ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୨ ଜଣ ପଜିଟିଭ ଚିହ୍ନଟ, ଉଦ୍ଧାରକାର୍ଯ୍ୟରେ ସାମିଲ ୫୦ କର୍ମୀ କ୍ୱାରେଣ୍ଟାଇନରେ


କେରଳ କୋଝିକୋଡ଼ ବିମାନ ଦୁର୍ଘଟଣାର ଶିକାର ହୋଇଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଯାତ୍ରା କରୁଥିବା ୨ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରୀୟ ଉଦ୍ୟୋଗୀକ ସୁରକ୍ଷାବଳ ସୂତ୍ର ସମାଚାର ଏଜେନ୍ସିକୁ କହିଛନ୍ତି ଯେ, ଦୁବାଇରୁ ଫେରୁଥିବା ବିମାନରେ ୨ ଜଣ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟର ଉଚ୍ଚ ଶିକ୍ଷା ମନ୍ତ୍ରୀ କେ.ଟି ଯଲିଲ କହିଛନ୍ତି ଯେ ଦୁଇ କରୋନା ରୋଗୀଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଯାଇଛି । ମୃତକ ଜଣକ ହେଲେ ୪୫ ବର୍ଷ ବୟସ୍କ ସୁଧୀର । ତାଙ୍କର ନମୁନା ଯାଞ୍ଚ ପାଇଁ ପଠାଯାଇଥିଲା ଯାହା ପଜିଟିଭ ଆସିଥିଲା । ମଲ୍ଲପୁରମ ଜିଲ୍ଲା ଅଧିକାରୀ କେ,ଗୋପାଳକୃଷ୍ଣନ କହିଛନ୍ତି, ସମସ୍ତ ଯାତ୍ରୀଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସମସ୍ତଙ୍କ କରୋନା ଯାଞ୍ଚ ମଧ୍ୟ କରାଯାଇଛି । ଏହାସହ ମୃତଦେହଗୁଡିକର ଅଟୋପସି କୋଭିଡି-୧୯ ପ୍ରୋଟୋକଲ ହିସାବରେ ହେବ ।
କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ.ଶୈଳଜା ଉଦ୍ଧାରକାରୀ ଟିମକୁ କହିଛନ୍ତି ଯେ ସେମାନେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ରିପୋର୍ଟ ପଠାଇବେ ଏବଂ ସୁରକ୍ଷା ଦୃଷ୍ଟିରୁ ସେଲ୍ଫ କ୍ଵାରେଣ୍ଟାଇନ ହୋଇଯାଆନ୍ତୁ । ଉଓଝୠ ସୂତ୍ର ସୂଚନା ଦେଇଛି ଯେ ଉଦ୍ଧାରକାର‌୍ୟ୍ୟରେ ସାମିଲ ହୋଇଥିବା ୫୦ ଲୋକଙ୍କୁ କ୍ଵାରେଣ୍ଟାଇନ କରାଯାଇଛି । ଯେଉଁମାନେ ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନଙ୍କ ସମ୍ପର୍କରେ କିଏ ଆସିଥିଲେ ନା ନାହିଁ ତାହା ଯାଞ୍ଚ କରାଯାଉଛି । ଆଉ ଜଣେ ଅଧିକାରୀ କହିଛନ୍ତି ଯେ, ସମସ୍ତଙ୍କ ରିପୋର୍ଟ ଆସିବା ପର‌୍ୟ୍ୟନ୍ତ ସମସ୍ତ ଲୋକଙ୍କୁ ଅସ୍ଥାୟୀ ଭାବେ ଆଇସୋଲେସନରେ ରଖାଯାଇଛି । ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ କୋଝିକୋଡ଼ରେ ଦୁବାଇରୁ ଆସୁଥିବା ବିମାନ ରନୱେରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରେ ୧୦ ଶିଶୁ ସମେତ ୧୮୪ ଯାତ୍ରୀ, ୨ ପାଇଲଟ ଓ ଚାଳକ ଦଳର ୪ ସଦସ୍ୟ ଥିଲେ । ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି ।


Share It

Comments are closed.