ଖରିଫ ଫସଲ ଋଣ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ସମବାୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ


ଖରିଫ ଫସଲ ଋଣ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ସମବାୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ। କୋଭିଡ୍ ସଂକ୍ରମଣର ଦ୍ଵିତୀୟ ଲହରକୁ ଦୃଷ୍ଟିରେ ରଖି କୃଷି କାର୍ଯ୍ୟକୁ ଅବ୍ୟାହତ ରଖିବା ପାଇଁ ଚାଷୀମାନଙ୍କୁ ସଠିକ୍ ସମୟରେ ପର୍ଯ୍ୟାପ୍ତ ସାର ଓ ବିହନ ଯୋଗାଣ ସହ ଖରିଫ ଫସଲ ଋଣ ଯୋଗାଇଦେବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ବୁଧବାର ଭିସି ଯୋଗେ ଆୟୋଜିତ ବୈଠକରେ ମନ୍ତ୍ରୀ ସ୍ୱାଇଁ ଚଳିତ ଖରିଫରେ ସମବାୟ ମାଧ୍ୟମରେ ଫସଲ ଋଣ ଯୋଗାଣ ପ୍ୟାକେଜ ଜରିଆରେ ସାର ଓ ବିହନ ଆଦି ଯୋଗାଣର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । କୋଭିଡ୍-୧୯ ସ୍ଥିତିରେ କୃଷି କାର୍ଯ୍ୟ ଲୋକମାନଙ୍କର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିପାରୁଥିବାବେଳେ ଚାଷୀମାନେ କିପରି ସହଜରେ ଓ ନିର୍ବିଘ୍ନରେ କୃଷି ସାମଗ୍ରୀ ପାଇପାରିବେ ସେଥପ୍ରତି ସଂମ୍ପୃକ୍ତ ଅଧିକାରୀମାନେ ନିଷ୍ଠାପର ଉଦ୍ୟମ କରିବାକୁ କହିଥିଲେ । ସାର ଓ ବିହନ ଯେପରି ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହୋଇପାରିବ, ସେଥିନିମନ୍ତେ ଆଗୁଆ ପଦକ୍ଷେପ ସହିତ କୃଷି ବିଭାଗ ଓ ସାର ଉତ୍ପାଦନକାରୀ କମ୍ପାନୀମାନଙ୍କ ସହିତ ଉପଯୁକ୍ତ ସମନ୍ଵୟ ରକ୍ଷା କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟରେ ଚାଷୀମାନଙ୍କୁ ଫସଲ ଋଣ ଯୋଗାଣ କ୍ଷେତ୍ରରେ ସମବାୟ ସଂସ୍ଥା ଗୁଡ଼ିକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ପରିପ୍ରେକ୍ଷୀରେ ଚଳିତ ଖରିଫରେ ଋଣ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ ମନ୍ତ୍ରୀ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଓ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଫସଲ ଋଣ ପ୍ରଦାନ କ୍ଷେତ୍ରରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଲଟ୍ରାଧିକାର ଦେବା ସହିତ ଯୁଗ୍ମଦେୟ ଗୋଷ୍ଠୀ ମାଧ୍ୟମରେ ନାମମାତ୍ରଚାଷୀ ଓ ଭୂମିହୀନ ଚାଷୀମାନଙ୍କୁ ଋଣ ଯୋଗାଇଦେବା ପାଇଁ ମନ୍ତ୍ରୀ କହିଥିଲେ । ଏଥି ନିମନ୍ତେ ବିଭାଗ ପକ୍ଷରୁ ଏକ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ବାତ୍ୟା ‘ୟସ’ରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ସହାୟତା ପ୍ୟାକେଜ୍ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ କହିଥିଲେ। ବୈଠକରେ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ କହିଛନ୍ତି ଯେ, ଖରିଫ ଫସଲ ଋଣ ଯୋଗାଣ ପ୍ରକ୍ରିୟାକୁ ତ୍ଵରାନ୍ଵିତ କରାଯିବା ସହିତ କୃଷି ବିଭାଗ ସହିତ ସମନ୍ଵୟ ରକ୍ଷା କରି ବିହନ ଓ ସାର ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯାଇଛି ।ବୈଠକରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀ, ସମବାୟ ସମିତି ସମୂହର ନିବନ୍ଧକ ସୁଶାନ୍ତ କୁମାର ବାରିକ, ମାର୍କଫେଡର ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତି ମିଶ୍ରଙ୍କ ସମେତ କୃଷି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଯୋଗ ଦେଇଥିଲେ ।


Share It

Comments are closed.