ମାର୍କେଟିଂ ଓ ପ୍ୟାକେଜିଂ ଉପରେ ମହିଳା ଏସ୍‌ଏଚ୍‌ଜି ଗୁରୁତ୍ୱ ଦେବାକୁ ରାଜ୍ୟପାଳଙ୍କ ପରାମର୍ଶ


ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗ ଏବଂ ଫିକିର ମିଳିତ ସହଯୋଗରେ ଜନତା ମଇଦାନଠାରେ ଆୟୋଜିତ କୃଷି ଓଡ଼ିଶା ୨୦୨୪ ରବିବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ସମାରୋହରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ମହିଳା ଚାଷୀମାନଙ୍କୁ ଆଧୁନିକ ଯନ୍ତ୍ରପାତି ଓ ଜ୍ଞାନକୌଶଳ ବ୍ୟବହାର କରିବା ଲାଗି ଆହ୍ୱାନ ଦେବା ସହ ନିଜ ଉତ୍ପାଦର ଭଲ ପ୍ୟାକେଜିଂ ଓ ମାର୍କେଟିଂ କରିବା ଉପରେ ଧ୍ୟାନ ଦେବାକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଗୁଡ଼ିକୁ କହିଛନ୍ତି । ଗ୍ରାମୀଣ କ୍ଷେତ୍ରର ବିକାଶ ହେଲେ ଦେଶର ବିକାଶ ତ୍ୱରାନ୍ୱିତ ହୋଇପାରିବ ଏବଂ ୨୦୪୭ ସୁଦ୍ଧା ଓଡ଼ିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ମହିଳାଙ୍କ ଯୋଗଦାନ ବିନା କୌଣସି ଦେଶର ବିକାଶ ସମ୍ଭବ ନୁହେଁ । ଆମ ଦେଶର ମହିଳାମାନଙ୍କ ଅବଦାନ ସାରା ବିଶ୍ୱରେ ଅତୁଳନୀୟ । ଚାଷ, ପଶୁପାଳନ, ମତ୍ସ୍ୟଚାଷ ଆଦି କ୍ଷେତ୍ରରେ ଅଧିକରୁ ଅଧିକ ମହିଳା ଚାଷୀ ନିୟୋଜିତ ହୋଇଛନ୍ତି । କୃଷି କ୍ଷେତ୍ର ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ଉତ୍ପାଦକତା ବଢ଼ିଛି । ସେଥିପାଇଁ ରାଜ୍ୟ ସରକାର କୃଷି କର୍ମଣ ପୁରସ୍କାର ପାଉଛନ୍ତି । ଏହା ରାଜ୍ୟ ଓ ରାଜ୍ୟବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସେ କହିଛନ୍ତି ।

ନିଜର ପାଖରେ ଜମି ନଥିବା କାରଣରୁ ସମସ୍ତ ସରକାରୀ ସୁବିଧାରୁ ବଂଚିତ ହୋଇଥିବା ମହିଳା ଚାଷୀମାନେ ଯୋଗଦାନ କିନ୍ତୁ ଉଣା କରିନାହାନ୍ତି । ଆଦିବାସୀ ଅଂଚଳରେ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ଯୋଗଦାନ ଢ଼େର ଅଧିକ । ସେମାନଙ୍କ ପାଇଁ ପରିବାର ପ୍ରତିପୋଷଣ ସମ୍ଭବ ହେଉଛି ବୋଲି ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ।

ଏହି ଅବସରରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, “କୃଷି ଯନ୍ତ୍ରପାତି ମେଳାକୁ ଆଗାମୀ ଦିନରେ ବ୍ଲକ୍ ସ୍ତରରେ ଆୟୋଜନ କରାଯିବ । ପୂର୍ବରୁ ସବଡିଭିଜନ ସ୍ତରରେ ଆୟୋଜନ କରାଯାଇଥିବା ମେଳା ବେଶ ସଫଳ ହୋଇଛି । ପ୍ରାୟ ୧୪୦୦ କୋଟି ଟଙ୍କାର କୃଷି ଯନ୍ତ୍ରପାତି କାରବାର ହୋଇଥିବା ବେଳେ ୫୦୦ କୋଟି ଟଙ୍କାର ସବ୍‌ସିଡି ଦିଆଯାଇଛି । ଚାଷୀଙ୍କ ହାତକୁ ଟଙ୍କା ଦେବା, ରୋଜଗାର ସୃଷ୍ଟି କରିବା ଓ ଉତ୍ପାଦନ ବଢ଼ାଇବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ।

ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଛନ୍ତି ଯେ, ଜଳ ବିନା ଚାଷ କାମ ହୋଇପାରିବନି । ତେଣୁ ଜଳ ସମ୍ପଦ ବିଭାଗ ଓ କୃଷି ବିଭାଗ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଉଛି । ରାଜ୍ୟ ସରକାର ମହିଳାମାନଙ୍କ ଉନ୍ନତିକୁ ପ୍ରାଥମିକତା ଦେଉଥିବା ବେଳେ ସେମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି । ପୁରୁଷଙ୍କ ଭଳି ପ୍ରତିଟି କ୍ଷେତ୍ରରେ ସେମାନଙ୍କ ଯୋଗଦାନକୁ ସୁନିଶ୍ଚିତ କରିବା ଲାଗି ପ୍ରୟାସ କରାଯାଉଛି । ସବ୍‌ଡିଭିଜନ ସ୍ତରରେ କୃଷି ଯନ୍ତ୍ରପାତି ମେଳା ଆୟୋଜନ କରି ସେଗୁଡ଼ିକ ଚାଷୀମାନଙ୍କ ନିକଟତର କରାଯାଉଥିବା ବେଳେ ଯନ୍ତ୍ରପାତି ଉପରେ ୭୦ ପ୍ରତିଶତ ସବସିଡି ପ୍ରଦାନ କରି ତାହାକୁ ସୁଲଭ ମୂଲ୍ୟରେ ଉପଲବ୍ଧ କରିବା ଲାଗି ପ୍ରୟାସ କରାଯାଉଛି ।’’

