ରୁଷ ରାଷ୍ଟ୍ରପତି ଭବନ ‘କ୍ରେମଲିନ’ ଉପରେ ଡ୍ରୋନ ଆକ୍ରମଣ


ରୁଷ ରାଷ୍ଟ୍ରପତି ଭବନ ‘କ୍ରେମଲିନ’ ଉପରେ ଡ୍ରୋନ ଆକ୍ରମଣ ପରେ ସାରା ବିଶ୍ୱରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ ଆଜି ‘କ୍ରେମଲିନ’ର ଗମ୍ବୁଜରେ ଏକ ଡ୍ରୋନ ଧକ୍କା ଖାଇବା ଫଳରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୂତିନଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ମସ୍କୋ କହିଛି। ସେହି ଗମ୍ବୁଜ ଉପରେ ଗୋଟିଏ ଡ୍ରୋନ ଧକ୍କା ଖାଇବା ପରେ ରୁଷ ସେନା ଅନ୍ୟ ୨ଟି ଡ୍ରୋନକୁ ଗୁଳିକରି ଖସାଇ ଦେଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରୁ ଜଣାପଡିଛି। ଦୀର୍ଘ ଦେଢ ବର୍ଷରୁ ଅଧିକ ସମୟ ଧରି ଉଭୟ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲି ଥିବାରୁ, ୟୁକ୍ରେନ ଏହି ଡ୍ରୋନ ଆକ୍ରମଣ କରିଥିବା କୁହାଯାଇଛି। ରୁଷ ମଧ୍ୟ ଏହାର କଡା ଜବାବ ଦେବ ବୋଲି କହିଛି। ଏହି ଡ୍ରୋନ ଆକ୍ରମଣରେ କ୍ରେମଲିନର କୌଣସି କ୍ଷତି ହୋଇନାହିଁ କିମ୍ବା ରାଷ୍ଟ୍ରପତି ପୂତିନଙ୍କର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି। ତେବେ ଅନ୍ୟଏକ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ଡ୍ରୋନ ଆକ୍ରମଣ ସମୟରେ ରାଷ୍ଟ୍ରପତି ପୂତିନ କ୍ରେମଲିନରେ ନ ଥିଲେ।

ରୁଷ ଏହି ଆକ୍ରମଣ ପାଇଁ ୟୁକ୍ରେନକୁ ଦାୟୀ କରିଥିବା ବେଳେ ରୁଷ ୟୁକ୍ରେନ ଉପରେ ବଡ ଆକ୍ରମଣ ଯୋଜନା କରିଥିବାରୁ, ନିଜେ ଏହି ଡ୍ରୋନ ଆକ୍ରମଣ କରିଥାଇ ପାରେ ବୋଲି କୁହାଯାଉଛି।


Share It

Comments are closed.