେବ । ତେବେ ଲୋକାର୍ପିତ ହସ୍ପିଟାଲକୁ କେହି ରୋଗୀ ନଆସିବା ଆମ ସମସ୍ତଙ୍କ ଅପେକ୍ଷା ରହିବା ଉଚିତ୍ । ଏହି କୋଭିଡ୍ ହସ୍ପିଟାଲ ପାଇଁ ବେଦାନ୍ତ ସ୍ପୋନସର କରିଥିବା ବେଳେ ଏହାର ପରିଚାଳନା ଦାୟିତ୍ୱ ବରଗଡ଼ ବିକାଶ ହସ୍ପିଟାଲ ନେଇଛି । ଏଥିପାଇଁ ବେଦାନ୍ତର ଚେୟାରମ୍ୟାନ ଅନିଲ ଅଗ୍ରଓ୍ୱାଲଙ୍କୁ ତ୍ୱରିତ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି ଶ୍ରୀ ପ୍ରଧାନ ।
ଦେବଗଡ଼ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ସଂଖ୍ୟା ସମସ୍ତଙ୍କ ପ୍ରଚେଷ୍ଟାରେ ଶୂନ୍ୟ ଆଡ଼କୁ ଯିବା ଗତି କରିଛି । ଏକ ସମୟରେ ଦେବଗଡ଼ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ୭୦୦ ଛୁଁଇଥିବା ବେଳେ ଆଜି ତାହା ୪ରେ ପହଞ୍ଚିଛି । ଏହାର ଶ୍ରେୟ ନାଗରିକ ମାନଙ୍କୁ ଯିବ । ନାଗରିକ ମାନଙ୍କ ସଂଯମତା ଏବଂ କୋଭିଡ୍ ନିୟମକୁ ମାନିବା କାରଣରୁ କୋଭିଡ୍ ପଜିଟିଭ ସଂଖ୍ୟା ହ୍ରାସ ପାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଆଜିର ଉପଲବ୍ଧି ହୋଇଛି ଟିକା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ପକ୍ଷରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ମାଗଣାରେ ଦେଶରେ ସର୍ବବୃହତ ଟିକାକରଣ ଅଭିଯାନ ଆରମ୍ଭ କରାଯାଇଛି । ଗଣତାନ୍ତ୍ରିକ ଭାବେ ଆଜି ଭାରତବର୍ଷରେ ଟିକାକରଣରେ ବହୁତ ଆଗକୁ ଯିବା ଆରମ୍ଭ କରିଛି । ଇତିମଧ୍ୟରେ ଦେଶରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମୋଟ ୩୨ କୋଟି ୯୦ ଲକ୍ଷ ୨୯ ହଜାର ୫୧୦ ଜଣ ଟିକା ନେଇସାରିଛନ୍ତି । ତନ୍ମଧ୍ୟରୁ ୫ କୋଟି ୮୭ ଲକ୍ଷ ୯୮ ହଜାର ୧୭୩ ଲୋକଙ୍କ ସମ୍ପୂର୍ଣ୍ଣ ଟିକାକରଣ ହୋଇସାରିଛି । ଯାହା ଜନସଂଖ୍ୟାର ୪.୩ ପ୍ରତିଶତ ।
ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୧୭ ଲକ୍ଷ ୧୭ ହଜାର ୭୧୯ ଜଣ କୋଭିଡ୍-୧୯ ଟିକା ନେଇଛନ୍ତି । ତନ୍ମଧ୍ୟରୁ ସମ୍ପୂର୍ଣ୍ଣ ଭାବରେ ୨୧ ଲକ୍ଷ ୭୨ ହଜାର ୭୨୭ ଜଣ ଦ୍ୱିତୀୟ ଡୋଜ୍ ନେଇସାରିଛନ୍ତି । ଯାହା ଜନସଂଖ୍ୟାର ୪.୫ ପ୍ରତିଶତ । ସେହିପରି ଦେବଗଡ଼ ଜିଲ୍ଲାରେ ୭୨ ହଜାର ୬୧୮ ଜଣ ଏପର‌୍ୟ୍ୟନ୍ତ ଟିକା ନେଇସାରିଥିବା ବେଳେ ୧୩ ହଜାର ୮୮୬ ଦ୍ୱିତୀୟ ଡ଼ୋଜ୍ ଟିକା ନେଇଛନ୍ତି । ଯାହା ଜିଲ୍ଲା ଜନସଂଖ୍ୟାର ୪.୪ ପ୍ରତିଶତ ।
ଟିକା ଆମ ସ୍ୱାସ୍ଥ୍ୟ ଜୀବନର ସ୍ଥାୟୀ ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟ ସରକାର ମଧ୍ୟ ଟିକା ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି । ଏହାବ୍ୟତିତ ଟିକା ପାଇଁ ସମାଜରେ କୁଣ୍ଠାବୋଧ ଥିବା ବେଳେ ଦେବଗଡ ଜିଲ୍ଲାର ନାଗରିକମାନେ ସବୁ ମତଭେଦକୁ ଭୁଲି ଟିକାକରଣକୁ ବ୍ୟାପକତା କରିବାର ଦାୟିତ୍ୱ ନିଅନ୍ତୁ ତଥା ସମାଜରେ ଟିକାକରଣର ଏକ ଜନଜାଗରଣ ତିଆରି କରିବା ପାଇଁ ସେ ନିବେଦନ କରିଛନ୍ତି ।
ଆଜି କୋଭିଡ୍ ହସ୍ପିଟାଲର ଲୋକାର୍ପଣ କାର‌୍ୟ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ନବ କିଶୋର ଦାସ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ, ସମ୍ବଲପୁର ସାଂସଦ ଶ୍ରୀଯୁକ୍ତ ନୀତିଶ ଗଙ୍ଗଦେବ, ଦେବଗଡ଼ ବିଧାୟକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ବିଭାଗର ସଚିବ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ମହାପାତ୍ର, ବେଦାନ୍ତ ଲିମିଟେଡ଼ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନିଲ ଅଗ୍ରଓ୍ୱାଲ, ବିକାଶ ହସ୍ପିଟାଲ ଚେୟାରମ୍ୟାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ସୁଦ୍ଧାମୟୀ ପଟେଲ, ଜିଲ୍ଲା ପରିଷଦ ଉପାଧକ୍ଷ ଜୟକୃଷ୍ଣ ପ୍ରଧାନ ଭିସି ଜରିଆରେ ପ୍ରମୁଖ ଉପସ୍ଥିତ ରହିଥିଲେ ।


Share It

Comments are closed.