ଅଲ୍ଟିମେଟ୍ ଖୋଖୋ ସିଜନ-୨ ପାଇଁ ମୁମ୍ବାଇ ଖିଲାଡିଜ୍ ପକ୍ଷରୁ ଅନିକେତ୍ ପୋଟେଙ୍କୁ ଅଧିନାୟକ ଘୋଷଣା, ମହେଶ ସିନ୍ଦେ ଉପ ଅଧିନାୟକ


ଭୁବନେଶ୍ୱର: ଓଡ଼ିଶାର କଟକରେ ୨୦୨୩ ଡିସେମ୍ବର ୨୪ରୁ ୨୦୨୪ ଜାନୁଆରି ୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଅଲ୍‌ଟିମେଟ୍ ଖୋଖୋ ସିଜନ-୨ ପାଇଁ ମୁମ୍ବାଇ ଖିଲାଡିଜ୍ ପକ୍ଷରୁ ଅନିକେତ ପୋଟେଙ୍କୁ ଅଧିନାୟକ ଘୋଷଣା କରାଯାଇଛି । ଏହି ୨୬ ବର୍ଷୀୟ ଅଲରାଉଣ୍ଡର ଆଟାକର ହେଉଛନ୍ତି ଜଣେ ଚର୍ଚ୍ଚିତ ଖୋଖୋ ଖେଳାଳି ଯାହାଙ୍କ ନାମରେ ଏସିଆନ୍ ଚମ୍ପିଆନ୍‌ସିପରେ ସ୍ୱର୍ଣ୍ଣ ପଦକ ଜିତିବା ଗୌରବ ରହିିଛି । ସିଜନ-୨ରେ ଅଲ୍‌ଟିମେଟ୍ ଖୋଖୋ ଡ୍ରିମ୍ ଟିମ୍‌ରେ ତାଙ୍କୁ ସ୍ଥାନ ମିଳିଥିଲା ।
ବରିଷ୍ଠ ଜାତୀୟ ପ୍ରତିଯୋଗିତାରେ ଅନିକେତ ୮ଟି ସ୍ୱର୍ଣ୍ଣ ପଦକ ଓ ପାଂଚଟି ରୌପ୍ୟ ପଦକ ଜିତିଛନ୍ତି । ମ୍ୟାଚ୍‌ରେ ପ୍ରତିବଦ୍ଧତା ଓ ଉତ୍ସର୍ଗୀକୃତ ମନୋଭାବ ପାଇଁ ସେ ପରିଚିତ ଏବଂ ଚଳିତ ବର୍ଷ ମୁମ୍ବାଇ ଖିଲାଡିଜ୍ ପାଇଁ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ।
ଅଧିନାୟକ ଚୟନ ସମ୍ପର୍କରେ ଟିମ୍‌ର ମାଲିକ, ପୁନିତ ବାଲନ କହିଛନ୍ତିଯେ, “ଅନିକେତ ପୋଟେଙ୍କୁ ଟିମର ଅଧିନାୟକ ଭାବେ ଚୟନ କରିବା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ପ୍ରଥମ ସଂସ୍କରଣରେ ତାଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ନିଜ ନେତୃତ୍ୱ ଦକ୍ଷତାକୁ ସେ ଯେଉଁଭଳି ଭାବେ ପ୍ରଦର୍ଶନ କରିଛନ୍ତି ସେଥିପାଇଁ ଏହି ପଦ ଲାଗି ସେ ଥିଲେ ସ୍ୱାଭାବିକ ପସନ୍ଦ । ଜଣେ ସ୍ଥାନୀୟ ଯୁବ ଭାବେ ସେ ମୁମ୍ବାଇର ଭାବକୁ ଭଲ ଭାବେ ବୁଝନ୍ତି ଏବଂ ଆମର ବିଶ୍ୱାସ ରହିଛି ସେ ତାଙ୍କ ଅଭିଜ୍ଞତା ଟିମ୍‌କୁ ତ୍ୱରାନ୍ୱିତ କରି ପ୍ରତିଦ୍ୱନ୍ଦ୍ୱୀତାପୂର୍ଣର୍ ଏହି ପ୍ରତିଯୋଗିତାରେ ସଫଳତାର ନୂତନ ଶିଖରରେ ପହଂଚାଇବ ।’’
ଏହି ଅବସରରେ ଅନିକେତ କହିଛନ୍ତି ଯେ, “ଏହା ମୋ ପାଇଁ ଏକ ଚମକାଇବା ଭଳି ନିଷ୍ପତି ଥିଲା ଏବଂ ମୋତେ ଏହି ସୁଯୋଗ ମିଳିଥିବାରୁ ମୁଁ ନିଜକୁ କୃତଜ୍ଞ ମନେ କରୁଛି । ମ୍ୟାଜେନମେଂଟ୍‌ର ଭରସାକୁ ରକ୍ଷା କରିବା ଲାଗି ମୁଁ ମୋର ଶ୍ରେଷ୍ଠତା ପ୍ରଦାନ କରିବି ଏବଂ ମୁମ୍ବାଇ ଖିଲାଡିଜ୍‌କୁ ନୂତନ ଶିଖରକୁ ନେଇଯିବି ।’’
ମୁମ୍ବାଇ ଖିଲାଡିଜ୍ ପକ୍ଷରୁ ୨୭ ବର୍ଷୀୟ ଡିଫେଣ୍ଡର ମହେଶ ସିନ୍ଦେଙ୍କୁ ଟିମର ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ସେ ହେଉଛନ୍ତି ଜଣେ ଶ୍ରେଷ୍ଠ ଡିଫେଣ୍ଡର । ଗତ ସିଜନରେ ତାଙ୍କ ଡ଼ିଫେଣ୍ଡିଂ ସମୟ ୧୫:୩୩ ଥିଲା ।
ଅଲ୍‌ଟିମେଟ୍ ଖୋଖୋ ସିଜନ୍‌-୨ ପାଇଁ ମୁମ୍ବାଇ ଖିଲାଡିଜ୍ ଦଳରେ ୩ ଜଣ ଅଲରାଉଣ୍ଡର ରହିଛନ୍ତି । ସିଜନ ୧ର ଶ୍ରେଷ୍ଠ ୫ ଡିଫେଣ୍ଡରଙ୍କ ମଧ୍ୟରେ ସ୍ଥାନ ପାଇଥିବା ଶ୍ରୀଜେଶ ଏସ୍‌, ବିଶିଷ୍ଟ ଅଲରାଉଣ୍ଡର ସୁଭାଶିଷ ସାନ୍ତ୍ରା ଓ ସୁନିଲ ପାତ୍ରଙ୍କ ଭଳି ଖେଳାଳିଙ୍କୁ ନେଇ ମୁମ୍ବାଇ ଖିଲାଡିଜ୍ ବେଶ ଦୃଢ଼ ମନେ ହେଉଛି ।
ଉକ୍ତ ସିଜନ ଆରମ୍ଭ ହେବା ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ, ବିକାଶ ସୂର୍ଯଂବଶୀ ଓ ସହକାରୀ ପ୍ରଶିକ୍ଷକ, ନିତୁଲ ଦାସଙ୍କ ତତ୍ୱାବଧାନରେ ଦଳ ଏବେ କିଟ୍ କ୍ୟାମ୍ପସ୍ ସ୍ଥିତ ବିଜୁପଟନାୟକ ଇନଡ଼ୋର ଷ୍ଟାଡ଼ିୟମରେ ଅଭ୍ୟାସ କରୁଛି ।

 


Share It

Comments are closed.