କରୋନା ସଂକ୍ରମଣ ମାମଲାରେ ଚୀନକୁ ଟପିଲା ମହାରାଷ୍ଟ୍ର, ଗୋଟିଏ ଦିନରେ ୯୦ ଜଣଙ୍କ ମୃତ୍ୟୁ


ବିଶ୍ୱ ମହାମାରୀ କରୋନା ସଂକ୍ରମଣ ମଧ୍ୟରେ ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର ଏବେ କରୋନା ମାମଲାରେ ଚୀନକୁ ମଧ୍ୟ ପଛରେ ଛାଡ଼ିଦେଇଛି । ରବିବାର ଦିନ ମହାରାଷ୍ଟ୍ରରେ ୩୦୦୭ଜଣ ନୂଆ ସଂକ୍ରମିତ ମିଳିଥିବାବେଳେ, ୯୦ଜଣଙ୍କର ମୃତ୍ୟୁ ହୋଇଯାଇଛି, ଯେଉଁଥିରୁ ୬୧ଜଣ ମୁ୍‌ମ୍ବାଇର ଥିଲେ । ଏହା ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୮୫,୯୭୫ରେ ପହଂଚିଯାଇଛି । ଯେବେକି ମୃତକଙ୍କ ସଂଖ୍ୟା ୩୦୬୦ରେ ପହଂଚିଛି ।
ଚୀନର ବୁହାନ ସହରରୁ ହିଁ ପୁରା ଦୁନିଆକୁ ଏହି ଭୟଙ୍କର ଭାଇରସର ସଂକ୍ରମଣ ହୋଇଥିଲା କିନ୍ତୁ ବର୍ତମାନ ଏଠାରେ ହିଁ କରୋନା ସଂକ୍ରମଣ ପାଖାପାଖି ନିୟନ୍ତ୍ରଣ ମଧ୍ୟକୁ ଆସିଯାଇଛି । ଚୀନରେ ଏପର୍ଯ୍ୟନ୍ତ ୮୩,୦୩୬ ଲୋକ ହିଁ କରୋନା ସଂକ୍ରମିତ ମିଳିଛନ୍ତି । ଯେବେକି ମହାରାଷ୍ଟ୍ରରେ ଏହି ସଂଖ୍ୟା ୮୫ ହଜାରରୁ ଉର୍ଦ୍ଧ୍ୱ ହୋଇଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ ରାଜ୍ୟରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଛି । ରାଜ୍ୟରେ ଏପର୍ଯ୍ୟନ୍ତ ୩୯,୩୧୪ କରୋନା ରୋଗୀଙ୍କୁ ହସପିଟାଲରୁ ଛୁଟି ମିଳିସାରିଛି । ରାଜ୍ୟରେ ରୋଗୀଙ୍କ ଆରୋଗ୍ୟ ସଂଖ୍ୟା ୪୫.୭୨ ପ୍ରତିିଶତ ଏବଂ ମୃତ୍ୟୁହାର ୩.୫୫ ପ୍ରତିଶତ ରହିଛି ।
ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ରବିବାର ଦିନ ୧୪୨୦ ଜଣ ନୂଆ କରୋନା ସଂକ୍ରମିତ ମିଳିଥିଲେ ଯେବେକି ଗତ ୨୪ ଘଂଟା ମଧ୍ୟରେ ୬୧ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏହାଦ୍ୱାରା ମୁମ୍ବାଇରେ ଏପର୍ଯ୍ୟନ୍ତ ମୋଟ ରୋଗୀଙ୍କ ସଂଖ୍ୟା ୪୮,୭୭୪ ହୋଇଯାଇଛି ଯେବେକି ମୃତକଙ୍କ ସଂଖ୍ୟା ବଢ଼ି ୧୬୩୮ରେ ପହଂଚିଯାଇଛି ।
ଅନ୍ୟପଟେ କେନ୍ଦ୍ରିୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଜାରି ଆକଳନ ଅନୁଯାୟୀ ଗତ ୨୪ ଘଂଟା ମଧ୍ୟରେ ଦେଶରେ କରୋନା ଭାଇରସର ୯୯୮୩ ନୂଆ ମାମଲା ସାମ୍ନାକୁ ଆସିଛି । ଏହା ଗୋଟିଏ ଦିନରେ ସଂକ୍ରମିତଙ୍କ ସବୁଠାରୁ ଅଧିକ ସଂଖ୍ୟା ଅଟେ । ଅନ୍ୟପଟେ ୨୦୮ ଜଣଙ୍କର ମୃତ୍ୟୁ ହୋଇଛି । ଏହିଭଳି ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୫୬,୬୧୧ରେ ପହଂଚିଥିବାବେଳେ ମୃତକଙ୍କ ସଂଖ୍ୟା ୭୧୩୫ରେ ପହଂଚିଛି । । ସେହିଭଳି ଏହି ଭୟଙ୍କର ଭାଇରସରୁ ଏପର୍ଯ୍ୟନ୍ତ ମୋଟ ୧,୨୪,୦୯୫ ଲୋକ ସୁସ୍ଥ ହୋଇସାରିଛନ୍ତି । ଭାରତ ଏବେ ସଂକ୍ରମଣରେ ଦୁନିଆରେ ୬ ନମ୍ବର ସ୍ଥାନକୁ ଆସିଯାଇଛି ।


Share It

Comments are closed.