କୃଷି ଓ କୃଷକ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଶ୍ରୀ ଅରବିନ୍ଦ ପାଢ଼ୀ ସ୍ୱାଗତ ଭାଷଣ ଦେଇ କହିଛନ୍ତି ଯେ, “କୃଷି କ୍ଷେତ୍ରର ନିରନ୍ତର ରୂପାନ୍ତରୀକରଣ ପାଇଁ ମହିଳାମାନଙ୍କ ଯୋଗଦାନ ନିତାନ୍ତ ଆବଶ୍ୟକ । ସେମାନଙ୍କ ଯୋଗଦାନ ବିନା ଏହି କ୍ଷେତ୍ରର ପ୍ରଗତି ଅସମ୍ଭବ । ସରକାର ମହିଳା ଚାଷୀମାନଙ୍କୁ ନଜରରେ ରଖି ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିଛନ୍ତି । ସେମାନଙ୍କ ସମୃଦ୍ଧି ଓ ସମ୍ମାନରେ ଉନ୍ନତି ଆଣିବା ଲାଗି ରାଜ୍ୟ ସରକାର ସଂକଳ୍ପବଦ୍ଧ ରହିଛନ୍ତି ।’’

ମହିଳା ଚାଷୀମାନଙ୍କୁ ତାଲିମଠାରୁ ଆରମ୍ଭ କରି ସେମାନଙ୍କ ଆୟ ବଢ଼ାଇବା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ପ୍ରମୁଖ ଅନୁଷ୍ଠାନଗୁଡ଼ିକ ସହିତ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର ହୋଇଥିଲା ।

“କୃଷି କ୍ଷେତ୍ରରେ ମହିଳାଙ୍କ ସଫଳତାକୁ ପାଳନ’ ଶୀର୍ଷକ ଉପରେ ଆୟୋଜିତ କୃଷି ଓଡ଼ିଶା ୨୦୨୪ ଗତ ଶୁକ୍ରବାର (୨୦୨୪ ଡିସେମ୍ବର ୧୨) ତାରିଖ ଦିନ ଉଦ୍‌ଘାଟିତ ହୋଇଥିଲା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଏବଂ ବିଭିନ୍ନ କୃଷି ଯନ୍ତ୍ରପାତି ଓ ଜ୍ଞାନକୌଶଳକୁ ନେଇ ପ୍ରସ୍ତୁତ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାରା ରାଜ୍ୟର କୋଣ ଅନୁକୋଣରୁ ପ୍ରାୟ ୫୦୦୦ ମହିଳା ଚାଷୀ,୨୦୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, କୃଷି ଉଦ୍ୟୋଗୀ, କୃଷି ବିଶେଷଜ୍ଞ ଓ ଅନ୍ୟ ଅଂଶୀଦାରମାନେ ସାମିଲ ହୋଇଥିଲେ ।

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, କେନ୍ଦ୍ର ସରକାର, ଆଇସିଏଆର ଅନୁଷ୍ଠାନ, ସିଜିଆଇଏଆର ଅନୁଷ୍ଠାନ, ବେସରକାରୀ ସଂଗଠନ, କୃଷକ-ବୈଜ୍ଞାନିକ ଆଲୋଚନା, ସେମିନାର, କୃଷକ ସୁବିଧା କେନ୍ଦ୍ର, ଅଭିଜ୍ଞତା-ଶିକ୍ଷଣ କେନ୍ଦ୍ର, କୃଷି ଯନ୍ତ୍ରପାତି ପ୍ରଦର୍ଶନ, କୃଷି ଜାତ ଦ୍ରବ୍ୟ ଉପରେ ପ୍ରଦର୍ଶନୀ ଷ୍ଟଲ, ମହିଳା କୃଷକ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହଯୋଗରେ ୧୭ଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।

କୃଷି ଓଡ଼ିଶା ୨୦୨୪କୁ ଆହୁରି ଆକର୍ଷଣୀୟ କୁଇଜ୍ ଓ ବକ୍ତୃତା ରେ ପରିଣତ କରିବା ପାଇଁ ପରୀକ୍ଷାମୂଳକ ଜଳକ୍ରୀଡ଼ା, ସ୍ଥାନୀୟ କୃଷକ ଗୀତ, କାହାଣୀ, ପୋଷ୍ଟକାର୍ଡ ବିନିମୟ, କୃଷକ ସୁବିଧା କେନ୍ଦ୍ର ଓ ଏକ ପରୀକ୍ଷାମୂଳକ ଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା ।

କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।


Share It

Comments are closed.